ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣ ଲୀଳା: ମନ ମୋହିଲା କାଳୀୟ ଦଳନ

64

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଂଚଳ ବରଗଡ ସହର । ମଥୁରା ନଗରୀ ମହାରାଜ କଂସ ବ୍ୟସ୍ତ ବିବ୍ରତ ଥିବା ବେଳେ ଗୋପପୁରରେ ଚାଲିଛି କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା । ଧନୁଯାତ୍ରାର ଷଷ୍ଠ ଦିନରେ ଆଜି ମଥୁରାରେ କୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିବେ ମହାରାଜ କଂସ । ବେନି ଭାଇଙ୍କୁ ମଥୁରାକୁ ନିମନ୍ତ୍ରଣ କରି ହତ୍ୟା କରିବା ପାଇଁ ଧନୁଯାତ୍ରା ମହୋତ୍ସବ ଘୋଷଣା କରିବେ । ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହେବ ।

ଗୋପପୁରରେ ନଟଖଟ କୃଷଙ୍କ ବାଲ୍ୟଲୀଳା । କେତେ ବେଳେ ଲହୁଣି ଚୋରି କରୁଛନ୍ତି ତ ଆଉ କେତେବେଳେ ଗୋପାଳଙ୍କ ସହ ବଣଭୋଜିରେ ମାତିଛନ୍ତି । ଲହୁଣି ଚୋରି ବେଳେ ଦିନେ ମା ଯଶୋଦାଙ୍କ ହାତରେ ଧରାପଡିଛନ୍ତି । ଏହାପରେ ଶ୍ରୀକୃଷ୍ଣଙ୍କ ମୁଖରେ ବିଶ୍ୱରୂପ ଦର୍ଶନ କରିଛନ୍ତି ମାଆ ଯଶୋଦା । ସେହିପରି ଯାମଳାର୍ଜୁନ ଭଂଜନ, କୃଷ୍ଣଙ୍କୁ ବ୍ରହ୍ମାଙ୍କ ଦ୍ୱାରା ମୋହିନୀ ବଂଶୀ ପ୍ରଦାନ, କାଳୀୟ ଦଳନ ଦୃଶ୍ୟ ଧନୁଯାତ୍ରାର ପଂଚମ ଦିନରେ ଅଭିନୀତ ହୋଇଛି ।

ସେପଟେ ମଥୁରା ନରେଶ ମହାରାଜ କଂସ ଦିଗବିଜୟରେ ବାହାରି ମଗଧ ଉପରେ ଆକ୍ରମଣ କରିଛନ୍ତି । ମଗଧ ରାଜା ଜରାସନ୍ଧଙ୍କୁ ପରାସ୍ତ କରି ତାଙ୍କ ଦୁଇ ଝିଅ ହେତି ଓ ପ୍ରହେତିଙ୍କୁ ବିବାହ କରିଛନ୍ତି । ଠିକ୍ ସେହି ସମୟରେ କାଳୀୟ ନାଗର ଦର୍ପ ଦଳନ ଖବର ଗୋପପୁରରୁ ଆସିଛି । ଏଥିରେ ବ୍ୟଥିତ ହୋଇ କୃଷ୍ଣ, ବଳରାମଙ୍କ ହତ୍ୟା କରିବାକୁ ପାଇଁ ଷଡଯନ୍ତ୍ର କରି ରଙ୍ଗ ସଭାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଜ କଂସ ।

ଧନୁ ଯାତ୍ରାର ଷଷ୍ଠ ଦିବସରେ ମଥୁରାରେ କୃଷ୍ଣ ବଳରାମଙ୍କ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତି । ନାରଦ ମୁନୀଙ୍କ ପ୍ରସ୍ତାବରେ ଧନୁଯାତ୍ରା ମହୋତ୍ସବ ଘୋଷଣା । ଅନ୍ୟପଟେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହେବ ।