ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ମୁସଲିମ୍ ପକ୍ଷକୁ ଝଟକା । ହାଇକୋର୍ଟରେ ୧୫ ମାମଲାର ଏକାଠି ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ।

153

କନକ ବ୍ୟୁରୋ: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ମୁସଲିମ୍ ପକ୍ଷକୁ ବଡ ଝଟକା । ମଙ୍ଗଳବାର ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କରିବା ସହିତ, ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣି ଆଲ୍ଲାବାଦ୍ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସମସ୍ତ ମୋକଦ୍ଦମାର ବିଚାର ସାଙ୍ଗରେ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

କୃଷ୍ଣ ଜନ୍ମଭୂମି ମାମଲାରେ ଆହ୍ଲାବାଦ୍ ହାଇକୋର୍ଟ ୧୫ଟି ମୋକଦ୍ଦମାର ଏକା ସାଙ୍ଗରେ ବିଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ମୁସଲିମ୍ ପକ୍ଷ କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଇଥିଲେ । ହେଲେ ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷର ଏ ଆବେଦନକୁ ଖାରଜ କରିବା ସହିତ ଆହ୍ଲାବାଦ୍ କୋର୍ଟରେ ସମସ୍ତ ଆବେଦନର ଏକାଠି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଆଦେଶ ଦେଇ କହିଛନ୍ତି ଯେ, ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଆହ୍ୱାନ କରିଥିଲେ । ହେଲେ ସୁପ୍ରିମକୋର୍ଟ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ କାଏମ୍ ରଖିବା ସହିତ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହିନ୍ଦୁପକ୍ଷ ଉଚ୍ଚ ନ୍ୟାୟାଳୟରେ ଆବେଦନ କରି କହିଥିଲେ ଯେ, ୨୦୨୦ ମସିହା ସେପ୍ଟେମ୍ବର ୨୫ ତାରିଖରେ ମୋକଦ୍ଦମା ଦାୟର କରାଯିବା ପରେ, ୧୩.୩୭ ଏକର ଭୂମିକୁ ନେଇ ଅନ୍ୟ ମୋକଦ୍ଦମା ମଧ୍ୟ ଦାୟର କରାଯାଇଛି । ହାଇକୋର୍ଟ ଏହାପରେ ଆଦେଶ ଦେଇଥିଲେ ଯେ, ଏହି ସମସ୍ତ ମୋକଦ୍ଦମା ସମାନ ପ୍ରକାରର । ତେଣୁ ଏହାର ଶୁଣାଣି ଏକାଠି ହେଉ । ହେଲେ ଏହି ନିଷ୍ପତ୍ତିର ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ମୁସଲିମ୍ ପକ୍ଷ ।