ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ! କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନ ମିଳିବାରୁ କୋରାପୁଟ ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣ ସଗରିଆ

ଗରିବ ଝିଅଟିକୁ ନ୍ୟାୟ ଦେଇପାରିଲି ନାହିଁ ତେଣୁ ବିଧାୟକ ପଦରୁ ଇସ୍ତଫା ଦେଉଛି : କୃଷ୍ଣ ସଗରିଆ

680

କନକ ବ୍ୟୁରୋ : ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେବେ କଂଗ୍ରେସର କୋରାପୁଟ ବିଧାୟକ କୃ୍ଷ୍ଣ ଚନ୍ଦ୍ର ସଗରିଆ । କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ଲୋକ ପ୍ରତିନିଧି ଭାବେ ପୀଡିତାଙ୍କୁ ନ୍ୟାୟ ଦେଇ ପାରି ନଥିବାରୁ ନୈତିକତା ଆଧାରରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି କୃଷ୍ଣ ସଗରିଆ । ନିଜ ଇସ୍ତଫାପତ୍ର ସେ ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ଏନେଇ ପ୍ରେସମିଟ ଜରିଆରେ ଜଣାଇଛନ୍ତି କୃ୍ଷ୍ଣ ସଗରିଆ ।

କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ନ୍ୟାୟ ନ ମିଳିବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଏପରିକି ରାଜ୍ୟର ସମସ୍ତ ରାଜନୈତିକ ଦଳ ନିକଟରେ ନ୍ୟାୟ ଭିକ୍ଷା କରିବା ପରେ ମଧ୍ୟ ସବୁଠାରେ ପୀଡିତାଙ୍କୁ ନିରାଶ ହେବାକୁ ପଡିଥିଲା । ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ବାଛି ନେଇଥିଲା ୧୫ ବର୍ଷର ନିରୀହ ଝିଅ । ତେବେ ସାମ୍ବିଧାନିକ ପଦରେ ରହି ମଧ୍ୟ ଯେତେବେଳେ ମୁଁ ଜଣେ ୧୫ ବର୍ଷର ନିରୀହ ଝିଅକୁ ନ୍ୟାୟ ଦେଇ ପାରିଲି ନାହିଁ ସେଭଳି ସ୍ଥଳରେ ଏହି ପଦବୀରେ ରହିବାର କୌଣସି ନୈତିକ ଅଧିକାର ନାହିଁ । ତେଣୁ ମୁଁ ବିଧାନସଭାର ସଭ୍ୟପଦରୁ ମୋର ବିବେକ ଡାକରାରେ ଇସ୍ତଫା ଦେବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ସଗରିଆ ।