କୋଟିଆବାସୀଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରି ଚାଷ । ଚାଷୀଙ୍କୁ ସହଯୋଗର ହାତ ବଢାଇଛି କୋରାପୁଟ ଆଇଟିଡିଏ ।

110

କନକ ବ୍ୟୁରୋ : କୋଟିଆବାସୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଜିଲ୍ଳା ପ୍ରଶାସନର ଆଉ ଏକ ପଦକ୍ଷେପ । ପାହାଡ଼ ପର୍ବତ ଘେରା କୋରାପୁଟ ଜିଲ୍ଲାର କୋଟିଆରେ ଏବେ ଷ୍ଟ୍ରବେରୀ ଚାଷ କରୁଛନ୍ତି ଚାଷୀ । ଆଉ ଚାଷୀଙ୍କୁ ସହଯୋଗର ହାତବଢାଇଛି କୋରାପୁଟ ଆଇଟିଡ଼ିଏ । ସାଧାରଣତଃ ବଜାରରେ ମିଳୁଥିବା ଷ୍ଟ୍ରବେରି ଅନ୍ୟ ରାଜ୍ୟରୁ ଆସୁଥିବା ଦେଖିବାକୁ ମିଳୁଥିଲା । କିନ୍ତୁ କୋରାପୁଟ ଜିଲ୍ଲା କୋଟିଆର ପାହାଡ଼ିଆ ପରିବେଶରେ ଏହି ଚାଷ ଏବେ ଭଲ ହେଇଛି । ନୂଆ ପ୍ରଜାତିର ଚାଷ କରିଥିବାରୁ ଚାଷୀ ବେଶ ଖୁସି ଅନୁଭବ କରୁଛନ୍ତି । ଆଉ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଜୀବନ ଧାରଣରେ ପରିବର୍ତନ ଆଣିବା ପାଇଁ କୋରାପୁଟ ଆଇଟିଡ଼ିଏ ପକ୍ଷରୁ ନୂତନ ପ୍ରକାର ଚାଷ ପ୍ରଣାଳୀ ବିଷୟରେ ଲୋକଙ୍କୁ ତାଲିମ ଦିଆଯାଉଛି । ଏଥିରେ ମଧ୍ୟ ଚାଷୀଙ୍କୁ ସଫଳତା ମିଳିଛି ।

କୋଟିଆବାସୀଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରି ଚାଷ । ଚାଷୀଙ୍କୁ ସହଯୋଗର ହାତ ବଢାଇଛି କୋରାପୁଟ ଆଇଟିଡିଏ । ଷ୍ଟ୍ରବେରୀ.. ଏହି ଫଳ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସେତିକି ସ୍ୱାସ୍ଥ୍ର୍ୟକର । ଆଉ ଏହି ଚାଷକୁ ଏବେ ଆପଣାଇଛନ୍ତି କୋରାପୁଟ ଜିଲ୍ଲାର କୋଟିଆବାସୀ । ଲାଲ ଟହ ଟହ ପାଚିଲା ଷ୍ଟ୍ରବେରି ଫଳରେ ହସୁଛି କୋଟିଆବାସୀଙ୍କ କ୍ଷେତ । ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ସେତିକି ମିଠା । ବଜାରରେ ଅଧିକ ଦାମରେ ବିକ୍ରି ହେଉଥିବା ଏହି ଫଳ ଏବେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ଷ୍ଟଲରେ ଶସ୍ତା ଦରରେ ବିକ୍ରି କରାଯାଉଛି । ୨୦୦ ଗ୍ରାମର ଏହି ପ୍ୟାକେଟକୁ ୧୦୦ ଟଙ୍କା ହିସାବରେ ବିକ୍ରି କରାଯାଉଛି । ଏହି ଫଳ କୌଣସି ବାହାର ରାଜ୍ୟ କିମ୍ବା ବାହାର ଜିଲ୍ଲାରୁ ଆସିନାହିଁ, ଏହା କୋରାପୁଟ ଜିଲ୍ଲା କୋଟିଆବାସୀଙ୍କ ପରିଶ୍ରମର ଫଳ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ଚାଷ କରୁଛନ୍ତି କୋଟିଆବାସୀ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଷ୍ଟଲରେ ଏହି ଫଳକୁ ନିଜେ କୋଟିଆବାସୀ ବିକ୍ରୟ କରୁଛନ୍ତି । ବଜାରରେ ଏହାର ଚାହିଦା ଅଧିକ ରହିଥିବାରୁ ଆଗକୁ ଆହୁରି ଅଧିକ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଚାଷୀ ।

କୋଟିଆକୁ ନେଇ ସାରା ରାଜ୍ୟରେ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ପାହାଡ଼ ଉପରେ ରହିଥିବା କୋଟିଆବାସୀଙ୍କ ଜୀବନ ଜୀବିକା କେବଳ ପାହାଡ଼ରୁ ମିଳୁଥିବା ଝାଡ଼ୁ ଓ ତେନ୍ତୁଳି ଉପରେ ନିର୍ଭର ଥିଲା । ଏବେ କୋଟିଆରେ ଷ୍ଟ୍ରବେରି ଚାଷ କରିବା ପାଇଁ ସହଯୋଗର ହାତ ବଢ଼ାଇଛି କୋରାପୁଟ ଆଇଟିଡ଼ିଏ । କୋଟିଆ ପଞ୍ଚାୟତର ଡ଼ୋଲିଆମ୍ବ ଗ୍ରାମପୁଞ୍ଜରେ ୧୦ ଏକର ପାହାଡ଼ିଆ ଜମିରେ ଷ୍ଟ୍ରବେରି ଚାଷ କରିଥିଲେ ଚାଷୀ । ଏହି ଜମିରେ ପାଖାପାଖି ୫୦ ହଜାର ଷ୍ଟ୍ରବେରି ଚାରା ଲାଗିଥିଲା । କୋଟିଆ ପଞ୍ଚାୟତର ଡ଼ୋଲିଆମ୍ବ ଗ୍ରାମବାସୀ ନିଜେ ଚାଷ ଏହିି ଲଗାଇଥିଲେ । ଏବେ ଫଳ ତୋଳିବା ଆରମ୍ଭ ହୋଇଥିବା ବେଳେ ଏଥିରୁ ୨୦ ଟନରୁ ଅଧିକା ଷ୍ଟ୍ରବେରି ଅମଳ ଅମଳ ହେବ ବୋଲି ଆଶା ରହିଛି । ତାକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୀ କରିବା ପାଇଁ ଜିଲ୍ଳା ପ୍ରଶାସନ ନିଷ୍ପତି ନେଇଛି । ଆଗକୁ କୋଟିଆର ଅନ୍ୟ ଗ୍ରାମପୁଞ୍ଜରେ ମଧ୍ୟ ଏଭଳି ଚାଷ କରିବା ପାଇଁ ମାଟି ପରୀକ୍ଷା ଚାଲିଛି ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ।

ସାଧାରଣତଃ ଷ୍ଟ୍ରବେରୀ ଏକ ସ୍ୱାସ୍ଥ୍ୟ ଉପଯୋଗୀ ଫଳ । ଏହି ଫଳରୁ ଏକାଧାରରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଫାଇବର, ଅନେକ ପ୍ରକାରର ଭିଟାମିନ୍ସ ଏବଂ ମିନେରାଲ୍ସ ମିଳିଥାଏ । ବଜାରରେ ପ୍ରାୟ ସବୁ ସମୟରେ ଏହି ଫଳ ଉପଲବ୍ଧ ହେଉଥିବା ବେଳେ ଏଥିରୁ ପ୍ରସ୍ତୁତ ଜାମ, ଜୁସ୍, ଆଇସକ୍ରିମ୍, ମିଲ୍କସେକ୍ ଏବଂ ଚକୋଲେଟ୍ ଲୋକେ ବ୍ୟବହାର କରିଥାଆନ୍ତି । ଏଭଳି ଏକ ବ୍ୟୟବହୁଳ ଚାଷକୁ ଆପଣାଇଥିବାରୁ କୋଟିଆବାସୀଙ୍କ ଆର୍ଥିକ ସ୍ଥିତି ଆଗକୁ ଆହୁରି ସୁଦୃଢ ହେବ ବୋଲି କୁହାଯାଉଛି ।