କନକ ବ୍ୟୁରୋ : ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଏସପି । ଗିରଫ ୬ଜଣଙ୍କ ମଧ୍ୟରେ ରହିଛନ୍ତି ଗୁନ ସିଂହାରୀଙ୍କ ଭାଇ ଓ ପୁତୁରା । ଏମାନେ ହତ୍ୟାକାଣ୍ଡ ପାଇଁ ରଚିଥିଲେ ଷଡଯନ୍ତ୍ର । ବଡ କଥା ହେଉଛି କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରିବା ପାଇଁ ୩୦ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା । ଗୁନ ସିଂହାରୀ ହତ୍ୟା ମାମଲାରେ ଗତ ଜାନୁୟାରୀ ମାସରେ କୃଷ୍ଣ ପ୍ରତିହାରୀ ନିର୍ଦ୍ଦୋଷରେ ଖଲାସ ହେବା ପରେ ହତ୍ୟାର ପ୍ରତିଶୋଧ ପାଇଁ ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ ।
କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡର ଖୁଲାସା । ପ୍ରତିଶୋଧ ପାଇଁ କରାଯାଇଥିଲା ହତ୍ୟା । ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ପ୍ରାଥମିକ ତଦନ୍ତ ପରେ ଏପରି ନିଷ୍କର୍ସରେ ପହଞ୍ଚିଛି ପୁରୀ ପୁଲିସ । ୬ ଜଣଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ୨୦୧୨ରେ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ସିଂହାରୀ । ଏମାନେ ହତ୍ୟା କରିବାକୁ ନିଷ୍ପତି ନେଇଥିଲେ ଏବଂ ହତ୍ୟାକାଣ୍ଡର ନକ୍ସା ବନାଇଥିଲେ । ଏହି ଦୁଇଜଣଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଚିତ୍ରଣ କରିଛି ପୋଲିସ ।
ତେବେ ହତ୍ୟାକାଣ୍ଡର ଏହି ପ୍ଲାନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ଦିଆଯାଇଥିଲା କାଳୁ ପାଣିଗ୍ରାହୀକୁ । କେମିତି ସୁପାରୀ ବାବଦ ଟଙ୍କା ପହଞ୍ଚିବ ଏବଂ କେବେ ଓ କେଉଁଠି ଗୁଳି କରାଯିବ, ତାକୁ କାର୍ଯ୍ୟକାରୀ କରିଥିଲା କାଳୁ ପାଣିଗ୍ରାହୀ । ମୁନା ପାତ୍ର ନାମକ ଆଉ ଜଣେ ଚରିତ୍ରକୁ ସାମ୍ନାକୁ ଆଣିଛି ପୋଲିସ । ଏହି ବ୍ୟକ୍ତି ଜଣକ ବନ୍ଧୁକ ସପ୍ଲାଏ କରିବା ପାଇଁ ଦାୟିତ୍ୱ ନେଇଥିଲା । ଏମାନଙ୍କ ସହ ସନ୍ଦୀପ ଜେନା ନାମକ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସନ୍ଦୀପ ଜେନା ଦାୟିତ୍ୱ ନେଇଥିଲେ ଯେ ହତ୍ୟା କରିବା ପରେ ଅପରାଧିଙ୍କୁ କେଉଁଠି ଲୁଚାଇ ରଖାଯିବ । ଯେମିତି, ପୁଲିସ ସେମାନଙ୍କ ପାଖରେ ପହଂଚିପାରିବ ନାହିଁ । ଏହାଛଡ଼ା ଆଉ ଜଣେ ହେଉଛନ୍ତି ବାବା ମହାପାତ୍ର । ତାକୁ ବି ଗିରଫ କରିଛି ପୁଲିସ୍ । ଘଟଣାସ୍ଥଳରେ କୃଷ୍ଣ ପ୍ରତିହାରୀଙ୍କୁ ଯେତେବେଳେ ଗୁଳି କରାଯାଇଥିଲା, ଏହି ବ୍ୟକ୍ତି ଜଣଙ୍କୁ ନିଜେ ଦେଖିଥିଲେ ମୃତ କୃଷ୍ଣ ପ୍ରତିହାରୀଙ୍କ ଭାଇ ।
ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ । କୃଷ୍ଣ ପ୍ରତିହାରୀ ଖଲାସ ହେବା ପରେ ତିଆରି ହୋଇଥିଲା ବ୍ଲୁ ପ୍ରିଂଟ । ୨୦୧୨ରେ ଗୁନ ସିଂହାରୀ ହତ୍ୟାକାଣ୍ଡ ପରେ ଦୋହଲି ଉଠିଥିଲା ପୁରୀ । କୃଷ୍ଣ ପ୍ରତିହାରୀ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଚର୍ଚ୍ଚା ହେଲା । କିନ୍ତୁ ଗତ ଜାନୁଆରୀ ମାସରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଏହି ହତ୍ୟାକାଣ୍ଡର ନକ୍ସା ତିଆରି ହୋଇଥିଲା । ସମସ୍ତେ ଭାବୁଥିଲେ ଗୁନ ସିଂହାରୀ ହତ୍ୟାକାଣ୍ଡର ନିଆଁ ଲିଭିଗଲା, କିନ୍ତୁ ପ୍ରକୃତରେ ସେ ନିଆଁ ପ୍ରତିଶୋଧ ଆକାରରେ କୁହୁଳୁଥିଲା ।
କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ପାଇଁ ଦିଆଯାଇଥିଲା ୩୦ ଲକ୍ଷ ଟଙ୍କାର ସୁପାରୀ । କାର୍ଯ୍ୟକାରୀ କରିବା ପାଇଁ କାଳୁ ପାଣିଗ୍ରାହୀ ଅଗ୍ରୀମ ନେଇଥିଲା ୨ ଲକ୍ଷ ଟଙ୍କା । କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରିବା ପାଇଁ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ସିଂହାରୀ ଏକପ୍ରକାର ନିଷ୍ପତି ନେଇଥିଲେ । ଆଉ ୩୦ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା । କାଳୁ ପାଣିଗ୍ରାହୀ ନାମକ ଜଣେ ହୋଟେଲ ମ୍ୟାନେଜର ଏହି ବ୍ଲୁ ପ୍ରିଂଟକୁ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ନେଇଥିଲେ । ଏଥିପାଇଁ ୨ ଲକ୍ଷ ଟଙ୍କା ଆଡଭାନ୍ସ ବି ନେଇଥିଲେ ।
ସବୁକାମ ସରିବା ପରେ ଆଉ ବାକି ଟଙ୍କା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ସେମାନେ ଭାବିନଥିଲେ ଏହି ଘଟଣା ଏତେ ଚର୍ଚ୍ଚାକୁ ଆସିବ ଏବଂ ତାଙ୍କ ପଛରେ ପୋଲିସ୍ ପଡ଼ିଯିବ । କିନ୍ତୁ ଏବେବି ତିନି ମୁଖ୍ୟ ଅଭିଯୁକ୍ତ ଫେରାର୍ ଅଛନ୍ତି । ସେମାନେ ହେଉଛନ୍ତି ଟୁଟୁ, ହରି ପଣ୍ଡା ଓ କୁନମୁନ । ଏମାନଙ୍କ ଭିତରେ ଟୁଟୁ ହିଁ ଗୁଳି ଚଳାଇଥିବା କହିଛି ପୁଲିସ । ଏବେବି ସେମାନଙ୍କର ଟେର ମିଳିନାହିଁ ।