କୋଟିଆ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଲେ ବିରୋଧୀ । କହିଲେ, ଦିନକୁ ଦିନ ସଙ୍କୁଚିତ ହେଉଛି ଓଡିଶା ସୀମା ।

52

କନକ ବ୍ୟୁରୋ: କୋରାପୁଟ କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । କିନ୍ତୁ ଏହା ଭିତରେ ପୂର୍ବ ଯୋଜନା ମୁତାବକ କୋଟିଆରେ ନିର୍ବାଚନ ଶେଷ କରିଛି ଆନ୍ଧ୍ର । ଏହାକୁ ନେଇ ଆଜି ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗକୁ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ସୀମା ଅତିକ୍ରମକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟପଟେ କୋରାପୁଟ କୋଟିଆର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ମଧ୍ୟ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପ୍ରତ୍ୟେକ ଗାଁକୁ ପୋଷ୍ୟ ଗ୍ରାମ୍ୟ ରୂପେ ପ୍ରଶାସନିକ ଅଧିକାରୀମାନେ ଗ୍ରହଣ କରିବେ ।

ଦିନକୁ ଦିନ ସଂଙ୍କୁଚିତ ହେଉଛି ଓଡ଼ିଶା ସୀମା । ଷଢ଼େଇକଳା, ଖରସୁଆଁ ପରେ ଓଡିଶା ଆନ୍ଧ୍ର ସୀମାରେ ଥିବା କୋଟିଆ ଏବେ ହାତରୁ ଖସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଧାନସଭାରେ ମୂଲତବୀ ପ୍ରସ୍ତାବ ଆଲୋଚନାବେଳେ ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ରାଜ୍ୟ ସରକାର କୋଟିଆ ସମେତ ସୀମାବର୍ତ୍ତୀ ଗାଁରେ ମୌଳିକ ସୁବିଧା ପହଁଚାଇବାରେ ବିଫଳ ହୋଇଛନ୍ତି । କିନ୍ତୁ ଆନ୍ଧ୍ର ବିଭିନ୍ନ ସ୍କିମ କରି ଲୋକଙ୍କୁ ସୁବିଧା ଯୋଗାଉଛି, ଫଳରେ ଲୋକ ଆନ୍ଧ୍ର ଆଡକୁୁ ଢ଼ଳୁଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି, ଓଡିଶାର ମାଟିକୁ ଆନ୍ଧ୍ର ମାଡି ବସୁଥିବାବେଳେ ସରକାର କଣ କରୁଛନ୍ତି? କୋଟିଆ ପାଇଁ ସର୍ବଦଳୀୟ ବୈଠକ ଡାକନ୍ତୁ ମୁଖ୍ୟମନ୍ତ୍ରୀ।

ଏହାରି ଭିତରେ ସୀମା ବିବାଦ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । କହିଛନ୍ତି, କୋରାପୁଟ ସମେତ ଅନ୍ୟ ୬ଟି ଜିଲ୍ଲାରେ ସୀମା ବିବାଦ ଲାଗି ରହିଛି । କୋରାପୁଟ କୋଟିଆ ବିବାଦ ସୁପ୍ରିମକୋର୍ଟରେ ରହିଛି । ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅବମାନନା କରି ନିର୍ବାଚନ କରିଛି । ହେଲେ କୌଣସି ପଡୋଶୀ ରାଜ୍ୟର ସୀମା ଅତିକ୍ରମଣକୁ ବରଦାସ୍ତ କରାଯିବ ନାହିଁ ।

କୋଟିଆକୁ କବଜା କରିବାକୁ ଆନ୍ଧ୍ର ଚକ୍ରାନ୍ତ ଚଳାଇଥିଲେ ମଧ୍ୟ ଏହାକୁ ମୁକାବିଲା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛି କୋରାପୁଟ ଜିଲ୍ଳାପ୍ରଶାସନ । କୋଟିଆର ବିକାଶ କାମକୁ ଜୋରଦାର କରିବା ପାଇଁ ପ୍ରତ୍ୟେକ ବିଭାଗର ଜିଲ୍ଳା ଅଧିକାରୀ କୋଟିଆ ଗ୍ରାମ ପୁଞ୍ଜର ଗୋଟିଏ ଗୋଟିଏ ଗାଁକୁ ପୋଷ୍ୟଗ୍ରାମ୍ୟ ରୂପେ ଗ୍ରହଣ କରିବାକୁ ଯୋଜନା ହୋଇଛି । କୋଟିଆକୁ ନେଇ ଆଗକୁ ମାମଲା ଲମ୍ବା ଚାଲିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ କୋଟିଆବାସୀଙ୍କ ବିକାଶ ସହ ସୀମାବର୍ତୀ ଅନ୍ୟ ଗାଁ ଗୁଡିକର ବିକାଶ ରାଜ୍ୟ ସରକାରଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।