କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ଭିତରେ ଜାରି ରହିଥିବା ଯୁଦ୍ଧ ବିଶ୍ୱଯୁଦ୍ଧର ରୂପ ନେବା ଆଶଙ୍କା ଦେଖା ଦେଇଛି । ୟୁକ୍ରେନକୁ ସାବାଡ୍ କରିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ନୂଆ ଋଣନୀତି । ୟୁକ୍ରେନ ଉପରେ ସାମରିକ ପତିଆରା ଜାହିର କରିବାକୁ ରାଷ୍ଟ୍ରପତି ପୁଟିନ୍ ତୟାର କରିଛନ୍ତି ବିଧ୍ୱଂସକ ଯୁଦ୍ଧ ପ୍ଲାନ । ନିଜ ସେନା ବଳକୁ ଆହୁରି ଅଧିକ ମଜବୁତ୍ କରିବା ସହ, ଆକ୍ରମଣାତ୍ମକ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି । ଅନ୍ୟ ପକ୍ଷରେ ଆମେରିକା, ପୋଲାଣ୍ଡ ଓ ନାଟୋ ଦେଶ ଗୁଡିକ ପକ୍ଷରୁ ୟୁକ୍ରେନ ସେନା ସହାୟତା ପାଇଁ ଘାତକ ଯୁଦ୍ଧାସ୍ତ୍ର ଗୁଡିକୁ ଏକଜୁଟ୍ କରିବାରେ ଲାଗିଛନ୍ତି ।

Advertisment

ଋଷ ୟୁକ୍ରେନ୍ ଯୁଦ୍ଧର କିଛି ନୂଆ ତଥ୍ୟ ହସ୍ତଗତ ହେଇଛି
ୟୁକ୍ରେନ୍ ଯୁଦ୍ଧ ପାଇଁ ନୂଆ ଯୁଦ୍ଧନୀତି ପ୍ରସ୍ତୁତ କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍
ଯୁଦ୍ଧ ନୀତି ବଦଳାଇବା ସହ କ୍ରେମଲିନ୍ ସେନାକୁ ଶକ୍ତିଶାଳୀ କରିବାକୁ ଗୁପ୍ତ ରଣନୀତି ତୟାର କରିଛନ୍ତି
ଋଷକୁ ଟକ୍କର ଦେବାକୁ ଏକାଠି ହେଇଛନ୍ତି ନାଟୋ ଦେଶର ମିଳିତ ସାମରିକ ଶକ୍ତି
ଆମେରିକା, ପୋଲାଣ୍ଡ ସମେତ ନାଟୋ ଦେଶର ଭୟଙ୍କର ଯୁଦ୍ଧାସ୍ତ୍ର ଗୁଡିକୁ ୟୁକ୍ରେନ୍ ସୀମାରେ ମୁତୟନ କରାଯାଉଛି
ଉଭୟ ପକ୍ଷରୁ ଏମିତି ଯୁଦ୍ଧ ପ୍ରସ୍ତୁତି ଯୁଦ୍ଧକୁ ଆହୁରି ଅଧିକ ବିସ୍ଫୋଟକ କରିବା ଆକଳନ କରାଯାଉଛି

ଋଷ ସେନା ବିପକ୍ଷରେ ୟୁକ୍ରେନ ସେନା ପକ୍ଷରୁ ବ୍ରିଟିଶ୍ ସେନା ଫ୍ରଂଟ ଲାଇନରେ ଯୁଦ୍ଧ ଲଢୁଥିବା କଥା ଏକ ମିଡିଆ ରିପୋର୍ଟ ଆଧାରରେ କୁହାଯାଉଛି । ଅନ୍ୟପଟରେ ସୋଲେଡର ଓ ବାଖ୍ମତ ଠାରେ ୟୁକ୍ରେନ ସେନାକୁ ଭୀଷଣ କ୍ଷତି ପହଁଚାଇଛି ଋଷ । ସୋଲେଡର ଅଂଚଳରେ ଞଷ ଓ ୟୁକ୍ରେନ ସେନା ଭିତରେ ଜବରଦସ୍ତ ଯୁଦ୍ଧ ଲାଗି ରହିଛି । ବଙ୍କର ଭିତରେ ଲୁଚି ରହିଥିବା ୟୁକ୍ରେନ ସୈନିକ ମାନଙ୍କ ଉପରେ ଘମାଘୋଟ ଫାୟାରିଂ କରିବାରେ ଲାଗିଛି ଋଷ ସେନା । ଏହି ଘଟଣାରେ ଅନେକ ୟୁକ୍ରେନ ସୈନ୍ୟ ମୃତାହତ ହେଇଥିବା କଥା ଆକଳନ କରାଯାଉଛି । ଋଷ ସେନା ଉପରେ ମଧ୍ୟ ପାଲଟା ଆକ୍ରମଣ କରି ଚାଲିଛି ୟୁକ୍ରେନ ସେନା । ବେଳକୁ ବେଳ ଉଭୟ ସେନା ଭିତରେ ଭୟଙ୍କର ହେବାରେ ଲାଗିଛି ଏହି ଆକ୍ରମଣ । ଏହି ସମୟରେ ବେଗନର ଗ୍ରୁପ ମୁଖ୍ୟଙ୍କ ଦାବୀ ଋଷ ସେନା ଆକ୍ରମଣରେ ଦୁଇ ଜଣ ବ୍ରିଟିଶ ସୈନ୍ୟ ମୃତ୍ୟୁବରଣ କରିଛନ୍ତି ।

ୟୁକ୍ରେନ ଯୁଦ୍ଧରେ ଋଷ ବିପକ୍ଷରେ ଲଢୁଥିବା ଆଣ୍ଡ୍ର୍ୟୁ ବେଗସବ୍ ଓ କ୍ରିଷ୍ଠୋଫର୍ ପେରି ନାମକ ଦୁଇ ଜଣ ବ୍ରିଟିଶ୍ ସୈନ୍ୟ ମୃତାହତ ହେଇଛନ୍ତି । ସେମାନଙ୍କ ନିକଟରୁ ବ୍ରିଟିଶ୍ ସେନା ପରିଚୟପତ୍ରର ପ୍ରମାଣ ମିଳିଛି । ସୋଲେଡର ଠାରେ ଋଷ ସେନାର ଭୀଷଣ ଆକ୍ରମଣ ଆଗରେ ପଛଘୁଂଚା ଦେବାଉରେ ଲାଗିଛି ୟୁକ୍ରେନ ସେନା । ସୋଲେଡର ଠାରେ ୟୁକ୍ରେନ ସେନା ଉପରେ ଋଷ ସେନାର ଜବରଦସ୍ତ ଆକ୍ରମଣ । ଏହି ଆକ୍ରମଣକୁ ପ୍ରତିହତ କରିବାକୁ ପାଲଟା ଆକ୍ରମଣ ଜାରି ରଖିଥିଲା ୟୁକ୍ରେନ ସେନା । ଖାଲି ୟୁକ୍ରେନ ସେନା କାହିଁକି ଏହି ଲଢେଇରେ ବ୍ରିଟିଶ୍ ସେନା ମଧ୍ୟ ସାମିଲ ହେଇଥିଲା । କିନ୍ତୁ ତାଜା ଖବର ମୁତାବକ ସୋଲେଡର ଅଂଚଳରୁ ପଛଘୁଂଚା ଦେବାରେ ଲାଗିଛି ୟୁକ୍ରେନ ସେନା ବାହିନୀ ।

ବିଳମ୍ବିତ ହେବାରେ ଲାଗିଛି ୟୁକ୍ରେନ ସହ ଯୁଦ୍ଧର ପରିଣାମ । ଦୀର୍ଘ ୧୦ ମାସ ପାଖାପାଖି ଜାରି ରହିଥିବା ଏହି ଯୁଦ୍ଧରେ ହାରିବା ଜିତିବାର ନିଣ୍ଣର୍୍ାୟକ ସ୍ଥିତି ଜାହିର କରି ପାରୁନି ଋଷ । ଏହି ଯୁଦ୍ଧ ଭିତରେ ଋଷର ସାମରିକ ଶକ୍ତି କମାଣକୁ ପରିବର୍ତନ କରିଛନ୍ତି । ଏହି ସମୟରେ ଜେନେରାଲ ଭେଲେରି ଗେରାସିମୋଭଙ୍କୁ ଋଷିଆର ଚିଫ୍ ଅଫ୍ ଦ ଜେନେରାଲ ଷ୍ଟାଫ୍ ଆର୍ମୀ ପଦରେ ନିଯୁକ୍ତି ଦିଆଯାଇଛି । ଏମିତି ଏକ ପଦକ୍ଷେପ ନେଇଛନ୍ତି ଖୋଦ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ୟୁକ୍ରେନର ସୋଲେଡର ଓ ବାଖମୁତ୍ ଅଂଚଳରେ ଅତ୍ୟନ୍ତ ଆକ୍ରୋଶ ଦେଖାଇବାରେ ଲାଗିଛି ଋଷ ସେନା । ଋଷ ସେନାର ଆକ୍ରମଣରେ ଭୀଷଣ କ୍ଷତି ସହିବାରେ ଲାଗିଛନ୍ତି ୟୁକ୍ରେନ ସେନା ।