ପୁଅର ଜୀବନ ରକ୍ଷା ପାଇଁ ଭିକ ମାଗୁଛନ୍ତି ବାପା, ମାଆ । ସିନ୍ଦୁରର ସୁରକ୍ଷା ପାଇଁ ହାତ ପାତି ନେହୁରା ହେଉଛି ସ୍ତ୍ରୀ । ସରକାରୀ ସାହାଯ୍ୟ ଅପେକ୍ଷାରେ କୃଷ୍ଣଚନ୍ଦ୍ର ।

133

କନକ ବ୍ୟୁରୋ: ଗୋଟେ ପଟେ ବାପା, ମାଆ ଦୁଆର ଦୁଆର ବୋଲି ଭିକ ମାଗୁଛନ୍ତି । ଆଉ ଗୋଟେ ପଟେ ସ୍ତ୍ରୀ ନିଜ ସିନ୍ଦୁରର ସୁରକ୍ଷା ପାଇଁ ହାତ ପାତି ନେହୁରା ହେଉଛି । ସତରେ, ଘରର ରୋଜଗାରିଆ ପୁଅ ଯେବେ ରୋଗରେ ପଡେ, ଜୀବନ ଜିଇବାକୁ ସଂଘର୍ଷ କରେ,ସେତେବେଳେ ଏମିତି କିଛି,ଦାରୁଣ ଦୁଃଖର ଖବର ସାମ୍ନାକୁ ଆସେ ।

କୃଷ୍ଣଚନ୍ଦ୍ର ଭୂୟାଁ । ବାପା ମାଆଙ୍କ ଗୋଟିଏ ବୋଲି ଗଣ୍ଠିଧନ । ଆଉ ଘରର ରୋଜଗାରିଆ ପୁଅ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ତାଳସର ପଂଚାୟତରେ ଦିନେ ଯୋଗାଣ ସହାୟକ ଭାବେ କାମ କରୁଥିଲେ କୃଷ୍ଣଚନ୍ଦ୍ର । ହେଲେ ଶରୀରର ରୋଗ ଏବେ ତାଙ୍କୁ କରିଦେଇଛି ଶଯ୍ୟାଶାୟୀ । ଯକୃତ ରୋଗରେ ପଡି ଏବେ ଯନ୍ତ୍ରଣାରେ ବିତୁଛି ତାଙ୍କର ପ୍ରତିଟି ସମୟ ।

ଚାରିମାସ ତଳେ ହଠାତ୍ କୃଷ୍ଣଙ୍କ ଦେହ ଖରାପ ହେଲା । ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିବା ପରେ, ତାଙ୍କ ଲିଭର ପ୍ରାୟ ୭୦ ଭାଗ ଖରାପ ହେଇଯାଇଛି ବୋଲି ସେ ଜାଣିବାକୁ ପାଇଲେ । ବାସ, ତା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା । କୃଷ୍ଣଙ୍କ ଲିଭର ଟ୍ରାନ୍ସପ୍ଲାଂଟ ପାଇଁ ଏବେ ୩୦ ଲକ୍ଷ ଟଙ୍କା ଦରକାର । ହେଲେ ତେଲ ଲୁଣର ସଂସାର ଆଉ ୫ ହଜାର ଟଙ୍କା ଦରମା ଭିତରେ ଏତେ ଟଙ୍କା ସେ କୁଆଡୁ ଆଣିବେ, ତାକୁ ନେଇ ଚିନ୍ତାରେ ।

ରୋଜଗାରିଆ ପୁଅକୁ ରୋଗରୁ ଭଲ କରିବାକୁ ଏବେ ବାପା ମାଆ ଉଭୟ ଦୁଆର ଦୁଆର ବୁଲି ସାହାଯ୍ୟ ସଂଗ୍ରହରେ ଲାଗିପଡିଛନ୍ତି । ସାଙ୍ଗସାଥୀ ଆଉ ଗାଁ ଲୋକ ଯାହା କିଛି ସହାୟ ହେଉଛନ୍ତି, ସେଥିରେ କୃଷ୍ଣଙ୍କ ଚିକିତ୍ସା ହେବା କିନ୍ତୁ ଅସମ୍ଭବ । ତେଣୁ ଏଭଳି ସମୟରେ ରୋଗିଣା ପୁଅକୁ କେମିତି ଭଲ କରିବେ, ତାକୁ ଭାବି ଭାବି ବାପା ମା ଉଭୟଙ୍କ ଆଖରୁ ଲୁହ ଶୁଖୁନି ।

ସରକାର ଗରିବ ଗୁରୁବାଙ୍କ ସାହାଯ୍ୟ ପାଇଁ ଅନେକ ଯୋଜନା ଆଣୁଛନ୍ତି । ସ୍ୱାସ୍ଥ୍ୟ କାର୍ଡ ଦେଖାଇ, ଅନେକ ଲୋକ ସାହାଯ୍ୟ ସହାୟତା ପାଉଛନ୍ତି । ହେଲେ ଏବେ ବି କୃଷ୍ଣଙ୍କ ଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ସରକାରଙ୍କ ସେଇ ସାହାଯ୍ୟ ଟିକକ ପାଇବା ପାଇଁ ଅନେଇ ବସିଛନ୍ତି । ତେଣୁ ଯଦି କୃଷ୍ଣଙ୍କୁ ସରକାରୀ ସାହାଯ୍ୟ ଟିକେ ମିଳିପାରନ୍ତା । ତେବେ ସୁନନ୍ଦାଙ୍କ ସିନ୍ଦୁର ସୁରକ୍ଷିତ ରହିପାରନ୍ତା । ଏ ବାପା ମାଆଙ୍କୁ ତାଙ୍କ ପୁଅର ଜୀବନ ପୁଣି ମିଳିପାରନ୍ତା ।