କନକ ବ୍ୟୁରୋ: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଉଛି ବୋଲି ଆପଣ ଜାଣନ୍ତି । ଆଉ ଏକଥା ବି ଜାଣିଥିବେ, ଏନ୍‌ଏଫ୍‌ଏସ୍‌ଏରେ ୩ କୋଟି ୨୬ ଲକ୍ଷ ହିତାଧିକାରୀ ବାଦ୍, ରାଜ୍ୟର ନିଜସ୍ୱ ଯୋଜନାରେ ୯ ଲକ୍ଷ ହିତାଧିକାରୀ ଅଛନ୍ତି। କିନ୍ତୁ ଏକଥା ଜାଣିନଥିବେ, ଏମାନଙ୍କ ଭିତରେ ଅଛନ୍ତି ୨୫ଲକ୍ଷ ଭୂତ ହିତାଧିକାରୀ। ଅର୍ଥାତ୍, ଅଯୋଗ୍ୟଙ୍କୁ ରାସନ କାର୍ଡ ଦିଆଯାଇଛି। ଆଉ ବର୍ଷ ବର୍ଷ ଧରି ଏହି ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଟଙ୍କା ହରିଲୁଟ ହେଉଛି। ପ୍ରଥମଥର ପାଇଁ ଯୋଗାଣ ମନ୍ତ୍ରୀ ପୂର୍ବ ସରକାରଙ୍କ ଚାଉଳ କେଳେଙ୍କାରୀ କଥା ସାମ୍ନାକୁ ଆଣିଛନ୍ତି । 

Advertisment
  • ବିଜେଡି ସରକାରଙ୍କ ବିରୋଧରେ କଳେଙ୍କାରୀ ଅଭିଯୋଗ
  • ପ୍ରଥମ ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ
  • ‘ମାଗଣା ଚାଉଳରେ ଶହ ଶହ କୋଟିର ଘୋଟାଲା’

ବିଜେଡି ସରକାର ଉପରେ ଦୁର୍ନୀତିର ପ୍ରଥମ ଦାଗ ଲଗାଇଛି ନୂଆ ସରକାର। ଶହ ଶହ କୋଟି ଟଙ୍କାର କଳେଙ୍କାରୀର ଅଭିଯୋଗ ଆଣିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚାଉଳ ବଣ୍ଟନରେ ବଡ ଧରଣର ଦୁର୍ନୀତି ଅଭିଯୋଗ ଆଣି ବିଜେଡି ସରକାରକୁ କାଠଗଡାକୁ ଟାଣିଛନ୍ତି । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି, ଆଉ ଆଗକୁ ଏ ସଂଖ୍ୟା ଆହୁରି ବଢ଼ିପାରେ ।

ତେବେ ଏହାର ଅର୍ଥ ହେଉଛି ମିଛ ହିତାଧିକାରୀଙ୍କ ନାଁରେ ଚାଉଳ ଉଠୁଛି, ଆଉ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ଲୁଟ ହୋଇଛି। ଅନ୍ୟପଟେ ଚଳିତ ମାସ ଶେଷ ସୁଦ୍ଧା ପ୍ରକୃତରେ କେତେ ଭୂତ ହିତାଧିକାରୀ ଅଛନ୍ତି, ସେନେଇ ଚିହ୍ନଟ ପ୍ରକ୍ରିୟା ଶେଷ ହେବ। ଜାଲି ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

  • ଭୂତ ଖାଉଥିଲେ କୋଟି କୋଟି ଟଙ୍କାର ଚାଉଳ
  • ବର୍ଷକୁ ୨ ହଜାର କୋଟିରୁ ଅଧିକ ଟଙ୍କାର ଘୋଟାଲା

ଯଦି ମନ୍ତ୍ରୀଙ୍କ କଥା ଅନୁଯାୟୀ ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇଛି, ତେବେ ମାସକୁ ଗୋଟିଏ କାର୍ଡରେ ହାରାହାରି ୨୫ କିଲୋ ଚାଉଳ ପାଉଛନ୍ତି। ଚାଉଳ କିଲୋ ୩୦ ଟଙ୍କା ହେଲେ ବର୍ଷକୁ ଘୋଟାଲା ୨ ହଜାର ୨୫୦ କୋଟି ହେବ। ପ୍ରଥମ ଥର ପାଇଁ ବିଜେଡି ସରକାର ବିରୋଧରେ ଏଭଳି ସଙ୍ଗୀନ ଓ ସାଂଘାତିକ ଅଭିଯୋଗ ଆଣିଛନ୍ତି ନୂଆ ସରକାର। ଯଦି ଅଭିଯୋଗ ସତ ହୋଇଥାଏ, ତାହେଲେ ସବୁବେଳେ ସ୍ୱଚ୍ଛ ଶାସନର ନାରା ଦେଇ ଆସୁଥିବା ବିଜେଡି କିପରି ଏହାକୁ ପ୍ରଶୟ ଦେଇ ଆସୁଥିଲା ଏହା ବଡ଼ ପ୍ରଶ୍ନ।

ସୂଚନାଯୋଗ୍ୟ ଯେ, ୨୦୧୩ରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟରେ ୩ କୋଟି ୨୬ ଲକ୍ଷ ହିତାଧିକାରୀ ରହିଥିବା ବେଳେ, ୨୦୧୮ରେ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ପାଖାପାଖି ୯ ଲକ୍ଷ ହିତାଧିକାରୀ ସିଧାସଳଖ ଲାଭ ପାଉଥିଲେ । ଏହି ଅବଧି ମଧ୍ୟରେ ପ୍ରତାପ ଦେବ, ସଂଜୟ ଦାସବର୍ମା, ସୂର୍ଯ୍ୟ ନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଅତନୁ ସବ୍ୟସାଚୀ ନାୟକ ଭଳି ବରିଷ୍ଠ ନେତାଙ୍କ ହାତରେ ଥିଲା ଖାଦ୍ୟ ଓ ଯୋଗାଣ ବିଭାଗ। ତେଣୁ ଏବେ ପ୍ରଶ୍ନ ଉଠୁଛି, ନୂଆ ସରକାର ଘୋଟାଲାର ଯେଉଁ ଅଭିଯୋଗ ଆଣୁଛନ୍ତି, ଯଦି ଏହା ସତ ହୋଇଥାଏ, ତେବେ ଏମାନେ କାହିଁକି ଆଖି ବୁଜି ଦେଇଥିଲେ। ଏବେ ସମସ୍ତଙ୍କ ନଜର, ଆଗକୁ ଭୂତ ହିତାଧିକାରୀ ନେଇ ଧରପଗଡ଼ ହେବ? ନା’ ମନ୍ତ୍ରୀଙ୍କ ବୟାନ କେବଳ ଗଣମାଧ୍ୟମରେ ସୀମିତ ରହିଯିବ ।