ଗୋଟିଏ ପଞ୍ଚାୟତରେ ହେବେ ଦୁଇ ସରପଞ୍ଚ । ଆନ୍ଧ୍ରର ନିର୍ବାଚନ ପରେ କୋଟିଆରେ ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ।

132

କନକ ବ୍ୟୁରୋ : ଗୋଟିଏ ପଞ୍ଚାୟତ, ଦୁଇ ସରପଞ୍ଚ । ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଓଡ଼ିଶା ଆନ୍ଧ୍ର ସୀମା କୋଟିଆ ପଞ୍ଚାୟତରେ । କିଛି ଦିନ ତଳେ କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇ ଫଳ ପ୍ରକାଶ କରିସାରିଛି । ଆଉ ଏପଟେ ଓଡ଼ିଶା ଆସନ୍ତା ବର୍ଷ ନିର୍ବାଚନ କରାଇବାକୁ ପ୍ରସ୍ତୁତ ହେଉଛି । ଏବେ ପ୍ରଶ୍ନ ଉଠୁଛି କୋଟିଆ ପଂଚାୟତରେ କିଏ ନିଜ ଅଧିକାର ସାବ୍ୟସ୍ତ କରିବ । ଆନ୍ଧ୍ର ସରପଞ୍ଚ କାମ କରିବେ ନା ଓଡ଼ିଶା ସରପଂଚ ହକ୍ ସାବ୍ୟସ୍ତ କରିବେ ।

ପଞ୍ଚାୟତ ଗୋଟିଏ, କିନ୍ତୁ ସରପଞ୍ଚ ହେବେ ଦୁଇ । ସୀମା ବିବାଦକୁ ନେଇ ଚର୍ଚ୍ଚାରେ ଥିବା କୋଟିଆରେ ହେବାକୁ ଯାଉଛି ଏଭଳି ବିଚିତ୍ର ସ୍ଥିତି । ଆନ୍ଧ୍ର ଏଠାରେ ଏକତରଫା ନିର୍ବାଚନ କରିସାରିଥିବାବେଳେ ଓଡିଶା କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ରବିବାର ଦିନ ଗଣତି ପରେ ଏହି ଆନ୍ଧ୍ର ନିର୍ବାଚନରେ ୱାଇଏସଆର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ଓ ଦିବାକର ଗେମେଲ ସରଂପଚ ଭାବେ ନିର୍ବାଚିତ ହୋଇଛନ୍ତି ।

କୋଟିଆକୁ ୪ଟି ପଞ୍ଚାୟତ, ତଳଗଞେଇପଦର, ଫାଟୁ ସିନେରି, ଫଗୁଣ ସିନେରି, ଓ ସାରିକିରେ ବିଭକ୍ତ କରି ନିର୍ବାଚନ କରିଛି ଆନ୍ଧ୍ର । ଏବଂ ସେମାନଙ୍କ ଅନୁସାରେ, ସରପଞ୍ଚ ବି ନିର୍ବାଚିତ ହୋଇଛି । ଏପଟେ ଓଡିଶାର ପୁଣି ନିର୍ବାଚନ ହେବାକୁ ଯାଉଥିବାବେଳେ ଏଭଳି ବିଚିତ୍ର ସ୍ଥିତିରେ କେମିତି କାମ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମାମଲା ଏବେ ସୁପ୍ରିମକୋର୍ଟରେ ଥିବାବେଳେ, ଏଠାରେ ନିର୍ବାଚନ କରି କୋଟିଆକୁ ନେଇ ନିଜର ଦାବି ଦୃଢ କରିବାକୁ ଚେଷ୍ଟା କରୁଛି ଆନ୍ଧ୍ର । ଏପଟେ ଓଡିଶା ଆନ୍ଧ୍ରର ଏହି ଚାଲକୁ ବୁଝିସାରିଲାଣି । ଏବଂ କୋଟିଆରେ ଆନୁଷ୍ଠାନିକ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।