କୋଟିଆ ମାମଲାରେ ଓଡ଼ିଶା ସହ ବିବାଦ ବଢ଼ାଉଛି ଆନ୍ଧ୍ର । ନିର୍ବାଚିତ ପ୍ରତିନିଧିଙ୍କୁ ବିପୁଳ ସ୍ୱାଗତ ।

66

କନକ ବ୍ୟୁରୋ : କୋଟିଆ ଘଟଣା ସମ୍ପର୍କରେ ଏକ ଅଭାବନୀୟ ଘଟଣା ଘଟିଛି । ଆନ୍ଧ୍ର କରିଥିବା ନିର୍ବାଚନରେ, କୋଟିଆରେ ନିର୍ବାଚିତ ପ୍ରତିନିଧି ମାନେ ଆନ୍ଧ୍ର ଯାଇ ଏକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ପ୍ରକୃତରେ ଆନ୍ଧ୍ର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ଏହି ଆୟୋଜନ କରାଯାଇଥିଲା । ଏଠାରେ ନିର୍ବାଚିତ ପ୍ରତିନିଧିଙ୍କୁ ଆନ୍ଧ୍ରର ଅଧିକାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ଆନ୍ଧ୍ର ବିଜୟାନଗରମର ଦୃଶ୍ୟ । ଓଡିଶାର କୋଟିଆରେ ଆନ୍ଧ୍ର ପକ୍ଷରୁ ଯେଉଁ ନିର୍ବାଚନ କରାଯାଇଥିଲା ଏମାନେ ହେଉଛନ୍ତି ସେହି ନିର୍ବାଚିତ ପ୍ରତିନିଧି । ସରପଂଚ, ଓ ମଣ୍ଡଳପରିଷଦ ସଦସ୍ୟ ଓ ସେମାନଙ୍କ ସମର୍ଥକମାନଙ୍କୁ ଏଠାରେ ସ୍ୱାଗତ କରାଯାଉଛି । ବିଜୟାନଗରମରେ ଏହି ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି । କାରଣ ଗତ କିଛି ଦିନ ହେଲା କୋଟିଆରେ ଆନ୍ଧ୍ର ଅଧିକାରୀଙ୍କୁ ପୂରାଇ ଦିଆଯାଉନାହିଁ । ସ୍ଥାନୀୟ ପ୍ରଶାସନ ଆନ୍ଧ୍ର ସରକାରଙ୍କ କୌଣସି କାର୍ଯ୍ୟକ୍ରମକୁ କରିବାକୁ ସୁଯୋଗ ଦେଉନାହିଁ । ତେଣୁ ବିଜୟାନଗରମରେ ଏହି ଆୟୋଜନ କରାଯାଇଛି ।

କୋଟିଆର ଫାଟୁସିନେରୀ, ଫଗୁଣସିନେରୀ ଓ ଗଂଜେଇପଦର ଅଂଚଳରେ ଗତ କିଛିଦିନ ମଧ୍ୟରେ ଆନ୍ଧ୍ରର କୌଣସି କାର୍ଯ୍ୟକ୍ରମ ହୋଇପାରିନାହିଁ । ଆଉ ଏହା ପଛରେ ରହିଛି ଜନପ୍ରତିନିଧି, ପୁଲିସ ଓ ପ୍ରଶାସନର ଦୃଢ ପଦକ୍ଷେପ । କୁହାଯାଉଛି ଏଥିରେ ଆନ୍ଧ୍ର ଅଧିକାରୀମାନେ ବ୍ୟସ୍ତ ହୋଇପଡିଛନ୍ତି ।

ବିଜୟାନଗରମରେ ଏକାଠି ହୋଇଥିବା କୋଟିଆର ଆନ୍ଧ୍ର ନିର୍ବାଚିତ ପ୍ରତିନିଧି ଓ ସମର୍ଥକଙ୍କ କହିବା କଥା ହେଲା, ସମ୍ପୃକ୍ତ ଅଂଚଳରେ ଯେଭଳି ଆନ୍ଧ୍ରର କାର୍ଯ୍ୟକ୍ରମ ଆଗକୁ ବଢିପାରିବ ସେ ନେଇ ପଦକ୍ଷେପ ନିଆଯାଉ । ଏହି ଦାବିରେ ସେମାନେ ବିଜୟାନଗରମ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି । ଆନ୍ଧ୍ର ସମର୍ଥକ, ଆନ୍ଧ୍ର ଦ୍ୱାରା ନିର୍ବାଚିତ ସରପଂଚ ଓ ସମିତି ସଭ୍ୟକୁ ସାହାସୀ ବୋଲି ଦର୍ଶାଇଛନ୍ତି ।

ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପରେ କୋଟିଆରେ ଓଡିଶା ପଞ୍ଚାୟତ ନିର୍ବାଚନ କରିବାକୁ ଅଣ୍ଟାଭିଡିଛି । ଆଉ ଏବେ କୋଟିଆରେ ଥିବା କିଛି ଲୋକଙ୍କୁ ଉସକାଇ ଏକପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଆନ୍ଧ୍ର ଅଧିକାରୀ ଉଦ୍ୟମ କରୁଛନ୍ତି ଭଳି ମନେହଉଛି । ଓଡିଶାର ସୀମାନ୍ତ ଗାଁ ଲୋକଙ୍କୁ ନେଇ ପଡୋଶୀର ଏଭଳି ଚାଲ ଓଡିଶା ସରକାର ଓ କୋରାପୁଟ ପ୍ରଶାସନ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି । ଆନ୍ଧ୍ରର ଏଭଳି ଉଦ୍ୟମକୁ ମୁକାବିଲା କରିବାକୁୁ ପ୍ର୍ରଶାସନ ପ୍ରସ୍ତୁତ ହେଉଥିବା କୁହାଯାଉଛି ।