କୋଟିଆରେ ହେବ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ । ବିଜ୍ଞପ୍ତି ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ । 

118

କନକ ବ୍ୟୁରୋ: ଓଡିଶା-ଆନ୍ଧ୍ର ଭିତରେ ଚାଲିଥିବା କୋଟିଆ କଳି ଭିତରେ ଆସିଛି ବଡ ଖବର । କୋରାପୁଟ ଜିଲ୍ଲା କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ଓଡିଶା ଚଳାଇଛି ପ୍ରସ୍ତୁତି । ଏନେଇ ସୋମବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ମିଳିିଥିବା ସୂଚନା ମୁତାବକ, ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଆନ୍ଧ୍ରର ନିର୍ବାଚନ ସହ ଓଡିଶା ସରକାରଙ୍କର କୌଣସି ସମ୍ପର୍କ ନାହିଁ । ଓଡିଶାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୋଟିଆରେ ମଧ୍ୟ ହେବ । କୋଟିଆରେ ପଞ୍ଚାୟତ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଚାଲିଛି । ସେଠାରେ ୱାର୍ଡମେମ୍ବର, ସରପଞ୍ଚ, ଜିଲ୍ଲା ପରିଷଦ ସହିତ ସମିତି ସଭ୍ୟ ନିର୍ବାଚନ ହେବ ବୋଲି କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ କୁହାଯାଇଛି ।

ତେବେ ଗତକାଲି ଆନ୍ଧ୍ର ପ୍ରଦେଶ ସାଲୁର ଏକ ସରକାରୀ ଡିଗ୍ରୀ କଲେଜରେ କୋଟିଆ ପଞ୍ଚାୟତର ଭୋଟ ଗଣତି ହୋଇଥିଲା ।  ଓଡ଼ିଶାର ବିରୋଧ ସତ୍ତ୍ୱେ ଗତ ଏପ୍ରିଲ ୮ ତାରିଖରେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇ ପଦର ଏବଂ ନରଡିସୱାଲାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ବାଚନ କରାଯାଇଥିଲା । ଆନ୍ଧ୍ର ସୀମାରେ ରହୁଥିବା ଲୋକେ ଭୋଟ ଦେଇଥିବା ବେଳ ଓଡ଼ିଶାର ଅଧିକାଂଶ ଲୋକ ଭୋଟ ଦାନ କେନ୍ଦ୍ରକୁ  ଆସିନଥିଲେ । ହେଲେ  ଆନ୍ଧ୍ର ହାଇକୋର୍ଟର ଏକ ବେଞ୍ଚ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ପରେ ଆନ୍ଧ୍ର ହାଇକୋର୍ଟର ଏହି ନିଷ୍ପତ୍ତିର ପୁନଃ ବିଚାର କରି ଭୋଟ ଗଣତି କରିବାକୁ ନିର୍ଦ୍ଦେଶ ଦେବା ପରେ ଗତକାଲି ଭୋଟ ଗଣତି ଚାଲିଥିଲା । ଓଡ଼ିଶା ମାଟିରେ ଆନ୍ଧ୍ର ନିର୍ବାଚନ କରି ଭୋଟ ଗଣତି କରୁଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।  ଯାହାକୁ ନେଇ ସୀମାରେ ଚାପା ଉତେଜନା ଦେଖିବାକୁ ମିଳିଥିଲା । ଆଉ ଏବେ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ ।