ଥମୁନି ହେଲିକପ୍ଟର ଅବତରଣ ବିବାଦ ! ନିଲମ୍ବନ ପ୍ରତ୍ୟାହାର ପରେ ବି ଆନ୍ଦୋଳନ

17

କନକ ବ୍ୟୁରୋ : ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ବିବାଦ ଏବେ ରାଜଭବନରେ ପହଂଚିଛି । ବିଜେପି କହିଛି- ପ୍ରତିଶୋଧ ପରାୟଣ ହୋଇ ଧର୍ମେନ୍ଦ୍ରଙ୍କ ହେଲିକପ୍ଟରକୁ ଅବତରଣ କରାଇବାରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେପଟେ ଜିଲ୍ଲାପାଳଙ୍କ ନିଷ୍ପତିକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଅଷ୍ଟମ ଦିନରେ ପହଂଚିଛି ।

ଠପ୍ ହୋଇଯାଇଛି ସରକାରୀ କାର୍ଯ୍ୟ । ଆନ୍ଦୋଳନରେ ବସିଛନ୍ତି କିରାଣୀ । ଜିଲ୍ଲାପାଳଙ୍କ ନିଷ୍ପତି ବିରୋଧରେ କୋରାପୁଟ ଜିଲ୍ଲା ଅମଲା ସଂଘ ବସିଛନ୍ତି ଧାରଣା । ନିଲମ୍ବିତ ୧୧ ଜଣ କିରାଣୀଙ୍କ ପୁନଃସ୍ଥାପନ ଏବଂ ବଦଳି ନିଷ୍ପତି ପରେ ବି ଜାରି ରହିଛି ଆନ୍ଦୋଳନ । ଗୋଟିଏ ପଟେ ଜିଲ୍ଲାପାଳ ଧରାଛୁଆଁ ଦେଉନଥିବା ବେଳେ ଅନ୍ୟପଟେ ଅଷ୍ଟମ ଦିନରେ ପହଂଚିଛି ଆନ୍ଦୋଳନ । ଏମାନଙ୍କର ଦାବି ହେଲା ଆଦେଶ ପ୍ରତ୍ୟାହାର ଏବଂ ବଦଳି ବାତିଲ୍ ।

ଅନ୍ୟପଟେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି ଟିମ୍ । ହେଲିପକ୍ଟର ଅବଦରଣ ବିବାଦ ଯୋଗୁଁ ଜିଲ୍ଲାରେ ସରକାରୀ କାର୍ଯ୍ୟ ପ୍ରଭାବିତ ହେଉଥିବା ଦର୍ଶାଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି ବିଜେପି । କୁହାଯାଉଛି ହେଲିପକ୍ଟର ଅବତରଣ ବିବାଦର କେନ୍ଦ୍ରରେ ୨ଟି ଚରିତ୍ର-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ମୁକାବିଲା ଭିତରେ ମୋହରା ସାଜୁଛନ୍ତି ଜିଲ୍ଲାପାଳ ଏବଂ କିରାଣୀ । ଯାହାଫଳରେ କୋରାପୁଟ ଜିଲ୍ଲାର ହିଁ କ୍ଷତି ହେଉଛି ।