କନକ ବ୍ୟୁରୋ : କୋରାପୁଟ କଫି ଓ ଫୁଲ ଝାଡ଼ୁ ପରେ ଜିଲ୍ଳାକୁ ଆଉ ଏକ ପରିଚୟ ଦେଇଛି କଳା ଜିରା ଚାଉଳ । ପୂର୍ବରୁ କଳାଜିରା ଧାନ ଚାଷ ଜିଲ୍ଳାରେ ସୀମିତ ଥିଲା । ଏବେ ଏହାର ଗୁଣ ରାଜ୍ୟ ବାହାରେ ବଢିବାରେ ଲାଗିଛି । କଳାଜିରା ଚାଉଳ କିଣିବା ପାଇଁ କୋରାପୁଟରେ ବ୍ୟବସାୟୀଙ୍କ ଭିଡ ଲାଗୁଛି ।
ଦେଶର ରାଜଧାନୀରେ ମିଳିବ କୋରାପୁଟ ଜିଲ୍ଳାର କଳାଜିରା ଚାଉଳ । ଦିଲ୍ଳୀର ସାରସ ଆଉଟ୍ ଲେଟରେ କିଲୋ ପିଛା ୧୪୦ ଟଙ୍କାରେ କଳାଜିରା ଚାଉଳ ପାଇ ପାରିବେ ଗ୍ରାହକ । ପ୍ରଥମ ପର୍ଯ୍ୟାୟରେ ୫୦ କେଜି ଚାଉଳ ଦିଲ୍ଲୀ ଯାଇଛି । ୧ କେଜି ଲେଖାଏଁ ପ୍ୟାକେଟ୍ କରି ସ୍ୱତନ୍ତ୍ର କୋରାପୁଟର ବ୍ରାଣ୍ଡ ରହି ପଠାଯାଇଛି । ଏହି ଦାୟିତ୍ୱ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ଆଗକୁ ଅର୍ଡ଼ର ହିସାବରେ ପଠାଯିବ ।
ପୂୂର୍ବରୁ କଳାଜିରା ଚାଉଳ କୋରାପୁଟରେ କିଲୋ ପ୍ରତି ୪୦ରୁ ୫୦ ଟଙ୍କା ଓ ଜିଲ୍ଳା ବାହାରେ ୮୦ରୁ ୯୦ ଟଙ୍କାରେ ମିଳୁଥିଲା । ବିନା ରାସାୟନିକ ସାରରେ ଚାଷ ହେଉଥିବା ଏହି ଧାନ ଦେଖିବାକୁ ଅନ୍ୟ ଠାରୁ ଭିନ୍ନ । ଏହା ଦେଖିବାକୁ କଳା ଜିରା ଭଳି । ଏହି ଧାନର ଚାଉଳର ଖୁବ୍ ସୁନ୍ଦର ବାସ୍ନା ଓ ଭିଟାମିନ୍ ଯୁକ୍ତ । ଏହାର ଗୁଣବତା ଜାଣିବା ପରେ ବ୍ୟବସାୟ ପାଇଁ ଜିଲ୍ଳା ପ୍ରଶାସନ, ସ୍ୱାମୀନାଥନ ଫାଉଣ୍ଡେସନ ଓ ଓରମାସ ହାତ ବଢାଇଛି । ଚାଷୀଙ୍କ ଠାରୁ କଳାଜିରା ଧାନ କିଣି ତାକୁ ମିଲିଂ କରି ପ୍ୟାକେଟିଂ କରିବା ପାଇଁ ଓରମାସ ଏକ ମିଲର ବ୍ୟବସ୍ଥା କରିଛି । ଆଗକୁ ଏହି ଧାନ ଚାଷ ଆଦିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି ।