କୋଟିଆ ନେଇ ଆଜି କୋରାପୁଟରେ ବସୁଛି ସର୍ବଦଳୀୟ ବୈଠକ : ନବୀନ-ଜଗନଙ୍କ ଆଲୋଚନା ପରେ ପରବର୍ତ୍ତୀ ରଣନୀତି ନେଇ ହେବ ଆଲୋଚନା

ଭୁବନେଶ୍ୱରର ବୈଠକ ଚାଲିଥିବାବେଳେ କୋଟିଆରେ ଗ୍ରାମସଭା କରୁଥିଲା ଆନ୍ଧ୍ର

85

କନକ ବ୍ୟୁରୋ : କୋଟିଆ ପାଇଁ ସର୍ବଦଳୀୟ ବୈଠକ । କୋଟିଆ ସମସ୍ୟାର ସମାଧାନ ଲାଗି ଭୁବନେଶ୍ୱରରରେ ନବୀନ ପଟ୍ଟନାୟକ-ଜଗନ ରେଡ୍ଡି ଗତକାଲି ଆଲୋଚନା କରିଥିଲେ । ଏହା ପରେ ଆଗାମୀ ରଣନୀତି ନେଇ ଆଜି କୋରାପୁଟରେ ଏହି ବୈଠକ ବସୁଛି । ବିଜେଡି ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହି ବୈଠକ ଡାକିଛନ୍ତି । ମଙ୍ଗଳବାରଦିନ ଭୁବନେଶ୍ୱରରେ ବୈଠକ କରୁଥିବାବେଳେ କୋଟିଆରେ ଅନୁପ୍ରବେଶ ଜାରି ରଖିଛନ୍ତି ଆନ୍ଧ୍ର ଅଧିକାରୀ । କୋଟିଆରେ ଅନୁପ୍ରବେଶ କରି ଗ୍ରାମସଭା କରିଛନ୍ତି । ଧୁଳିପଦର ଠାରେ ଗ୍ରାମସଭା ହୋିଛି । ଏଠାରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଭା କରି ଲୋକଙ୍କୁ ବୁଝାଇଛନ୍ତି ।

ସୋମବାର ନବୀନ ଓ ଜଗନଙ୍କ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ଜଳ ସମ୍ପଦ ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି । କିଭଳି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ କରାଯିବ ସେନେଇ ଆଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟ । ବିଶେଷ କରି କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହି ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ନେରେଡି ବ୍ୟାରେଜ୍, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ୍‌, ବହୁଡ଼ା ନଦୀ ପାଇଁ ଜଳ ନିଷ୍କାସନ ଆଦି ପ୍ରସଙ୍ଗରେ ଥିବା ବିବାଦକୁ ସମାଧାନ ପାଇଁ ଉଭୟ ରାଜ୍ୟ ମିଳିତ ଭାବେ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲେ ।