କନକ ବ୍ୟୁରୋ: ଶୀତ କଣ କେବଳ କୋରାପୁଟର? ନା ଶୀତର ଠିକଣା କହିଲେ କେବଳ କୋରାପୁଟକୁ ହିଁ ବୁଝାଏ । ଶୀତକୁ କୋରାପୁଟରେ ଭୋଗିବାକୁ ଭଲଲାଗେ ସତ କିନ୍ତୁ ଶୀତ ସାରା ଓଡିଶାର । ଶୀତକୁ ସିନା ସ୍ୱେଟର ଦେଖାଇ, ଚାଦରର ଚେତାବନୀ ଦେଇ ଆଉ ନିଆଁପୁଆଁର ଭୟ ଦେଖାଇ କୋରାପୁଟଠୁ ଛଡେଇ ଆଣି ହେବ । କିନ୍ତୁ ଅଳସୀକୁ କୋରାପୁଟ ଛାତିରୁ କେହି ଛଡାଇ ଆଣିପାରିବେନି କି ତା ସୌନ୍ଦର୍ଯ୍ୟକୁ କେହି କୋରାପୁଟଠୁ ଅଲଗା କରିପାରିବେନି । କାରଣ ଅଳସୀ କୋରାପୁଟ ଆଖିର ଧାରେ କଜଳ ଗାର, କୋରାପୁଟ ଛାତିର ଛନଛନ ଯୌବନ ଆଉ କୋରାପୁଟ ମାଟିର ମିଠା ମହକ ଓ ସୁନାର ଚମକ ।
ଶୀତର ପହିଲି ସ୍ପର୍ଶରେ କୋରାପୁଟ ଶୀତେଇ ଗଲେ ଲୋମମୂଳ ଟାଙ୍କୁରିଗଲା ପରି ଏ ଅଳସୀ ଫୁଲମାନେ ବି ହଠାତ୍ ଟାଙ୍ଗରା ମାଟିରେ ଫୁଟି ଉଠି ବାଟୋଇଙ୍କୁ ଆନମନା କରିବାରେ ଲାଗିପଡନ୍ତି । କିଆରି କିଆରି ହଳଦୀ ହସର ହାଟ ବସାନ୍ତି । ଆଉ କାହା ଗଭାରେ, କାହା ହାତରେ ଶୋଭା ବଢାଇ ତୋଳା ଯାଉଥିବା ଫଟୋରେ ସ୍ମୃତି ପାଲଟି ଯାଆନ୍ତି । ଏବେ ତ ଅଳସୀ ଫୁଲମାନେ କୁଆଁରୀଙ୍କ ରିଲ୍ସରେ ଭାରି ଫୁଲେଇ ହେଉଛନ୍ତି । ପୁରୁଷଙ୍କ ପୋଷ୍ଟରେ ପ୍ରେମ ନିବେଦନ କରୁଛନ୍ତି ।
ଅଳସୀ- କୋରାପୁଟରେ ଫୁଟେ, କିନ୍ତୁ ଓଡିଶା ସାରା ବାସେ । ଅଳସୀ- ଅଳସ ଭାଙ୍ଗୁଥିବା ଗୋଟେ ଝିଅର ନାଁ । କୋରାପୁଟର କାନ ପାଖେ କେରାଏ ଖସି ଆସୁଥିବା କେଶକୁ ଆଡେଇ ଶୀତ ଦେଉଥିବା ପ୍ରୀତିର ଛୁଆଁ । ଅଳସୀ- ଗୋଟେ ଆକର୍ଷଣ, ଗୋଟେ ଆମନ୍ତ୍ରଣ, ଗୋଟେ ମହାମିଳନ ଆଉ ବିଭୋର ପ୍ରକୃତିର ପ୍ରତିଫଳନ । ଅଳସୀ- କେଉଁ ଏକ ଉପତ୍ୟକାର ଅନ୍ୟମନସ୍କତା । ବୁଡିଯାଉଛି ଅପରାହ୍ନର ବିଦାୟୀ ନିରବତା । ଅଳସୀ ଶୀତ ରାତିର କାକର ତଳେ କମ୍ବଳ ଘୋଡି ଶୋଇଥିବା ଗୀତଟିଏ । ଅଳସୀ- ଦିନରେ ଶୀତ ସହ ଖରାଛାଇର ଖେଳ ଖେଳୁଥିବା ମିତଟିଏ ।
ଶୀତ- ସକାଳର ଚା’ କପରୁ, ପତରର ଟୋପା ଟୋପା କାକର ଦେଇ ମାଟିରେ ଯେବେ ପଡେ । କୁହୁଡିର ବଳୟ ଭିତରେ ବାଟ ଭୁଲି ଯେବେ ଅଳସୀ କ୍ଷେତରେ ଧସେଇ ପଶେ । ସେବେ କଅଁଳ ଖରା ଶୀତକୁ ଶକ୍ତି ଦିଏ ଆଖି ପାଉନଥିବା ହଳଦୀ କ୍ଷେତରେ ନିଜ ହୃଦୟର କଥା କହିବାକୁ । ଅଳସୀ ଆଖିରେ ଆଖି ମିଶେଇ ମନର କଥା କହିବାକୁ । ବାସ୍ ତା’ପରେ କୋରାପୁଟ କାନ୍ଥରେ ଲେଖାହୁଏ, ଶୀତ-ଅଳସୀର ପ୍ରେମ କାହାଣୀ ।