ଯେବେ ଭାରତକୁ ଅପମାନ କରିଥିଲା ଆମେରିକା, ସେବେ ତେଜସ ତିଆରି କରି ଆମେରିକାକୁ ଜବାବ ଦେଇଥିଲେ ଓଡିଆ ବୈଜ୍ଞାନିକ । ଆକାଶରେ ଆତଙ୍କ ରଚି ଶତ୍ରୁଙ୍କୁ ସାବାଡ କରୁଥିବା ତେଜସ ପଛରେ ରହିଛି ଓଡିଆ ପୁଅଙ୍କ ବଳିଷ୍ଠ ଅବଦାନ ।

389

କନକ ବ୍ୟୁରୋ: ତେଜସ ପଛରେ ଓଡିଆ ପୁଅ । ଲଢୁଆ ବିମାନରେ ଲାଗିଛି ଓଡିଆ ପୁଅଙ୍କ ବୁଦ୍ଧି । ଯେତେବେଳେ ଆକାଶରେ ଆକ୍ରମଣ ମୁଖା ହୋଇ ଉଡିଯାଏ ତେଜସ ସେତେବେଳେ ଆତଙ୍କରେ ଥରହର ହୁଏ ଶତ୍ରୁ । ଆଉ ମଝି ଆକାଶରେ ତେଜସର ତେଜ ଦେଖି ଭାରତ ଉପରେ ଆଖି ଉଠାଇବାକୁ ଶହେ ଥର ଭାବେ ଶତ୍ରୁଦେଶ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ହାଲୁକା ଲଢୁଆ ବିମାନ ତେଜସ ପଛରେ ଯେ ଜଣେ ଓଡିଆ ପୁଅଙ୍କ ହାତ ଅଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଜ୍ଞା ହଁ, ଲଢୁଆ ଯୁଦ୍ଧ ବିମାନ ପଛରେ ଲାଗିଛି ବ୍ରହ୍ମପୁରର ଓଡିଆ ବୈଜ୍ଞାନିକଙ୍କ ବୁଦ୍ଧି ।

ପଦ୍ମଶ୍ରୀ କୋଟା ହରିନାରାୟଣ । ଓଡିଶାର ବ୍ରହ୍ମପୁରରେ ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ବ୍ରହ୍ମପୁରରେ ସ୍କୁଲ ଶିକ୍ଷା ଶେଷ କରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ପାସ କରିଥିଲେ । ହରିନାରାୟଣ ଚାହିଁଥିଲେ ସେହିଠୁ ହିଁ ଚାକିରି କରି ନିଜ ଭବିଷ୍ୟତ ଗଢି ପାରିଥାନ୍ତେ । କିନ୍ତୁ ଦେଶ ମାତୃକା ବୋଧେ ତାଙ୍କ ଠାରୁ କିଛି ଅଲଗା ଚାହୁଁଥିଲା । ତେଣୁ ତ ସେ ବାଙ୍ଗଲୋର ଯାଇ ଏରୋସ୍ପେସ ଇଞ୍ଜିନିୟରିଂ ପଢିଥିଲେ । ପାଠପଢା ପରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହିଠି ହିଁ ତେଜସର ସ୍ରଷ୍ଟା ସାଜିଥିଲେ ହରିନାରାୟଣ ।

ଯେତେବେଳେ ୨୦୦୦ ମସିହା ଡିସେମ୍ବର ମାସରେ ଆମେରିକାର ଏକ ମାଗାଜିନ ପ୍ରକାଶ କରିଥିଲା ଯେ, ଭାରତ କେବେ ବି ନିଜ ଦେଶରେ ଲଢୁଆ ବିମାନ ନିର୍ମାଣ କରିପାରିବନି ବରଂ ବିମାନ ପାଇଁ ସେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବ । ଠିକ ସେତିକିବେଳେ ବିଶ୍ୱକୁ ଦେଶର ଦମ ଦେଖାଇବାକୁ ଅଣ୍ଟା ଭିଡିଥିଲେ ଓଡିଆ ବୈଜ୍ଞାନିକ କୋଟା ହରିନାରାୟଣ । ଲାଇଟ୍ କମ୍ବାକ୍ଟ ଏୟାରକ୍ରାଫ୍ଟ ବା ହାଲୁକା ଲଢୁଆ ବିମାନ ନିର୍ମାଣ କରିବାକୁ ଆରମ୍ଭ ହୋଇଥିଲା ମିଶନ । ଆମେରିକାରେ ପ୍ରକାଶ ପାଇଥିବା ଲେଖାର କେଇ ଦିନ ପରେ ଜାନୁୟାରୀ ୪, ୨୦୦୧ରେ ଆରମ୍ଭ ହେଲା ତେଜସ ଅଭିଯାନ ।

ତକ୍ରାଳୀନ ପ୍ରତିରକ୍ଷା ମନ୍ତ୍ରୀ ହରିନାରାୟଣଙ୍କୁ ଏହି ଟିମର ମୁଖ୍ୟ କରିଥିଲେ । ପ୍ରଥମେ ଏକ ଶକ୍ତ ଟିମ ଗଢା ହୋଇଥିଲା, ପରେ ନୂତନ ଜ୍ଞାନକୌଶଳର କମ୍ପ୍ୟୁଟର ଆଣି ଗବେଷଣା ଆରମ୍ଭ ହେଲା । ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ସହ ମିଶି କାମ ଆରମ୍ଭ କଲା । ତେବେ ଅନେକ ଗବେଷଣା ପରେ ୨୦୧୬ ମସିହାରେ ଆୟୋଜିନ ଆନ୍ତର୍ଜାତୀୟ ଏୟାର ସୋରେ ତେଜସକୁ ସାମ୍ନାକୁ ଅଣାଗଲା । ଆଉ ତେଜସ ବିଶ୍ୱବିଦିତ ହେଲା, ଚାରିଆଡୁ ବାଃ ବାଃ ମିଳିଲା । ଆଉ ଏହି ପ୍ରଶଂସାର ଶ୍ରେୟ କେବଳ ହରିନାରାୟଣଙ୍କୁ ହିଁ ଯାଇଥିଲା ।

ତେବେ ତେଜସ କାର୍ବନ ଫାଇଭରରେ ତିଆରି ହୋଇଥିବାରୁ ଏହାର ଓଜନ ବହୁତ କମ । ମାତ୍ର ଉଡାଉ ଆଖି ପିଛୁଳାକେ । ତେଜସର ଓଜନ ୬ ହଜାର ୫୬୦ କିଲୋଗ୍ରାମ । ଯାହା ୫୦ ହଜାର ଫୁଟ ଉଚ୍ଚରେ ଉଡିପାରେ । ଏହାର ଡେଣା ୮.୨ ମିଟର ଚଉଡା, ୧୩.୨ ମିଟର ଲମ୍ବା । ତେଜସ ଘଣ୍ଟା ପ୍ରତି ୧୩୫୦ କିଲୋମିଟର ଉଡାଣ ଭରିପାରେ । ଯାହା ଶତ୍ରୁଙ୍କୁ ସାବାଡ କରିବାରେ ବଡ ଭୂମିକା ନେଇଥାଏ । ଆଉ ଏହି ତେଜସର ବ୍ରହ୍ମା ହେଉଛନ୍ତି ବ୍ରହ୍ମପୁରର କୋଟା ହରିନାରାୟଣ ।