ଦୁର୍ଗମ ଅଞ୍ଚଳର ଦ୍ରୋଣାଚାର୍ଯ୍ୟ : ଗାଁକୁ ଗାଁ ବୁଲି ପିଲାଙ୍କୁ ପଢାଉଛନ୍ତି ପାଠ, ଗୀତ ଗାଇ ରୋଚକ ଢଙ୍ଗରେ ଦେଉଛନ୍ତି ଶିକ୍ଷା

156

କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ସବୁ କାମ ସମ୍ଭବ । ଏଭଳି କଥାକୁ ସଫଳ କରି ଦେଖାଇଛନ୍ତି ଛତିଶଗଡ କୋରିୟା ଜିଲ୍ଲାର ଜଣେ ଶିକ୍ଷକ । କରୋନା କଟକଣା ଯୋଗୁଁ ବହୁ ମାସ ଧରି ଶିକ୍ଷାରୁ ବଞ୍ଚିତ ଥିବା ଦୁର୍ଗମ ଅଞ୍ଚଳ ପିଲାଙ୍କୁ ଦେଉଛନ୍ତି ଶିକ୍ଷା, ତାହା ପୁଣି ଆକର୍ଷଣୀୟ ଢଙ୍ଗରେ । ନିଜ ମୋଟର ସାଇକେଲରେ ଗାଁ କୁ ଗାଁ ବୁଲି, ଗୀତ ଗାଇ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ରୁଦ୍ରପ୍ରତାପ ରାଣା ।

ନିଜ ଖର୍ଚ୍ଚରେ ବାଇକରେ ବସି ଗାଁ ଗାଁକୁ ସେ ବାଣ୍ଟୁଛନ୍ତି ଶିକ୍ଷା । ତାଙ୍କ ବାଇକରେ ବନ୍ଧା ହୋଇଛି ଛତା ଓ ବିଭିନ୍ନ ପ୍ରକାରର ବହି । ସେ ଆସି ଘଣ୍ଟି ବଜାଇବା ମାତ୍ରେ ପିଲାମାନେ ଆସି ପାଠ ପଢିବାକୁ ବସି ପଡନ୍ତି । ତାଙ୍କ ପାଠ ପଢାଇବାର ଶୈଳୀ ପିଲାମାନଙ୍କୁ ତାଙ୍କ ପାଖରେ ବାନ୍ଧି ରଖେ । ଗୀତ ଗାଇ ଭାରି ରୋଚକ ଢଙ୍ଗରେ ସେ ପାଠ ପଢାଉଛନ୍ତି ପିଲାମାନଙ୍କୁ ।

ପାଠ ପାଢଇବା ପୂର୍ବରୁ ପିଲାମାନଙ୍କୁ ଜାତୀୟ ସଙ୍ଗୀତ ମଧ୍ୟ ଗାନ କରାଉଛନ୍ତି ଶିକ୍ଷକ ରୁଦ୍ରପ୍ରତାପ । ତାଙ୍କ ପାଖରେ ରହିଛି ଗୋଟିଏ ମାଇକ ଯାହା ଦ୍ୱାରା ସେ ଗୀତ ଗାଇ ପିଲାଙ୍କୁ ପାଠ ପଢାଇଥାନ୍ତି । ପିଲାମାନେ ମଧ୍ୟ ତାଙ୍କ ପାଠକୁ ଭାରି ଆଗ୍ରହର ସହ ପଢିଥାନ୍ତି ।
ପିଲାଙ୍କ ପାଖକୁ ନେଇ ଯାଉଛନ୍ତି ସ୍କୁଲ।

ଯେତେବେଳେ ଅନଲାଇନ କ୍ଲାସ ଆରମ୍ଭ ହେଲା ବହୁତ କମ ପିଲା ଏଥିରେ ସାମିଲ ହୋଇଥିଲେ । ଦୁର୍ଗମ ଅଞ୍ଚଳର ପିଲା ଏଥିରୁ ବଞ୍ଚିତ ହେଉଥିଲେ । ଯଦି ପିଲାମାନେ ସ୍କୁଲ ଆସିପାରୁନାହାନ୍ତି ତାହାଲେ ଆମେ ସ୍କୁଲକୁ ପିଲାଙ୍କ ପାଖରୁ ନେଇଯିବା ବୋଲି କହିଛନ୍ତି ଶିକ୍ଷକ ରୁଦ୍ରପ୍ରତାପ ରାଣା । ତେବେ ରୁଦ୍ରପ୍ରତାପ ରାଣାଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି ।

କରୋନା ସମୟରେ ଯେତେବେଳେ ଲୋକ ଭୟଭୀତ ଥିଲେ ସେହି ସମୟରେ ରୁଦ୍ର ପ୍ରତାପ ଆଗକୁ ଆସିଥିଲେ । କେବଳ ଶିକ୍ଷା ଦାନ ନୁହେଁ କରୋନା ବିଷୟରେ ସେ ପିଲାଙ୍କୁ ଓ ଗାଁ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି ।