ସୁପ୍ରିମକୋର୍ଟରେ କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କଲା ଓଡିଶା; ଆଜି ହୋଇପାରେ ମାମଲାର ଶୁଣାଣି

 ସ୍ଥିତାବସ୍ଥା ବଜାୟ ପାଇଁ ସର୍ବୋଚ୍ଚ ଅଦାଲତଙ୍କ ୨୦୦୬ର ନିର୍ଦ୍ଦେଶକୁ ମାନୁନି ଆନ୍ଧ୍ର

159

କନକ ବ୍ୟୁରୋ : କୋଟିଆ ସୀମା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର । କୋଟିଆ ମାମଲାକୁ ନେଇ  ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଓଡିଶା ଦାଏର କରିଛି  ଅଦାଲତ ଅବମାନନା ମାମଲା । କୋଟିଆରେ ଆନ୍ଧ୍ରର ନିର୍ବାଚନ ପଦକ୍ଷେପ ସୁପ୍ରିମକୋର୍ଟଙ୍କ ନିଷ୍ପତିର ଉଲଂଘନ ଦର୍ଶାଇ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାର ପିଟିସନ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଦାଏର କରିଥିବା ଏହି ମାମଲାରେ , ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ, ବିଜୟ ନଗରମ୍ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କର୍ତୃପକ୍ଷ ଡକ୍ଟର ଏମ.ଏଚ ଜୱାହରଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ପକ୍ଷଭୁକ୍ତ କରାଯାଇଛି । ସୁପ୍ରିମକୋର୍ଟରେ ଆଜି ଏହି ମାମଲାର ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତା ୧୩ ଓ ୧୭ ତାରିଖରେ କୋଟିଆର ତିନୋଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ଘୋଷଣା କରିଛନ୍ତି । ସେଥିପାଇଁ ଏହି ମାମଲାର ତ୍ୱରିତ ଶୁଣାଣି ହୋଇପାରେ ।

ଓଡିଶା ସରକାରଙ୍କ ପକ୍ଷରୁ ଦାଏର ହୋଇଥିବା ମାମଲାରେ ଦର୍ଶାଯାଇଛି,  ୧୯୬୮ ମସିହା ଡିସେମ୍ୱର ୨ ତାରିଖ ଏବଂ ୨୦୦୬ ମାର୍ଚ ୩୦ ତାରିଖରେ ଆସିଥିବା ରାୟକୁ ଏବେ ଆନ୍ଧ୍ର ସରକାର ଉଲଂଘନ କରୁଛନ୍ତି । ୧୯୬୮ରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଥିଲା ସୁପ୍ରିମକୋର୍ଟଙ୍କର । ୨୦୦୬ ମସିହାର ଶୁଣାଣିରେ ପୂର୍ଣ୍ଣାଙ୍ଗ ରାୟରେ ସ୍ଥିତାବସ୍ଥା ବଜାୟ ପାଇଁ କହିଥିଲେ ସର୍ବୋଚ୍ଚ ଅଦାଲତ । ଏହାକୁ ପାଳନ ନକରି ବର୍ତମାନ ଆନ୍ଧ୍ର ଓଡିଶା ସୀମାନ୍ତ ଗାଁ କୋଟିଆରେ ନିର୍ବାଚନ କରିବାକୁ ଯାଉଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛନ୍ତି ରାଜ୍ୟ ସରକାର ।