ଜଙ୍ଗଲ ମୋ ଜୀବନ… ପେସାରେ ପ୍ରଭୁଙ୍କ ପୂଜକ, ନିଶାରେ ପରିବେଶ ପୂଜାରୀ । ଜଙ୍ଗଲ ପାଇଁ ଦେଲେଣି ଜୀବନର ୨୫ ବର୍ଷ

285

କନକ ବ୍ୟୁରୋ: ପେସାରେ ପୂଜକ, ନିଶାରେ ସେବକ । ଠାକୁରଙ୍କୁ ପୂଜା କରନ୍ତି, ଜଙ୍ଗଲର ସେବା କରନ୍ତି ଆଉ ତାକୁ ସୁରକ୍ଷା ଦିଅନ୍ତି । ଦୀର୍ଘ ୨୫ ବର୍ଷ ହେବ ସେ ଜଙ୍ଗଲ ପ୍ରେମରେ ପଡିଯାଇଛନ୍ତି । କି ଖରା କି ବର୍ଷା ଜଙ୍ଗଲ ଜଗିବା ତାଙ୍କର ନିତିଦିନିଆ କାମ ହୋଇଯାଇଛି । ଖାଲି ଜଙ୍ଗଲ ଜଗିବା ନୁହେଁ ଗଛ ଲଗାଇ ନୂଆ ଜଙ୍ଗଲ ସୃଷ୍ଟି କରିବାରେ ମଧ୍ୟ ସେ ନିଜକୁ ନିୟୋଜିତ ରଖିଛନ୍ତି । ତେବେ ଏପରି ଜଣେ ନିଆର ବ୍ୟକ୍ତି ହେଉଛନ୍ତି କୃପାସିନ୍ଧୁ । କେନ୍ଦୁଝର ବାଂଶପାଳ ବ୍ଲକ ତଳବିରିକଳା ଗାଁର ବୃକ୍ଷବନ୍ଧୁ ଭାବେ ଜଣାଶୁଣା କୃପାସିନ୍ଧୁ ଦାସ

ପେସାରେ ପୂଜକ ହୋଇଥିଲେ ବି ନିଶା ତାଙ୍କର ଜଙ୍ଗଲ ସୁରକ୍ଷା । ଗାଁର ଚାରିପଟେ ଭରି ରହିଥିବା ଜଙ୍ଗଲ ଆଉ ଜଙ୍ଗଲରେ ଥିବା ଶାଳ ପିଆଶାଳ ପରି ବହୁ ମୁଲ୍ୟବାନ ଗଛକୁ କାଠମାଫିଆଙ୍କ କବଳରୁ ରକ୍ଷା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି କୃପାସିନ୍ଧୁ । ସବୁଦିନ ସକାଳ ୯ଟା ସୁଦ୍ଧା ମନ୍ଦିରରେ ପୂଜାର୍ଚ୍ଚନା ସାରି ଟାଙ୍ଗିଆ ଧରି ଜଙ୍ଗଲକୁ ବାହାରି ଯାଆନ୍ତି କୃପାସିନ୍ଧୁ । ଖରା-ବର୍ଷା-ଶୀତ ବର୍ଷକ ୧୨ ମାସ ଜଙ୍ଗଲକୁ ସୁରକ୍ଷା ଦେଇଆସୁଛନ୍ତି ଏହି ବୃକ୍ଷବନ୍ଧୁ ।

ଦିନସାରା ଜଙ୍ଗଲ ସଫା କରିବା, ବଡଗଛ ନିକଟରୁ ଛୋଟ ଗଛ କାଟିବା ଏବଂ ଖାଲି ସ୍ଥାନରେ ନୂଆଗଛ ଲଗାଇବାରେ ବ୍ୟସ୍ତଥାନ୍ତି ଏହି କୃପାସିନ୍ଧୁ । ତେବେ ଜଙ୍ଗଲକୁ ଜୀବନ ଦେଇ ଭଲପାଉଥିବା ଆଉ ତାର ସୁରକ୍ଷା କଥା ଭାବୁଥିବା ଏ ବୃକ୍ଷବନ୍ଧୁ ନିଜ ଜୀବନର ୨୫ ବର୍ଷ ଜଙ୍ଗଲ ସେବାରେ ସାରି ଦେଲେଣି ।

ଖାଲି ସେତିକି ନୁହେଁ ପୋଡୁଚାଷ ପାଇଁ ବନାଂଚଳ ଲୋକ ଜଙ୍ଗଲ ପୋଡି ନଷ୍ଟ କରିଦେଉ ଥିବା ବେଳେ କୃପାସିନ୍ଧୁଙ୍କ ଉଦ୍ୟମ ପାଇଁ ସେହି ଅଂଚଳରେ ଏବେ ନୂତନ ଜଙ୍ଗଲ ସୃଷ୍ଟି ହୋଇଛି । ତେବେ କୃପାସିନ୍ଧୁଙ୍କ ଏପରି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଏଭଳି ପ୍ରୟାସ ପାଇଁ ତାଙ୍କୁ ସମସ୍ତେ ସାବାସୀ ଜଣାଇଛନ୍ତି ।