ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ : ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସଂଧ୍ୟା ଧୂପ ପରେ ହେବ ମହାପ୍ରଭୁଙ୍କ କୃଷ୍ଣ ଜନ୍ମନୀତି

 ଭୁବନେଶ୍ୱର ରାମ ମନ୍ଦିର ଓ ଇସ୍କନରେ ସ୍ୱତନ୍ତ୍ର ପ୍ରସ୍ତୁତି

318

କନକ ବ୍ୟୁରୋ :ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଜନ୍ମନୀତି । ହେଲେ କରୋନା ମହାମାରୀ ପାଇଁ ଆଜି ବନ୍ଦ ରହିଛି ବଡ ଦେଉଳ । ହେଲେ ଶ୍ରଦ୍ଧାଳୁ ବାହାରେ ଦୀପ ଦାନ କରି ପୂଜାଚ୍ଚନା କରୁଥିବା ଦେଖିବାକୁ ମିଳିଛି । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁଅ ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୋଇଥାଏ । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି ।

ସେହିପରି ରାମ ମନ୍ଦିରରେ ଅନୁରୂପ ଭାବେ ଭକ୍ତଙ୍କୁ ପ୍ରବେଶ ଅନୁମତି ନାହିଁ । ଏଣୁ ମନ୍ଦିରରେ ପ୍ରତିବର୍ଷ ଭକ୍ତଙ୍କ ପାଇଁ ହେଉଥିବା ସ୍ବତନ୍ତ୍ର ପ୍ରସାଦ ଓ ଭୋଗ ଥାଳି ହେବ ନାହିଁ । କିନ୍ତୁ ମନ୍ଦିରର ଜନ୍ମାଷ୍ଟମୀ ସ୍ବତନ୍ତ୍ର ଧନିଆ ପଞ୍ଜୁରୀ ଭୋଗ ଭକ୍ତମାନଙ୍କୁ ଜନ୍ମଷ୍ଟମୀ ପର ଦିନ ନନ୍ଦୋତ୍ସବରେ ବଣ୍ଟନ କରାଯିବ । ଏନେଇ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଭୋର୍‌ ସାଢ଼େ ୫ଟାରୁ ମଙ୍ଗଳଆଳତି, ୭ଟାରେ ଶୃଙ୍ଗାର ଆଳତି ହୋଇଛି । ୧୨ଟାରୁ ଭୋଗ ଆଳତି ହୋଇ ମନ୍ଦିର ବନ୍ଦ ରହିବ । ଅପରାହ୍‌ଣ ସାଢ଼େ ୪ଟାରେ ମନ୍ଦିର ଖୋଲିବ । ସଂଧ୍ୟା ୭ଟାରେ ସଂଧ୍ୟା ଆଳତି ହେବ । ରାତି ୧୦ଟାରୁ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି କାର୍ଯ୍ୟକ୍ରମ ଓ ଭଜନ କୀର୍ତ୍ତନ ଆରମ୍ଭ ହୋଇଯିବ । ରାତି୧୨ଟାରେ ଅଭିଷେକ ଓ ପୁଷ୍ପାଞ୍ଜଳି ଭିତରେ ଶ୍ରୀକୃଷ୍ଣଙ୍କୁ ଧରାପୃଷ୍ଠକୁ ସ୍ବାଗତ କରାଯିବ ।
ସକାଳ ୪.୧୫ରୁ  ଇସ୍କନ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତୀ, ସକାଳ ସାଢ଼େ ୭ରେ ଦର୍ଶନ ଆଳତୀ ଗୁରୁ ପୂଜା, ୮ଟା ବେଳକୁ ଦର୍ଶନ ଆଳତୀ ହୋଇଛି । ମନ୍ଦିର ପରିସରର ଭକ୍ତ ଦର୍ଶନ କରିବା ସହ ସୁଗନ୍ଧିତ ଫୁଲରେ ପ୍ରଭୁଙ୍କୁ ସୁଶୋଭିତ କରିବେ । ସାଢ଼େ ୧୧ଟା ପରେ ପହୁଡ଼ ପଡ଼ିବ। ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । କିନ୍ତୁ ଦିନ ସାରା ଭଜନ କୀର୍ତ୍ତନ ଚାଲୁରହିବ । ସଂଧ୍ୟାରେ ମନ୍ଦିର ଖୋଲିବା ପରେ ସଂଧ୍ୟା ଆଳତୀ ଓ ଭଜନ କୀର୍ତ୍ତନ ପରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପ୍ରସ୍ତୁତି ଆରମ୍ଭ ହେବ। ମଧ୍ୟ ରାତ୍ରିରେ ଅର୍ଥାତ ରାତି ୧୨ଟାରେ ଅଭିଷେକ ଆରମ୍ଭ ହେବ ଓ ଭଗବାନଙ୍କ ଜନ୍ମ ଉତ୍ସବ ପାଳିତ ହେବ। ଭକ୍ତମାନେ ଏହା ପରେ ଉପାସ ଭାଙ୍ଗିବେ । ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ଫଳ ଭୋଗ ଲାଗି ହୁଏ ।