କୋରାପୁଟ ସିଂହାସନ ପାଇଁ ଲଢ଼େଇ । ମୈଦାନରେ ବିଜେଡି ଓ କଂଗ୍ରେସର ଦୁଇ ନୂଆ ମୁହଁ, ସାମ୍ନାରେ ବିଜେପିର ଅଭିଜ୍ଞ ଜୟରାମ ପାଙ୍ଗୀ ।

କୋରାପୁଟ ଲୋକସଭା ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।

125

କନକ ବ୍ୟୁରୋ: ଆସନ୍ତା ୧୧ ତାରିଖରେ ରାଜ୍ୟର ୪ଟି ଲୋକସଭା ଆସନରେ ୧୯ ଯୁଦ୍ଧ ଆରମ୍ଭ ହେବ । ଏହି ୪ଟି ଲୋକସଭା କ୍ଷେତ୍ର ମଧ୍ୟରୁ ଛନକା ଭରୁଛି କୋରାପୁଟ ଲୋକସଭା କ୍ଷେତ୍ର । କାରଣ ଏବେ କୋରାପୁଟ ଲୋକସଭା ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ବିଜେପିର ପୁରୁଖା ନେତା ଜୟରାମ ପାଙ୍ଗୀଙ୍କୁ ଚେକ୍ ଦେବେ ଶାସକ ବିଜେଡିର ମହିଳା ପ୍ରାର୍ଥୀ କୌଶଲ୍ୟ ହିକ୍କକା ଓ କଂଗ୍ରେସର ସପ୍ତଗିରି ଉଲାକା । ପୁରୁଣା ଦୁର୍ଗକୁ ଫେରି ପାଇବାକୁ କଂଗ୍ରେସ କସରତ କରୁଥିବାବେଳେ ଗତ ଦୁଇଟି ନିର୍ବାଚନରେ ବିଜୟଧାରା ବଜାୟ ରଖିଥିବା ବିଜେଡି ହ୍ୟାଟ୍ରିକ୍ କରିବାକୁ ଅଣ୍ଟା ଭିଡ଼ିଛି । ସେପଟେ ଉଭୟ ବିଜେଡି ଓ କଂଗ୍ରେସର ପଥ ରୋକିବାକୁ ବିଜେପି ମଧ୍ୟ ବଳ କଷୁଥିବା ଦେଖିବାକୁ ମିଳିଛି ।

ରାଜ୍ୟ ରାଜନୀତିରେ ଏହି ସଂସଦୀୟ କ୍ଷେତ୍ରକୁ ନେଇ ଅଙ୍କ କଷା ଚାଲିଥିବାବେଳେ ଏହାୀ ଇତିହାସ ମଧ୍ୟ କଂଗ୍ରେସ ସପକ୍ଷରେ ରହିଛି । ୧୯୭୨ରୁ ୨୦୧୪ ମଧ୍ୟରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ମୋଟ୍ ୧୩ଥର ନିର୍ବାଚନ ହୋଇଛି । ଏଥିରୁ କଂଗ୍ରେସ ୧୧ ଥର ଓ ବିଜେଡି ୨ ଥର ବାଜି ମାରିଛି । ତେବେ ଚଳିତ ନିର୍ବାଚନରେ ବିଜେପି ତାର ପ୍ରଥମ ବିଜୟ ସ୍ୱାଦ ଚାଖିବାକୁ କମର କଷିଥିବା ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ଏହି ଆସନରେ ତିନି ପ୍ରମୁଖ ଦଳ ୩ ପ୍ରାର୍ଥୀ ମୈଦାନରେ ଜିଜାନ୍ ଲଗାଇ ଦେଉଛନ୍ତି ।

ବିଜେଡିରୁ ଟିକେଟ୍ ପାଇଥିବା କୌଶଲ୍ୟା ହିକକା ଶିକ୍ଷକତା ଛାଡ଼ି ପ୍ରଥମଥର ସେ ରାଜନୀତିକୁ ଓହ୍ଲାଇଛନ୍ତି। ସାଂସଦ ଝିନ୍ନ ହିକକାଙ୍କ ସ୍ତ୍ରୀ କୌଶଲ୍ୟାଙ୍କୁ ବିଜେଡି ସୁପ୍ରିମୋ ଭରସି ମହିଳାଙ୍କ ପାଇଁ ଆସନ ସଂରକ୍ଷ ନେଇ ଦେଇଥିବା କଥା ରଖିଛନ୍ତି ନବୀନ । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ସୁପୁତ୍ର ସପ୍ତଗିରି ଉଲ୍ଲାକା। ସ୍ଥାନୀୟ ଅଞ୍ଚଳରେ ଜଣେ ଇଞ୍ଜିନିୟର ପରିଚିତ ସପ୍ତଗିରୀଙ୍କୁ ଚଳିତବର୍ଷ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଛି । ଅପରପକ୍ଷେ ପୂର୍ବରୁ ମନ୍ତ୍ରୀ ଓ ସାଂସଦ ରହିଥିବା ଜୟରାମ ପାଙ୍ଗି ବିଜେପିର ମଙ୍ଗ ଧରିଛନ୍ତି । ସବୁଠାରୁ ରୋଚକ ବିଷୟ ହେଲା ଯେ, ରାଜନୀତିରେ ତାଙ୍କର ୪ ଦଶନ୍ଧିର ଅଭିଜ୍ଞତା ରଖିଥିବା ପାଙ୍ଗୀଙ୍କୁ ପ୍ରଥମଥର ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ବିଜେଡି ଓ କଂଗ୍ରେସର ନୂଆ ମୁହଁ ସାମ୍ନା କରିବେ । ଏହି ଏଢ଼େଇ ଏକ ରୋମାଞ୍ଚକର ଲଢ଼େଇ ହେବ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି ।

ଅପରପକ୍ଷେ ପୂର୍ବ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କରିଲେ ଜଣାପଡ଼େ ଯେ, ୨୦୦୯ ନିର୍ବାଚନରେ ଏହି ଆସନରୁ ବିଜେଡିର ପ୍ରାର୍ଥୀ ଭାବେ ଜୟରାମ ପାଙ୍ଗୀ କଂଗ୍ରେସର ଗିରିଧର ଗମାଙ୍ଗଙ୍କୁ ୯୬ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି କଂଗ୍ରେସର ଦୁର୍ଗକୁ ଭାଙ୍ଗିଥିଲେ । ୨୦୧୪ରେ ବିଜେଡି ପ୍ରାର୍ଥୀ ବଦଳାଇ ଲକ୍ଷ୍ମୀପୁର ବିଧାୟକ ଥିବା ଝିନ୍ନ ହିକକାଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ୨୦ ହଜାର ଭୋଟ ବ୍ୟବଧାନରେ କଂଗ୍ରେସର ଗମାଙ୍ଗଙ୍କ ଠାରୁ ବିଜୟ ହୋଇଥିବାବେଳେ ଭାଜପାର ଶିବ ଶଙ୍କର ଉଲ୍ଲାକା ୮୯,୭୮୮ ଖଣ୍ଡ ଭୋଟ ପାଇ ତୃତୀୟ ରହିଥିଲେ।

କୋରାପୁଟ ସଂସଦୀୟ କ୍ଷେତ୍ର ରୂପରେଖକୁ ଯଦି ଦେଖାଯାଏ ତେବେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କୋରାପୁଟ, ଜୟପୁର, ପଟ୍ଟାଙ୍ଗି ବିଧାନସଭା ଆସନ ଓ ରାୟଗଡ଼ା ଜିଲାର ଗୁଣୁପୁର, ବିଷମକଟକ ଓ ରାୟଗଡ଼ା ବିଧାନସଭା ଆସନକୁ ନେଇ ଏହି ସଂସଦୀୟ କ୍ଷେତ୍ର ଗଠିତ ହୋଇଛି । ଏହା ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ତେବେ ବିଜେଡିର କୌଶଲ୍ୟା ହିକକା ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ସ୍ବାମୀ ଝିନ୍ନ ହିକକାଙ୍କ ପ୍ରତି ରହିଥିବା ଲୋକଙ୍କ ସମର୍ଥନକୁ ପାଥେୟ କରି ଲଢୁଛନ୍ତି । ଅନ୍ୟପଟେ କଂଗ୍ରେସର ସପ୍ତଗିରି ଉଲ୍ଲାକା ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ଲୋକପ୍ରିୟତା ଓ କଂଗ୍ରେସର ପକେଟ ଭୋଟକୁ ନେଇ ନିର୍ବାଚନ ଜିତିବା ଲକ୍ଷ୍ୟ ରଖିଛନ୍ତି । ହେଲେ ଭାଜପାରୁ ଅଭିଜ୍ଞ ନେତା ଜୟରାମ ପାଙ୍ଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ସାଙ୍ଗକୁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଆୟୁଧ କରି ଭୋଟରଙ୍କ ସମର୍ଥନ ପାଇବା ପାଇଁ ଆଶା ରଖିଛନ୍ତି । ଦେଖିବାର କଥା ଯେ ଭୋଟର ଅଭିଜ୍ଞ ନେତାଙ୍କୁ ଭରସୁଛନ୍ତି ନା ନୂଆ ମୁହଁକୁ ସେବା କରିବାକୁ ସୁଯୋଗ ଦେଉଛନ୍ତି ।