ମୁଣ୍ଡ ଉପରୁ ମମତା ଭରା ପଣତ ଆଉ ବାପାଙ୍କ ସ୍ନେହଭରା ହାତ ହଟିଯିବା ପରେ ଅସହାୟ ୪ ନାବାଳକ । ବାପା-ମାଆ ଛେଉଣ୍ଡ ପରେ କଅଁଳ କାନ୍ଧରେ ଏବେ ଦୁଃଖର ପାହାଡ଼ । କେମିତି ଗଢ଼ିବେ ଭବିଷ୍ୟତ ? ଶୁଣ ସରକାର କୋରାପୁଟର କରୁଣ କାହାଣୀ ଶୁଣ…

556

କନକ ବ୍ୟୁରୋ : ଦେଢ଼ ବର୍ଷ ତଳେ କ୍ୟାନସର ରୋଗ ମାଆକୁ ଛଡେଇ ନେଇଥିଲା । ଆଉ ଏବେ ଆରପାରିକୁ ଚାଲିଗଲେ ବାପା । ସମୟ ସ୍ରୋତରେ ବାପା-ମାଆ ଦୁଇ ଜଣ ଆଖି ବୁଜିଦେବା ପରେ ଅସହାୟ ହୋଇ ପଡ଼ିଛନ୍ତି ୪ ନାବାଳକ । ଆଗକୁ ଲମ୍ବା ଜୀବନ ପଡିଥିବା ବେଳେ କେମିତି ବଂଚିବେ ଏମାନେ, କଣ ଖାଇବେ, କଣ ହେବ ଏମାନଙ୍କ ଭବିଷ୍ୟତ ? ଏବେ ଏହି ଚିନ୍ତା କୁନି କୁନି ଜୀବନକୁ ବ୍ୟତିବ୍ୟସ୍ତ କରିଛି ।

କଅଁଳ ମୁଣ୍ଡରେ ଦୁଃଖର ପାହାଡ଼ । ଅସହାୟ କରିଦେଲା ଦୁଃସମୟ । ଭଙ୍ଗା ଘରେ ୪ ଅସହାୟ କଅଁଳ ଜୀବନ । ଜୀବନ ଆରମ୍ଭ ନହେଉଣୁ ଶେଷ ହୋଇଯିବାକୁ ବସିଛି । କୁନି କୁନି ୪ ଭାଇଙ୍କ ମୁଣ୍ଡ ଉପରୁ ହଟିଯାଇଛି ମାଆର ମମତା ଭରା ପଣତ ଓ ବାପାଙ୍କ ସ୍ନେହବୋଳା ହାତ । ଆଗପଛ କରି ମାଆ-ବାପାଙ୍କୁ କୋଳେଇ ନେଇଛି ମୃତ୍ୟୁ । ଆଉ ଏମାନଙ୍କ ଜୀବନକୁ ନିଶ୍ୱ କରିଦେଇଛି ଦୁଃଖର ପାହାଡ । କୋରାପୁଟ ଜିଲ୍ଲା ଜୟପୁର ସହରର ଜମୁନାଗୁଡ଼ାର ଏହି ୪ନାବାଳକଙ୍କ ଅସହାୟ ଜୀବନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି ।

କ୍ୟାନ୍ସର ରୋଗ ମାଆକୁ ଛଡେଇ ନେବା ପରେ ୪ ନାବାଳକ ପୁଅଙ୍କ ପାଇଁ ଦାନା ଯୋଗାଡ କରୁଥିଲେ ବାପା ଗୌରୀଶଙ୍କର ଦାସ । ହେଲେ ସେତକ ବି ଛଡାଇ ନେଲା ଦଇବ । ହଠାତ ଅଜଣା ରୋଗରେ ପୀଡିତ ହୋଇ ୯ ଦିନ ତଳେ ନାବାଳକ ପୁଅଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି ଗୌରୀଶଙ୍କର । ଆଉ ବନ ବିଭାଗର ଏହି ପରିତ୍ୟକ୍ତ ଘରେ ଏମାନେ ଆଶ୍ରୟ ସ୍ଥଳ ପାଲଟିଥିବା ବେଳେ ମରିଚିକା ପାଲଟିଛି ଭବିଷ୍ୟତ ।

ସେପଟେ ୪ ଭାଇଙ୍କ ଅସହାୟତାର କରୁଣ କାହଣୀ ଶୁଣିବା ପରେ ଏମାନଙ୍କୁ ଭେଟିଛନ୍ତି ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଓ ଚାଇଲ୍ଡ ଲାଇନ୍ ସଦସ୍ୟା । କାହା ଭାଗ୍ୟରେ ହସ ତ କାହା ଭାଗ୍ୟରେ ଦୁଃଖ । ଏହି ହସ ଖୁସିର ଦୁନିଆରେ ପୁଣି ଥରେ ନାବାଳକଙ୍କ ଜୀବନରେ ଖୁସି ଫେରିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।