ଗଂଜାମ : ବିଜେଡି କାଉନସିଲର ହତ୍ୟା ଘଟଣାରେ ଏବେ ବି ପୁଲିସର ହାତ ଖାଲି ! ବିଜେପିରେ ଯୋଗ ଦେଇଥିବା ନେତାଙ୍କ ଆଡକୁ ଇସାରା କଲେ ସ୍ଥାନୀୟ ବିଜେଡି ନେତା

27

କନକ ବ୍ୟୁରୋ : ବିହାର ,ୟୁପି ଭଳି ଓଡିଶାରେ ଅବସ୍ଥା । ସେ ବି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ଦିନ ଦ୍ୱିପହରରେ ଖଣ୍ଡାରେ ହାଣି ହତ୍ୟା କରାଯିବାର ଏହି ଖବର ଓଡିଶାର ରାଜନୈତିକ ହିଂସାକାଣ୍ଡ କେଉଁ ସ୍ତରକୁ ଯାଇପାରେ , ତାହାକୁ ଖୋଲା ଖୋଲି ବୟାନ କରୁଛି । ଏହି ଘଟଣା ପରେ ସବୁଠାରୁ ବଡ ପ୍ରଶ୍ନ ହେଉଛିି କିଏ ଭିଆଇଲା ଏଭଳି ନୃଶଂସ ହତ୍ୟାକାଣ୍ଡ । ଦିନ ଦ୍ୱିପହରରେ କାହା ଇସାରାରେ ଚାଲିଲା ଖଣ୍ଡା ।

ବିଧାୟକ ପ୍ରିୟାଂଶୁ ପ୍ରଧାନ ଇସାରା କରୁଛନ୍ତି ୬ମାସ ତଳେ ସିପିଆଇ ଦଳ ଛାଡି ବିଜେପିରେ ମିଶିଥିବା କୃଷ୍ଣ ନାୟକଙ୍କ ଆଡକୁ । କାରଣ ୨୦୧୪ରେ ସିପିଆଇ ଯୁବ ନେତା ସାକୁରା ବେହେରା ହତ୍ୟା ମାମଲାରେ ଷଡଯନ୍ତ୍ରକାରୀ ଭାବେ ମାମଲା ହୋଇଥିଲା ମୃତ ବିଜେଡି କାଉନସିଲର ଲକ୍ଷ୍ମୀ ଦତ୍ତ ପ୍ରଧାନଙ୍କ ବିରୋଧରେ । ତେବେ କୃଷ୍ଣ କହିଛନ୍ତି ସେ ସମସ୍ତ ତଦନ୍ତକୁ ସ୍ୱାଗତ କରୁଛନ୍ତି ।

ସେପଟେ ୩ଟି ଟିମ୍ ଗଠନ କରି ଗଂଜାମ ପୁଲିସ୍ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁରା ଦମ୍ ଲଗାଇ ଦେଇଛି । କିନ୍ତୁ ଏ ଯାଏଁ ତାଙ୍କର ସୁରାଗ ପାଇପାରିନାହିଁ । ସେମାନେ ଗଂଜାମରେ ଅଛନ୍ତି ନା ବାହାର ରାଜ୍ୟକୁ ଚାଲିଯାଇଛନ୍ତି । ସେ ନେଇ ମଧ୍ୟ ଖୋଳତାଡ ଚାଲିଛି ।

କିନ୍ତୁ ଏହି ଘଟଣା ଓଡିଶାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ଏକ ବଡ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଦିନ ଦ୍ୱିପରରେ ଡଜନେ ଲୋକ ଆସି ଖଣ୍ଡାରେ ହାଣି ହତ୍ୟା କରିବେ ଏବଂ କୁଆଡେ ଫେରାର୍ ହୋଇଯିବେ , ଏହାକୁ ଏକ ସଭ୍ୟ ସମାଜ ଗ୍ରହଣ କରିପାରିବ ନାହିଁ ।