କଂଗ୍ରେସ ଭବନରେ କୋରାପୁଟ କଳି। ସାଂସଦ ବନାମ ବିଧାୟକ ଲଢେଇ 

283

କନକ ବ୍ୟୁରୋ: କୋରାପୁଟ କଂଗ୍ରେସର କଳି ରାଜଧାନୀ କଂଗ୍ରେସ ଭବନରେ ପହଞ୍ଚିଛି । ରବିବାର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥକ ଓ ବୁଧବାର ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଭବନରେ ପତିଆରା ଦେଖାଉଛନ୍ତି ଦୁଇ ଗୋଷ୍ଠୀ । କୋରାପୁଟ ଜିଲ୍ଲା ସଭାପତି ପଦକୁ ନେଇ କଂଗ୍ରେସର ଟଣାଓଟରା ସୋ କଂଗ୍ରେସ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ।

କୋରାପୁଟ କଂଗ୍ରେସର ଶତାଧିକ କର୍ମୀ କଂଗ୍ରେସ ଭବନକୁ ଆସି ବିଧାୟକ ତାରା ବାହିନୀପତିଙ୍କ ବିରୋଧରେ ନାରାବାଜି କରିଛନ୍ତି । ପିସିସି ସଭାପତିଙ୍କୁ ଭେଟି ଜିଲ୍ଲା ସଭାପତି ବଦଳାଇବାକୁ ଦାବି କରିଛନ୍ତି । ଦୀର୍ଘ ଦିନ ହେଲା ବିଧାୟକଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ଜିଲ୍ଲା ଦାୟିତ୍ୱରେ ଥିବାରୁ ତାଙ୍କୁ ହଟାଇବାକୁ ଜିଦି କରିଛନ୍ତି ।

ଗତ ରବିବାର ବାହିନୀପତି ଓ ତାଙ୍କ ସମର୍ଥକ କଂଗ୍ରେସ ଭବନ ଆସି ଶକ୍ତି ପ୍ରଦର୍ଶନ କରିଥିଲେ । ପିସିସି ସଭାପତିଙ୍କୁ ଭେଟି ମୀନାକ୍ଷି ବାହିନୀପତିଙ୍କୁ ଜିଲ୍ଲା ସଭାପତି ପଦରେ କାଏମ ରଖିବାକୁ ଅନୁରୋଧ କରିଥିଲେ । କହିଥିଲେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଚାପରେ ଜିଲ୍ଲା ସଭାପତି ବଦଳାଇବା ନିଷ୍ପତିକୁ ଗ୍ରହଣ କରିବୁ ନାହିଁ । ରାୟଗଡା ଓ କୋରାପୁଟ ଜିଲ୍ଲା ପାଇଁ ସାଂସଦଙ୍କ ବୈମାତୃକ ମନୋଭବାକୁ ବରଦାସ୍ତ କରାଯିବନାହିଁ ।

ଠିକ୍ ଦୁଇ ଦିନ ପରେ ଏହାକୁ କାଉଁଟର କରିବାକୁ କଂଗ୍ରେସ ଭବନ ପହଞ୍ଚିଛନ୍ତି ସାଂସଦ ସପ୍ତଗିରିଙ୍କ ସମର୍ଥକ । ହେଲେ ପିସିସି ସଭାପତି ଗୋଷ୍ଠୀ କନ୍ଦଳ ଚର୍ଚ୍ଚାକୁ ଏଡାଇଯାଇଛନ୍ତି । କହିଛନ୍ତି କିଏ ଜିଲ୍ଲା ସଭାପତି ହେବେ ତାର ନିଷ୍ପତି ଏଆଇସିସି ନେବ ।

କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦ ପାଇଁ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ବିଧାନସଭା ନିର୍ବାଚନକୁ ବର୍ଷେରୁ କମ ସମୟ ଅଛି । ଆଉ ଏପରି ସମୟରେ ଦୁଇ ନେତାଙ୍କ ପତିଆରା ରାଜନୀତି କୋରାପୁଟ କଂଗ୍ରେସ ପାଇଁ ଅଡୁଆ ବଢାଇଛି ।