କନକ ବ୍ୟୁରୋ: ବାତ୍ୟାର ଦେଢ଼ ମାସ ପରେ ସିଧା ହେଉଛି ସ୍ମାର୍ଟସିଟି । ଫୋନିର ଦରଜ ଭୁଲି ଝାଡି଼ଝୁଡି଼ ସଫା ହେଉଛି ରାଜଧାନୀର ରାସ୍ତା ଆଉ ନାଲିନାଲି ଓଠରେ ସ୍ମିତହାସ୍ୟ ଦେଉଛି ରାସ୍ତା କଡର କୃଷ୍ଣଚୂଡା଼ । ଫୋନି ଦେଇ ଯାଇଥିବା କୁଢ଼କୁଢ଼ କଷ୍ଟକୁ କ୍ୟାରିବ୍ୟାଗରେ ପକାଇ ନିଜ କର୍ତ୍ତବ୍ୟରେ ବାହାରି ପଡିଛି କୃଷ୍ଣଚୂଡ଼ା । ଧାଁ ଦୌଡ଼ର ସହର ଧ୍ୱଂସ ହୋଇଯିବା ପରେ ଧୁଧୁ ଖରାରେ ଚାଲିଛି ପୁନଃରୁଦ୍ଧାର ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ।
ଗଳିକନ୍ଦି, ରାସ୍ତାଘାଟ ଆଉ ବଜାର ବସ୍ତିରେ ଏବେ ବ୍ୟସ୍ତତାର ଚିତ୍ର । ସବୁଠି ଉଜୁଡି ଯାଇଥିବା ସ୍ୱପ୍ନକୁ ସଜାଡିବାର ଝୁଙ୍କ । ଆଉ ଏଇ ବ୍ୟସ୍ତତା ଭିତରେ ସୌନ୍ଦର୍ଯ୍ୟ ପିଇବାକୁ କାହା ପାଖରେ ବା ପାଟି ଅଛି । କାହା ପାଖରେ ବା ସମୟ ଅଛି ଗଛ ମୂଳରେ ଘଡିଏ ଅଟକିଯାଇ ଆକାଶକୁ ଆଖି କରି ଆଖିରେ ଆଖିଏ କୃଷ୍ଣଚୂଡ଼ାର ରଙ୍ଗ ଭରିବାକୁ । ସୁଲୁସୁଲିଆ ପବନ ଆଉ ଅଧା ଖରା ଅଧା ଛାଇରେ ଛିଡା ହୋଇ କୃଷ୍ଣଚୂଡ଼ାର କମରକୁ କିସ୍ କରିବାକୁ । ବାତ୍ୟା ପରେ ଏବେ ସବୁଠି ବାଜୁଛି ବ୍ୟସ୍ତତାର ବାଜା । ଯଦିଓ କୃଷ୍ଣଚୂଡ଼ା ପ୍ରତି କାହାରି ନିଘା ନାହିଁ ତଥାପି ସେ ନିଜ କର୍ତ୍ତବ୍ୟ କରିଚାଲିଛି । ସହରକୁ ସୌନ୍ଦର୍ଯ୍ୟ ଆଉ ଲୋକଙ୍କୁ ଖୁସି ବାଣ୍ଟିବାକୁ କମର କଷିଛି, ନିଜ କ୍ଷତାକ୍ତ ଡାଳରେ ନାଲି ନାଲି ଖୋସା ବାନ୍ଧିଛି କୃଷ୍ଣଚୂଡ଼ା ।
ଜ୍ୟେଷ୍ଠର ଜ୍ୱାଳାରେ ଆଉ ଫୋନିର ପବନରେ ଉପୁଡି ଯାଇଛି ରାଜଧାନୀର ସବୁ ଗଛ । ସହରକୁ ସୁନ୍ଦରତା ଦେଉଥିବା କୃଷ୍ଣଚୂଡ଼ା ଗଛ ବି ଆଉ ନାହିଁ । ବାତ୍ୟାରେ ଉପୁଡି ପଡିବା ପରେ ରାସ୍ତାର ବୋଝ ସାଜିଥିବା ଗଣ୍ଡିକୁ ବି କାଟି ସଫା କରାସରିଛି । କାଁ ଭାଁ ଯେଉଁଠି ଯେଉଁଠି ଗୋଟେ ଗୋଟେ କୃଷ୍ଣଚୂଡ଼ା ଗଛ ବଞ୍ଚି ଯାଇଛନ୍ତି ସେମାନେ ନିଜ ପରିବାରର କୌଳିକ ବୃତ୍ତି କରିବାକୁ ଆଗେଇ ଆସିଛନ୍ତି । ନିଜର ଲୋକଙ୍କୁ ହରାଇବାର ଦୁଃଖ ଭୁଲି କର୍ତ୍ତବ୍ୟ କରୁଛନ୍ତି ।
ବାତ୍ୟାରେ କିଏ ନିଜ ବାପାମାଆକୁ ହରାଇଛନ୍ତି ତ ଆଉ କିଏ ନିଜ ଆତ୍ମୀୟସୋଜନଙ୍କୁ, ନିଜ ସମ୍ପର୍କୀୟଙ୍କୁ । ଗଛମାନଙ୍କର ବି ପରିବାର ଥାଏ, ସମ୍ପର୍କୀୟ ଥାନ୍ତି ଆଉ ସେହି ସମ୍ପର୍କୀୟମାନଙ୍କ ପାଇଁ ସୌନ୍ଦର୍ଯ୍ୟମୟ ହୋଇଉଠେ ସାରା ସହର । ବୋଧହୁଏ ସେହି କଥା ଭାବି ଆଖିର ଲୁହକୁ ଓଠରେ ପିଇ ଆଷାଢ଼ର ଆକାଶ ତଳେ ଛିଡାହୋଇ ଆଖି ମିଟିକା ମାରୁଛି କୃଷ୍ଣଚୂଡ଼ା ।
ଆଉ ୟାରି ଭିତରେ ମୌସୁମୀ ବର୍ଷାରେ ଓଦା ହୋଇଛି କୃଷ୍ଣଚୂଡ଼ାର କବରୀ । ମୌସୁମୀ ଖାଲି ମାଟିକୁ ଛୁଇଁନି, ଛୁଇଁଛି କୃଷ୍ଣଚୂଡ଼ାର କମରକୁ, ଧୋଇଛି କୃଷ୍ଣଚୂଡ଼ାର କାନ୍ଦକୁ । ଝିପଝିପ ବର୍ଷାରେ କ୍ଳାନ୍ତ କୃଷ୍ଣଚୂଡ଼ାର ମୁହଁରୁ ଧୋଇଯାଇଛି ଜ୍ୟେଷ୍ଠର ଝାଳ । ଆଷାଢୀ ବର୍ଷାରେ ଗାଧୋଇ ହେଲା ପରେ ଆହୁରି ଗୋରା ଦିଶୁଛି, ଆହୁରି ସୁନ୍ଦର ଦିଶୁଛି କୃଷ୍ଣଚୂଡ଼ା । ନାଲି ରଙ୍ଗରେ ସଜେଇ ହୋଇ ରାଜଧାନୀ ରାସ୍ତା କଡରେ ଏକା ଏକା ଛିଡା ହୋଇ ହସ ବାଣ୍ଟୁଥିବା କୃଷ୍ଣଚୂଡ଼ା ହାରି ଯାଇଥିବା ମଣିଷଙ୍କୁ ଜିତିବାର ଜୁ ଦେଉଛି । ଦୁଃଖକୁ ଭୁଲି ଦମ୍ଭ ହୋଇ ଛିଡା ହେବାର ବାଟ ଦେଖାଉଛି । ଆଉ ଭିଜାଭିଜା ବର୍ଷାରେ ନିଜକୁ ଭିଜାଇ ଓଦା କଣ୍ଠରେ ବାଟୋଇକୁ ଗାଇ ଶୁଣାଉଛି ‘ବୟସର କୃଷ୍ଣଚୂଡ଼ା...’ ଗୀତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/KRUSHNA-CHUDA_00000.png)
/kanak/media/post_attachments/wp-content/uploads/2019/06/65082466_866648300368816_4976425851068350464_n-300x170.jpg)
/kanak/media/post_attachments/wp-content/uploads/2019/06/65117264_315474136063955_6932629973740027904_n-300x170.jpg)
/kanak/media/post_attachments/wp-content/uploads/2019/06/65385272_2362969840637340_4025341966555283456_n-300x170.jpg)
/kanak/media/post_attachments/wp-content/uploads/2019/06/65467188_673024229816367_349357686443212800_n-300x170.jpg)
/kanak/media/post_attachments/wp-content/uploads/2019/06/65462089_381538695815634_8719608888845926400_n-170x300.jpg)
/kanak/media/post_attachments/wp-content/uploads/2019/06/65674052_2367124096877749_33031528321646592_n-300x170.jpg)