କୋରେଇ ରାଜନୈତିକ ପାଣିପାଗ ଉଷ୍ମ । ନୂଆ ମୁହଁ ଭରସାରେ ତିନି ଦଳ । କାହା ମୁଣ୍ଡରେ ସୁନା କଳସ ଢାଳିବେ ଜନତା ଜନାର୍ଦ୍ଦନ

115

କନକ ବ୍ୟୁରୋ: ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରେ ଉଷ୍ମ ହୋଇଛି ରାଜନୈତିକ ପାଣିପାଗ । ଏଠାରେ ଆସନ୍ତା ଏପ୍ରିଲ ୨୯ ରେ ନିର୍ବାଚନ ହେବାକୁ ଥିବା ବେଳେ ଜୋରଦାର ହୋଇଛି ପ୍ରଚାର । ତିନୋଟି ଯାକ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କୁ ନେଇ ଓହ୍ଲାଇଛନ୍ତି ପ୍ରଚାର ମୈଦାନକୁ । ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥିବା ୫୩ ନଂ କୋରେଇ ବିଧାନସଭା ଆନରେ କଂଗ୍ରେସ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢିଥିବା ବିଶ୍ୱଜିତ୍ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେପଟେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଅଶୋକ ବଳଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତେବେ କୋରେଇରେ ତ୍ରିମୁଖୀ ଲଢେଇ ହେଉଥିବା ବେଳେ ନିଜ ସପକ୍ଷରେ ଭୋଟ ହାତେଇବାକୁ ଜୋରଦାର ପ୍ରୟାସ କରୁଛନ୍ତି ପ୍ରାର୍ଥୀ ।

 

ଆସନ୍ତା ୨୯ ତାରିଖ ବା ଶେଷ ପର୍ଯ୍ୟାୟରେ ଯାଜପୁରରେ ଅନୁଷ୍ଠିତ ହେବ ନିର୍ବାଚନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏନେଇ ପ୍ରସ୍ତୁତ ନେତା ଓ ଜନତା । ତେବେ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାଏ କୋରେଇ ନିର୍ବାଚନ ମଣ୍ଡଳୀ । ମୁଖ୍ୟତଃ ଏହି ନିର୍ବାଚନ ମଣ୍ଡଳୀ କୋରେଇ ଓ ରସୁଲପୁର ବ୍ଲକ କୁ ନେଇ ଗଠିତ । କୋରେଇ ବ୍ଲକର ୨୮ ଓ ରସୁଲପୁର ବ୍ଲକର ୯ ଟି ପଂଚାୟତକୁ ମିଶାଇ ମୋଟ୍ ୩୭ ଟି ପଂଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି କ୍ଷେତ୍ରରେ ବେଶ ଆଗୁଆ ହେଉଛି କୋରେଇ । ତେବେ ଚଳିତ ନିର୍ବାଚନରେ ଏଠାରେ ଦେଖାଦେଇଛି ତ୍ରିମୁଖୀ ଲଢେଇ । ଅଭିନେତାରୁ ନେତା ବନିଥିବା ଆକାଶ ଦାସ ନାୟକଙ୍କୁ ଚଳିତ ଥର ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ ବରିଷ୍ଠ ନେତା ଅଶୋକ ବଳ ଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ଛାତ୍ର ନେତାରୁ ରାଜନୀତିରେ ପାଦ ଥାପିଥିବା ଅଶୋକ ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ।

ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ୱର୍ଗତ କଳ୍ପତରୁ ଦାସଙ୍କ ନେତୃତ୍ୱରେ ରାଜନୀତିକୁ ଆସିଥିବା ଆଶୋକ ୨୦୦୭ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହୋଇଥିଲେ । ଦିର୍ଘଦିନ ବିଜେଡି ରେ ରହି ରାଜନୀତି କରିବା ପରେ ୨୦୧୪ ରେ କୋରେଇ ରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ଅଶୋକ । ମାତ୍ର ୨୦୧୪ ରେ ଆକାଶ ଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସେ ଦଳ ଛାଡି ବିଜେପି ରେ ସାମିଲ ହୋଇଥିଲେ । ତେବେ କିଛିଦିନ ବିଜେପିରେ ରହିବା ପରେ ପୂନର୍ବାର ବିଜେଡିକୁ ପ୍ରତ୍ୟାବର୍ତନ କରିଥିଲେ । ବର୍ତମାନ ସେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ରହିଥିବା ବେଳେ ଆନନ୍ଦପୁର ର ପର୍ଯ୍ୟବେକ୍ଷକ ରହିଛନ୍ତି । ତେବେ ଚଳିତ ଥର କୋରେଇରୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ନିଜ ସମର୍ଥକଙ୍କୁ ଧରି ଗାଁ ଗାଁ ବୁଲି ପ୍ରଚାର ଜୋରଦାର କରିଛନ୍ତି ଅଶୋକ । ତେବେ ଦିର୍ଘ ବର୍ଷ ଧରି କୋରେଇ ବିଜେଡିର ଗଡ ରହିଆସିଥିବା ବେଳେ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ କୋରେଇ ରେ ବହୁ ବିକାଶ ହୋଇଛି । ତେଣୁ ଏଥର ମଧ୍ୟ ଲୋକେ ବିଜେଡି କୁ ପୂର୍ବଭଳି ଭରଷା କରିବେ ବୋଲି ସେ କହିଛନ୍ତି ।

ସେପଟେ ମହିଳା କଂଗ୍ରେସର ରାଜ୍ୟ ଉପ-ସଭାନେତ୍ରୀ ବନ୍ଦିତା ପରିଡାଙ୍କୁ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଛି । ୨୦୦୯ ରେ ବ୍ୟାସନଗର ପୌର ପରିଷଦ ଦଖଲ କରି ଅଧ୍ୟକ୍ଷା ହୋଇଥିବା ବନ୍ଦିତା ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କଂଗ୍ରେସ ହାଇ କମାଣ୍ଡ । ବନ୍ଦିତା ବର୍ତମାନ ରାଜ୍ୟ ମହିଳା କଂଗ୍ରେସର ଉପ-ସଭାନେତ୍ରୀ ଥିବା ବେଳେ କୋରେଇ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି । କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ପରେ କୋରେଇ ଆସନ ହାତେଇବାକୁ ସେ ଲକ୍ଷ ରଖିଛନ୍ତି । କଂଗ୍ରେସର ନିର୍ବାଚନୀ ଇସ୍ଥାହାରକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବନ୍ଦିତା । ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିବା ସହ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ସେ ଜଣେ ମହିଳା ହୋଇଥିବା ବେଳେ ମହିଳାଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ସ୍ଥାନୀୟ ବେକାରୀ ସମସ୍ୟା ଏବଂ ଚାଷ ଓ ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହେବାକୁ ସେ ଲକ୍ଷ ରଖିିଛନ୍ତି ।

୨୦୧୪ ସାଧାରଣ ନିର୍ବାଚନରେ ପ୍ରଥମ ଥର କଂଗ୍ରେସ ଟିକେଟରୁ ଲଢିଥିବା ବିଶ୍ୱଜିତ୍ ନାୟକଙ୍କୁ ଚଳିତ ଥର ପ୍ରାର୍ଥୀ କରିଛି ବିଜେପି । ସେ ୨୦୧୪ ରେ କଂଗ୍ରେସ ଟିକେଟରୁ ଲଢି ୩୧ ହଜାର ୯୯ଟି ଭୋଟ ପାଇ ବିଜେଡିର ଆକାଶ ଦାସ ନାୟକଙ୍କ ଠାରୁ ପରାସ୍ତ ହୋଇଥିଲେ । ପରବର୍ତି ସମୟରେ ବିଜେପିରେ ସାମିଲ ହୋଇ ଗତ ପଂଚାୟତ ନିର୍ବାଚନରେ କୋରେଇ ବ୍ଳକ ଦଖଲ କରିଥିଲେ । ବିଶ୍ୱଜିତଙ୍କ ନେତୃତ୍ୱରେ ବିଜେପି କୋରେଇ ବ୍ଳକ ଅଧ୍ୟକ୍ଷ ପଦ ହାତେଇଥିଲା। ତେବେ ବିଜେପିରୁ ତାଙ୍କୁ ପ୍ରାର୍ଥୀ କରାଯିବା ପରେ କୋରେଇରେ ବିଜେପି ଜିତିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନିଜ ସମର୍ଥକଙ୍କୁ ନେଇ ପ୍ରାଚାର ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ରୋଡ ଶୋ ଓ ନିର୍ବାଚନୀ ସଭା କରିବା ସହ ଘର ଘର ଯାଇ ଭୋଟ ମାଗୁଛନ୍ତି । କଂଗ୍ରେସ ଓ ବିଜେଡି ଲୋକଙ୍କ ଆଶା ଆକାଂକ୍ଷା ଠାରୁ ବହୁ ଦୁରରେ ରହିଥିବା ବେଳେ ବିଜେପି ଓ ମୋଦି ସରକାର ପ୍ରତି ଲୋକଙ୍କ ଆସ୍ଥା ବଢିଥିବା ସେ କହିଛନ୍ତି । ବିକାଶ କୁ ମୁଦ୍ଦା କରି ନିର୍ବାଚନ ରଣାଙ୍ଗନରେ ବିଜୟ ହେବେ ବୋଲି କହିଛନ୍ତି ।

ଅନ୍ୟପଟେ କୋରେଇରେ ପ୍ରତିଥର ବିଜେଡି ତାର ପ୍ରାର୍ଥୀ ପରିବର୍ତନ କରିବା ଦ୍ୱାରା ଲୋକେ ବିଜେଡି ଉପରେ ଆସ୍ଥା ହରାଇ ଥିବା ମଧ୍ୟ ସେ କହିଛନ୍ତି । ତେବେ ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ଯୁବନେତା ବିଶ୍ୱଜିତଙ୍କୁ ଭରଷା କରି ବିଜେପି ଏଠାରୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଓ ବିଜେଡି ୨ ନୂଆ ମୁହଁକୁ ଏଠାରେ ପ୍ରାର୍ଥୀ କରିଛି । ତେବେ କୋରେଇରେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିବେ, ତାହା ଆଉ ଦିନ କେଇଟା ପରେ ଜଣାପଡିବ ।