କନକ ବ୍ୟୁରୋ : ଗତକାଲି ପୁରୀ ବାରବାଟୀ ଆଖଡ଼ାରେ ସୁଆର ଓ ମହାସୁଆର ନିଯୋଗ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ପରେ କିଛି ସମୟ ପରେ ସେଠାରେ ପହଂଚିଥିଲେ କୃଷ୍ଣ ପ୍ରତିହାରୀଙ୍କ ଭାଇ । ଏହି ସମୟରେ ୪ ଜଣ ଦୁର୍ବୃତ ତାଙ୍କ ଭାଇଙ୍କୁ କହିଥିଲେ, କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ ହୋଇଛି । କାଳିଆ ସିଂହାରୀ ହେଉଛନ୍ତି ଗୁନ ସିଂହାରୀଙ୍କ ଭାଇ ଓ ଦୋଳଗୋବିନ୍ଦ ହେଉଛନ୍ତି ଗୁନ ସିଂହାରୀଙ୍କ ପୁଅ । ଏକଥା କହିବା ପରେ ସେମାନେ ବାଇକରେ ସେଠାରୁ ଚାଲି ଯାଇଥିଲେ । ସେମାନଙ୍କ ହାତରେ ସେତେବେଳେ ବନ୍ଧୁକ ଥିଲା । ତେଣୁ ଆଉ କେହି କିଛି କରିବା ପାଇଁ ସାହାସ କରିନଥିଲେ । ଏକଥା ଥାନାରେ ଦିଆଯାଇଥିବା ଏଫ୍ଆଇଆରରେ ମଧ୍ୟ ଉଲ୍ଲେଖ ରହିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଗୁନ ସିଂହାରୀ ହତ୍ୟା ଘଟଣାର ଏହା ପ୍ରତିଶୋଧ ।

Advertisment

୨୦୧୨ରେ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗର ସମ୍ପାଦକ ଥିବା ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ପୁରୀ ମଣିକର୍ଣ୍ଣିକା ସାହି ନିକଟରେ ଗୁନଙ୍କ ଉପରକୁ ଗୁଳି ଚଳାଇଥିଲେ ଦୁର୍ବୃତ । ହତ୍ୟାକାଣ୍ଡରେ କୃଷ୍ଣଚନ୍ଦ୍ର ପ୍ରତିହାରୀ ମୁଖ୍ୟ ଷଡଯନ୍ତ୍ରକାରୀ ଥିବା ନେଇ ସୂଚନା ଥିଲା । ଏହି ମାମଲାରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପ୍ରମାଣ ଅଭାବରୁ ସମସ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ କୋର୍ଟ । ସେପଟେ ହତ୍ୟାକାରୀଙ୍କୁ ଧରିବା ପାଇଁ ପୁରୀ ବାହାରକୁ ଯାଇଛି ଚାରୋଟି ଟିମ୍ । ଅଟକ ଅଭିଯୁକ୍ତଠାରୁ ସୁରାକ୍ ମିଳିବା ପରେ ତଦନ୍ତ ଜୋରଦାର କରିଛି ପୁଲିସ । ମୋବାଇଲ ଟ୍ରାକିଂ କରି ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।