ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି । ଜମି ପାଇଁ ବୁଲିଲା ଖଣ୍ଡା କାତି, ଧସ୍ତାଧସ୍ତି ମାରପିଟ ହେଲେ ସୀମାନ୍ତବାସୀ ।

232

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାରେ ଧସ୍ତାଧସ୍ତି ସହ ମାରପିଟ୍ । ଓଡ଼ିଶା ସୀମାକୁ ପଶି ଆସି ଆନ୍ଧ୍ରର ବନ ବିଭାଗର ଏକ ଟିମ ଜମି ଚିହ୍ନଟ କରୁଥିଲେ । କୋରାପୁଟ ପଟାଙ୍ଗୀ ବ୍ଲକର ଜାମ୍ବୁଗୁଡ଼ା ଗାଁ ଲୋକେ ଏହାକୁ ବିରୋଧ କରିବାରୁ ସୀମାରେ ମାରପିଟ ହୋଇଥିଲା । ଆନ୍ଧ୍ରର ୪ଜଣଙ୍କୁ ଆଣି ଓଡ଼ିଶା ସୀମାରେ ଅଟକ ରଖିଥିଲେ ସୀମାନ୍ତବାସୀ । ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ପରେ ଉତ୍ୟକ୍ତ ଲୋକଙ୍କ କବଳରୁ ମୁକୁଳିଛନ୍ତି ଆନ୍ଧ୍ର ବାସିନ୍ଦା ।

ପୁଣି ତେଜିଲା ଆନ୍ଧ୍ର-ଓଡିଶା ସୀମା ବିବାଦ । ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି । ଜମି ପାଇଁ ବୁଲିଲା ଖଣ୍ଡା କାତି, ଧସ୍ତାଧସ୍ତି ମାରପିଟ ହେଲେ ସୀମାନ୍ତବାସୀ । ଆନ୍ଧ୍ର-ଓଡିଶାର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସମ୍ବାଇ ପଂଚାୟତର ଜାମ୍ବୁଗୁଡା ଗାଁ ସୀମାରେ ଆଜି କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବକଙ୍କ ହାତରେ ଖଣ୍ଡା, କାତି, ଆଦିବାସୀଙ୍କ ପାରମ୍ପରିକ ଅସ୍ତଶସ୍ତ୍ର ଧରି ସମସ୍ତେ ଆନ୍ଧ୍ରର ବନ କର୍ମଚାରୀଙ୍କୁ ବିରୋଧ କରିଛନ୍ତି । ସୀମାନ୍ତ ଜମିରେ ଆନ୍ଧ୍ର ବନକର୍ମଚାରୀ ମାପଚୁପ କରିବାରୁ ତୀବ୍ର ଉତ୍ତେଜନା ଦେଖାଦେଇଛି । ସୀମା ଚିହ୍ନଟ କରୁଥିବା ଆନ୍ଧ୍ରର ୨ ବନକର୍ମଚାରୀ ଓ ୨ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ନିସ୍ତୁକ ମାଡ ମାରି ଓଡିଶା ସୀମାରେ ଅଟକ ରଖିଥିଲେ ଜାମ୍ବୁଗୁଡା ଗାଁର ଲୋକେ ।

ସୀମା ଚିହ୍ନଟ କରୁଥିବା ୪ ଜଣ ଆନ୍ଧ୍ରପ୍ରଦେଶର ଲୋକଙ୍କୁ ଜାମ୍ବୁଗୁଡା ଗାଁର ଲୋକେ ଅଟକ ରଖିଥିବା ଖବର ପାଇ ଘଟଣାସ୍ଥଳକୁ ଯାଇ ବୁଝୁସୁଝା କରିଥିଲେ ପଟାଙ୍ଗୀ ତହସିଲଦାର ଓ ପୁଲିସ ଅଧିକାରୀ । ପ୍ରଶାସନର ହସ୍ତକ୍ଷେପ ପରେ ଆନ୍ଧ୍ରର ୪ ଜଣଙ୍କୁ ଗ୍ରାମବାସୀ ଛାଡି ଦେଇଥିଲେ । ତେବେ ତୁରନ୍ତ ସୀମା ବିବାଦର ସମାଧାନ କରାନଗଲେ ଆଗକୁ ରକ୍ତାକ୍ତ ସଂଘର୍ଷ ହେବ ବୋଲି ଚେତେଇ ଦେଇଛନ୍ତି ସୀମାନ୍ତବାସୀ ।

ଗତ ନଭେମ୍ବରରେ ପଟାଙ୍ଗି ବ୍ଳକର ସୁନାବେଡ଼ାରେ ସୀମା ବିବାଦ ଜୋର ଧରିଥିଲା । ଆଲୋଚନା ଜରିଆରେ ସମାଧାନର ବାଟ ବାହାର କରିବାକୁ ଉଭୟ ରାଜ୍ୟର ପ୍ରଶାସନ ସହମତି ହୋଇଛନ୍ତି । ଗୋଟିଏ ପଟେ ଆଲୋଚନାର ପ୍ରସ୍ତାବ ଦେଇ ଆନ୍ଧ୍ର ଏବେ ଲୁଚି ଛପି ଓଡିଶାର ଜମିକୁ ନିଜ ସୀମା ଭିତରକୁ ନେବାକୁ ଉଦ୍ୟମ କରୁଛି । ଗୋଟିଏ ପଟେ ବଢ଼ି ଚାଲିଛି ସୀମା ବିବାଦ ଅନ୍ୟପଟେ ପ୍ରସାଶନ ଖୋଜୁଛି ସମାଧାନର ବାଟ ଆଉ ଏହାରି ଭିତରେ ସନ୍ତୁଳି ହେଉଛନ୍ତି ସୀମାନ୍ତବାସୀ ।