କନକ ବ୍ୟୁରୋ : ଓଲିଉଡ୍ କଳି ପରେ ସକ୍ରିୟ ହୋଇ ଉଠିଥିବା କୋଶଳ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି । କିନ୍ତୁ ଏହାକୁ ବିରୋଧ କରିଛି ହୀରାଖଣ୍ଡ ସାମ୍ମୁଖ୍ୟ । ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ପତନ୍ତ୍ର ରାଜ୍ୟ ଦାବି କରାଯାଇଛି । ଏହା ସହ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେବା ଦାବିରେ ଆରଡିସିଙ୍କୁ ଦିଆଯାଇଛି ଦାବିପତ୍ର । ହୀରାଖଣ୍ଡ ରାଜ୍ୟ ଓ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି କରି ନାରାବାଜି ଦେଇଛନ୍ତି । କେବଳ ଏତିକି ନୁହେଁ ଆସନ୍ତାକାଲି ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ମଧ୍ୟ ଅପିଲ କରିଛି ହୀରାଖଣ୍ଡ ସାମୁଖ୍ୟ ।

ସ୍ୱତନ୍ତ୍ର ରାଜ୍ୟ ଦାବିରେ ଏହି ବନ୍ଦ ଡାକରା ଦେଇଛି କୋଶଳ କ୍ରିୟାନୁଷ୍ଠାନ କମିଟି । ତେବେ ଏହାକୁ ଚ୍ୟାଲେଂଜ କରି ଏଥିରେ କେଁ ପୂରାଇ ଦେଇଛି ହୀରାଖଣ୍ଡ ସାମ୍ମୁଖ୍ୟ । କୋଶଳ କ୍ରିୟାନୁଷ୍ଠାନ କମିଟି କର୍ମକର୍ତା କହିଛନ୍ତି, ଏହା କିଛି ନୂଆ କଥା ନୁହେଁ, ଯେତେବେଳେ କୋଶଳ ଆନ୍ଦୋଳନ ହୋଇଛି, ହୀରାଖଣ୍ଡ ନାଁରେ କିଛି ବନ୍ଧୁ ବିରୋଧ କରି ଆସୁଛନ୍ତି । ଏହା କୌଣସି ଫରକ ପକାଇବ ନାହିଁ ।

ବନ୍ଦ ଡାକରାକୁ ସମର୍ଥନ କରିବାକୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆହ୍ୱାନ ଦେଇଥିବା ବେଳେ ଏହାକୁ ନେଇ ପଶ୍ଚିମ ଓଡ଼ିଶା ରାଜନୀତି ସରଗରମ ହୋଇଛି । ତେବେ କୋଶଳ ଦାବିକୁ ବିରୋଧ କରି ଆସୁଛି ସମ୍ବଲପୁରର ହୀରାଖଣ୍ଡ ସାମୁଖ୍ୟ ।