କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଯୋଜନାରେ ସାମିଲ୍ ହୋଇଥିବା ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ଭେଟିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ଉଭୟ ଜିଲ୍ଲା ଗମନାଗମନ କ୍ଷେତ୍ରରେ ବହୁ ପଛରେ ପଡିଥିବାରୁ ପ୍ରକଳ୍ପ ତାଲିକା ଦେଇ ଖୁବ୍ ଶୀଘ୍ର କାମ ଆରମ୍ଭ କରିବାକୁ ଦାବି ରଖିଛନ୍ତି ସାଂସଦ।
ଆଦିବାସୀ ଅଧ୍ୟୁଷିତ ଉଭୟ ଜିଲ୍ଲାର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ୨୬ ଓ ୩୨୬ ନଂ ଜାତୀୟ ରାଜପଥ। ବୋରିଗୁମ୍ମା-ଜୟପୁର-କୋରାପୁଟ-ପଟାଙ୍ଗୀ-ସୁଙ୍କି ଦେଇ ଆନ୍ଧ୍ରରେ ୫ ନଂ ଜାତୀୟ ରାଜପଥକୁ ସଂଯୋଗ ହୋଇଛି ୨୬ ନଂ ଜାତୀୟ ରାଜପଥ। କିନ୍ତୁ ପ୍ରବଳ ବର୍ଷା ଯୋଗୁ ରାସ୍ତା ସଂପୂର୍ଣ୍ଣ ଧୋଇ ଯାଇଥିବାରୁ ଯାତାୟାତରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୫୦ କିମି ବିଶିଷ୍ଟ ଏହି ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଦୈନିକ ୫ରୁ ୬ଟି ସଡ଼କ ଦୁର୍ଘଟଣା ଘଟୁଥିବା ସାଂସଦ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।
Got detailed reply from Shri @nitin_gadkari whom I had met after raising issue on Parliament on NH26, NH 326, bypasses & other issues in Koraput Parliament. True to his assurances he has given a detailed response on all the issues & am confident all these will be fixed eventually pic.twitter.com/aAd3NTzLPq
— Saptagiri Ulaka (@saptagiriulaka) October 25, 2020
ସେହିପରି କୋରାପୁଟରୁ ବାହାରି ଭାୟା ରାୟଗଡ଼ା-ଅଡବା-ମୋହନା ଦେଇ ଆସ୍କାକୁ ସଂଯୋଗ ହୋଇଥିବା ୩୨୬ ନଂ ଜାତୀୟ ରାଜପଥ କାମ ଦୀର୍ଘ ୯ ବର୍ଷ ଧରି ଚାଲିଛି। ହେଲେ କାମ ସରିପାରୁନି। ଏହି ରାଜପଥର ମୁକୁନ୍ଦପୁର ଘାଟିରେ ବାରମ୍ବାର ଅତଡ଼ା ଖସୁଥିବାରୁ ଏ ଦିଗରେ ପଦକ୍ଷେପ ନେବା ସହିତ ଉଭୟ ଜାତୀୟ ରାଜପଥକୁ ୪ ଲେନ୍ ବିଶିଷ୍ଟ କରିବାକୁ ସାଂସଦ ଦାବି କରିଛନ୍ତି। ଦୁଇ ଜିଲ୍ଲା ଶିଳ୍ପ ସମୃଦ୍ଧ ହେବାରେ ଲାଗିଥିବାରୁ ମାଲବାହୀ ଟ୍ରକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ରାୟଗଡ଼ା, ଜୟପୁର, କୋରାପୁଟ, କାକିରିଗୁମ୍ମାରେ ବାଇପାସ୍ ନିର୍ମାଣ ଜରୁରି ହୋଇ ପଡିଛି। ରାୟଗଡ଼ାରେ ବାଇପାସ୍ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପ୍ରସ୍ତାବ ଯାଇନଥିବା ବେଳେ ଜୟପୁରରେ ଜମି ଅଧିଗ୍ରହଣ କାମ ସରିଛି। କୋରାପୁଟରେ ରେଳ ବିଭାଗ ଜମି ଦେଉନଥିବାରୁ କାମ ଅଟକିଛି। କୋଡିଙ୍ଗାମାଳି ମାଇନସ୍ ଯୋଗୁ ଦୈନିକ ଶତାଧିକ ମାଲବାହୀ ଟ୍ରକ୍ ଚଳାଚଳ କରୁଥିବାରୁ ବାଇପାସ୍ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବାକୁ ସାଂସଦ ଦାବି କରିଛନ୍ତି।
ସେହିପରି ଭବାନୀପାଟଣା-ମୁନିଗୁଡ଼ା-ବିଷମକଟକ-ରାୟଗଡ଼ା-ପାର୍ବତୀପୁରମ-ବିଜୟନଗରମକୁ ସଂଯୋଗ କରୁଥିବା ରାସ୍ତାକୁ ଜାତୀୟ ରାଜପଥ ଭାବେ ଘୋଷଣା, ପ୍ରସ୍ତାବିତ ଗୁଣପୁର-ବାଲିଗୁଡ଼ା ଭାୟା ପଦ୍ମପୁର-ଗୁଡାରି-ଚନ୍ଦ୍ରପୁର ଦେଇ ରାଜପଥ ନିର୍ମାଣ କରିବାକୁ ସାଂସଦ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଦୁଇ ପ୍ରସ୍ତାବିତ ପ୍ରକଳ୍ପ ବାସ୍ତବ ରୂପ ନେଲେ ଅପହଞ୍ଚ ଇଲାକାର ବିକାଶ ହେବା ସହ ଲକ୍ଷାଧିକ ଲୋକ ଉପକୃତ ହେବେ। ଅନ୍ୟପକ୍ଷରେ କୋଲାବ ଜଳ ଭଣ୍ଡାର ଯୋଗୁ ଲମତାପୁଟ ବ୍ଲକର ୬ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବାରୁ ସିନ୍ଧିପୁଟ ଘାଟରେ ୧୨୦୦ ମିଟର ଲମ୍ବର ପୋଲ ଓ ରାସ୍ତା ନିର୍ମାଣ କରିବାକୁ ସାଂସଦ ଦାବି ଉପସ୍ଥାପନ କରିଛନ୍ତି।