କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ଭିତରେ ଟଣାଓଟରା । ଆନ୍ଧ୍ରର ବିକାଶର ବେଗ ଆଗରେ ପଛରେ ପଡିଯିବନି ତ ଓଡିଶାର କଚ୍ଛପ ଗତି ?

71

କନକ ବ୍ୟୁରୋ : ସୀମା ବିବାଦକୁ ନେଇ କୋଟିଆ ଚର୍ଚ୍ଚା ଥମିବାର ନାଁ ଧରୁନି । ଗୁଲାବ ବାତ୍ୟାର ଆକଳନ ସାଙ୍ଗକୁ କୋଟିଆ ଗ୍ରାମ ପୁଂଜରେ ଲାଗିଥିବା ଫଳକକୁ ନେଇ ପୁଣି ଟଣାଓଟରା ଆରମ୍ଭ ହୋଇଛି । ଓଡିଶା-ଆନ୍ଧ୍ର ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଛକାପଂଝା ଚାଲିଛି । ଆଉ ଏହାରି ଭିତରେ କୋଟିଆର ବିକାଶ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି ।

ଗୁଲାବ କ୍ଷୟକ୍ଷତି ଆକଳନକୁ ନେଇ ଟଣାଓଟରା । କୋଟିଆ କ୍ଷତିର ଆକଳନ କଲେ ଓଡିଶା ଓ ଆନ୍ଧ୍ର ଅଧିକାରୀ । ଆନ୍ଧ୍ର-ଓଡିଶା ଅଧିକାରୀଙ୍କ ଟଣାଓଟରା ଭିତରେ ବାତ୍ୟା ଗୁଲାବ କ୍ଷୟକ୍ଷତିର ଆକଳନ ହୋଇଛି । କୋରାପୁଟ ଜିଲ୍ଳା ପ୍ରଶାସନ ଓ ଆନ୍ଧ୍ର ଅଧିକାରୀ କୋଟିଆ କ୍ଷୟକ୍ଷତିର ଆକଳନ କରିଛନ୍ତି । କିନ୍ତୁ ବିଡମ୍ବନା ଏହା ଯେ, କୋରାପୁଟ ଅଧିକାରୀ କ୍ଷୟକ୍ଷତି ରିପୋର୍ଟ ଦେବା ପୂର୍ବରୁ ଆନ୍ଧ୍ର ଅଧିକାରୀ ତାଙ୍କ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି । ତେବେ ଏବେ ଅପେକ୍ଷା କିଏ ଏବଂ କିପରି ବାତ୍ୟା ପ୍ରଭାବିତ କୋଟିଆର ବିକାଶ କରୁଛି । କାରଣ ବାତ୍ୟା ପ୍ରଭାବରେ କୋଟିଆର ଅନେକ ସ୍ଥାନରେ ବ୍ରିଜ୍ ଭାଙ୍ଗିଯିବା ସହ କେତେକ ଗାଁର ମାଟି ଘର ମଧ୍ୟ ଭାଙ୍ଗିଯାଇଛି ।

କୋଟିଆରେ ୨ଟି ଭାଷାକୁ ନେଇ ଛକାପଂଝା । ଫଳକରେ ଓଡ଼ିଆ ଓ ତେଲଗୁ ଲେଖାକୁ ନେଇ ବିବାଦ । ସେତିକିରେ ସୀମିତ ରହିନାହିଁ କୋଟିଆ କଳା । ଫଳକ ଲେଖାକୁ ନେଇ ବିବାଦ ସୂତ୍ରପାତ ହୋଇଛି । ରାଜ୍ୟ ସରକାର ନାମ ଫଳକ ମାଧ୍ୟମରେ ବିକାଶ କାମକୁ ଲୋକଙ୍କୁ ଜଣାଇବାକୁ ପ୍ରୟାସ କରୁଛନ୍ତି । ଏହାରି ଭିତରେ କୋଟିଆର ନେରେଡିୱାଲସାରେ ଲେଖାଯାଇଥିବା ଓଡ଼ିଆ ନାମଫଳକ ସହ ଅନ୍ୟ କେତେକ ଫଳକକୁ ଲିଭାଇ ଦେଇଛି ଆନ୍ଧ୍ର । ଓଡିଆ ଲେଖାକୁ ଲିଭାଇ ସେଠାରେ ତେଲଗୁ ଭାଷାରେ ଲେଖିଦେଇଛି ଆନ୍ଧ୍ର । ଯାହାକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି ।

ବିବାଦ ଭିତରେ ବାଟବଣା ହେବନି ତ କୋଟିଆ ବିକାଶ? ଆନ୍ଧ୍ରର ବିକାଶର ବେଗ ଆଗରେ ପଛରେ ପଡିଯିବନି ତ ଓଡିଶାର କଚ୍ଛପ ଗତି ? ତେବେ ଏ ପ୍ରସଙ୍ଗରେ କୌଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁନଥିବା ବେଳେ କୋଟିଆବାସୀ ସହଯୋଗକୁ ଅପେକ୍ଷା କରିଛନ୍ତି । ଓଡିଆ ଓ ତେଲଗୁ ଭାଷାର ପ୍ରଭାବ କୋଟିଆରେ କେତେ ପଡ଼ିବ ତାହା ତ ଆଗକୁ ଜଣାପଡ଼ିବ । କିନ୍ତୁ ବର୍ତ୍ତମାନ ଆନ୍ଧ୍ରର ଚାଲ, ଆଗକୁ କୋରାପୁଟ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହେବ ବୋଲି ଚର୍ଚ୍ଚା ହେଉଛି ।