କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସାରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ : ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ହେବ ଚିକିତ୍ସା

କୋଭିଡରେ ସଂକ୍ରମିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଚିକିତ୍ସାକୁ ଗୁରୁତ୍ୱ

115

କନକ ବ୍ୟୁରୋ : ଏଣିକି କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସାରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ସ୍ଥିତ ଆଦିତ୍ୟ ଅଶ୍ୱିନୀ ହସପିଟାଲରେ କରୋନା ସଂକ୍ରମିତ ହେଉଥିବା ଡାକ୍ତର ଓ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସା କରାଯିବ । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କରୋନା ରୋଗୀମାନଙ୍କୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କୋଭିଡ ଯୋଦ୍ଧାମାନେ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ନିଜ ଜୀବନକୁ ବିପଦରେ ପକାଇ ସେମାନେ କରୋନା ବିରୋଧୀ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ କରୋନା ଆକ୍ରାନ୍ତ ହେବା ପରେ ସେମାନେ ଡାକ୍ତରଖାନାରେ ଠିକ ସମୟରେ ଶଯ୍ୟା ପାଇପାରୁନାହାନ୍ତି । ଏହାଫଳରେ ସେମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଅଥବା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ୁଛନ୍ତି । ଏଣୁ କୋଭିଡ ଯୋଦ୍ଧାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ହସପିଟାଲର ବ୍ୟବସ୍ଥା କରିବାକୁ  ଓଡ଼ିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ପକ୍ଷରୁ ଦାବି ହୋଇଆସୁଥିଲା ।

ଆଇଏମଏର ଓଡ଼ିଶା ଚାପ୍ଟରର ତଥ୍ୟ ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୧୯ ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇସାରିଲେଣି ଓ ଶତାଧିକ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ତାଲିକାରେ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କ ସଂଖ୍ୟା ମିଶାଇଲେ ତାହା ଆହୁରି ଅଧିକ ହେବ । ସେହିପରି ଏପର୍ଯ୍ୟନ୍ତ ରାଜ୍ୟରେ ୬ ଜଣ ଆୟୁଷ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।