କନକ ବ୍ୟୁରୋ: ତେଜିଲା ଓଲିଉଡ କଳି । କଳାକାର ମନୋଜ ମିଶ୍ରଙ୍କ ବାସନ୍ଦକୁ ବିରୋଧ କଲା କୋଶେଲ ରାଏଜ ମୁକ୍ତି ମୋର୍ଚ୍ଚା । ବଲାଙ୍ଗୀରରେ ଥିବା କଂଟାବାଂଜି ଆଲିସାନ ସିନେମାରେ ଓଡିଆ ଫିଲ୍ମ ରିଲିଜ୍ କରାଇ ନଦେବାକୁ ମୋର୍ଚ୍ଚା ନିଷ୍ପତି ନେଇଛି । ଏଥିସହ ଫିଲ୍ମ ହଲ ବାହାରେ ନୂଆ ଫିଲ୍ମ ମାଲ୍ୟଗିରିର ଯେଉଁ ପୋଷ୍ଟର ଲାଗିଥିଲା ତାକୁ ଚିରି ଦିଆଯାଇଛି । ସାରା ପଶ୍ଚିମ ଓଡିଶାରେ ଓଡିଆ ଫିଲ୍ମକୁ ବୟକଟ କରିବାକୁ ମୋର୍ଚ୍ଚା ଦାବି କରିଛି । ମାଇଣ୍ଡ ଗେମ୍ ଚଳଚିତ୍ର ସଫଳ ହେବା ପରେ ଏହାକୁ ସହିନପାରି ପ୍ରଯୋଜକ ସଂଘ ମନୋଜ ମିଶ୍ରଙ୍କୁ ବ୍ୟାନ କରିଥିବା ଅଭିଯୋଗ ହୋଇଛି । ମନୋଜ ମିଶ୍ର ସମ୍ବଲପୁରରେ ଅରିନ୍ଦମ ରୟଙ୍କ ଅଭୀନିତ ରାମ୍ ସିନେମାକୁ ରିଲିଜ୍ କରିବାକୁ ଦେଇନଥିଲେ ବୋଲି ଅଭିଯୋଗ ରହିଛି । ଏହାପରେ ପ୍ରଯୋଜକ ସଂଘର ବୈଠକରେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ମନୋଜ ମିଶ୍ର ଅନ୍ୟ ଫିଲ୍ମକୁ ରିଲିଜ ନକରାଇ ଦେବାକୁ କହିଥିବା ଅଭିଯୋଗ ରହିଛି । ହେଲେ ମନୋଜ ମିଶ୍ର ଏହାକୁ ଖାରଜ କରିଛନ୍ତି । ମନୋଜ ମିଶ୍ରଙ୍କ ବିରୋଧରେ ଅରିନ୍ଦମ ଯେଉଁ ଅଭିଯୋଗ ଆଣିଥିଲେ, ସେହି କଥାକୁ ଦୋହରାଇଛନ୍ତି ଅନୁଭବ । ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ବ୍ୟକ୍ତିଗତ ଝଗଡ଼ା ପାଇଁ ଓଲିଉଡ୍କୁ ଭାଗ ଭାଗ କରନ୍ତୁ ନାହିଁ ବୋଲି ସେ ସୋସିଆଲ ମିଡିଆରେ ଅପିଲ କରିଛନ୍ତି ।