କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଂଚାୟତର ୨୧ଟି ଗାଁରେ ନିର୍ବାଚନ କରୁଛି ଆନ୍ଧ୍ର । ଏହି ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ଆଜି ମାମଲାର ଶୁଣାଣି ହୋଇଛି । ତେବେ ଶୁଣାଣି ସମୟରେ ଆନ୍ଧ୍ର ସରକାରଙ୍କ ଓକିଲ, କହିଛନ୍ତି ନିର୍ବାଚନ ହେଉଥିବା ଗାଁ ଗୁଡିକ ଆନ୍ଧ୍ରରେ ଅଛି । ଏପରିକି ଏହାର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଏହି ଗାଁଗୁଡିକରେ ନିର୍ବାଚନ ହୋଇଛି ବୋଲି ଆନ୍ଧ୍ର ଯୁକ୍ତି ବାଢ଼ିଛି ।

Advertisment

କୋଟିଆ ଗ୍ରାମ ପଂଚାୟତର ଯେଉଁ ଗାଁଗୁଡିକରେ ନିର୍ବାଚନ କରାଯାଉଛି, ସେହି ଗାଁଗୁଡିକ ଓଡ଼ିଶାରେ ନୁହେଁ, ଆନ୍ଧ୍ରପ୍ରଦେଶରେ ଅଛି ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଆନ୍ଧ୍ର ସରକାର । ଏହି ଘଟଣା ପରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଆଉ ଏକ ପାଦ ଆଗକୁ ବଢ଼ିଛି ।

ଆନ୍ଧ୍ରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ
ଆସନ୍ତା ଶୁକ୍ରବାର ହେବ ପରବର୍ତ୍ତୀ ଶୁଣାଣି

ସୀମାନ୍ତରେ ଥିବା ଏହି ଗାଁଗୁଡିକ ଉପରେ ଦୁଇ ଦୁଇ ଥର ସ୍ଥିତାବସ୍ଥା ବଜାୟ ରଖିବାକୁ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକୁ ଆନ୍ଧ୍ର ଅବମାନନା କରିଥିବା ନେଇ ପିଟିସିନରେ ଦର୍ଶାଇଛି ଓଡ଼ିଶା । ଏହାର ବିଚାର କରି ଆନ୍ଧ୍ର ସରକାରଙ୍କୁ ନୋଟିସ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖ ଅର୍ଥାତ ଶୁକ୍ରବାର ଦିନ ହେବ । ଆନ୍ଧ୍ର ଯଦି ଉପଯୁକ୍ତ ପ୍ରମାଣ ଓ ତଥ୍ୟ ଉପସ୍ଥାପନ କରିପାରିବ ନାହିଁ, ତେବେ ଅଦାଲତ ଅବମାନନାରେ ଛନ୍ଦି ହେବା ସମ୍ଭାବନା ରହିଛି ।

ଆସନ୍ତା ଶୁକ୍ରବାର ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ । ସେତେବେଳେ କିନ୍ତୁ ଓଡ଼ିଶା ଗାଁରେ ଆନ୍ଧ୍ରର ନିର୍ବାଚନ ସରି ଯାଇଥିବ । ଏ ସଂକ୍ରାନ୍ତରେ ଅନୁଭବି ଓକିଲମାନେ କହିଛନ୍ତି, ଯଦି ଆନ୍ଧ୍ର ସରକାର ଉପଯୁକ୍ତ ପ୍ରମାଣ ନଦେଇ ପାରିବେ, ତେବେ ସେହି ଅଂଚଳରେ ନିର୍ବାଚନ ଅସିଦ୍ଧ ଘୋଷଣା ହୋଇପାରେ ।