ବିଶ୍ୱ ବଜାରରେ ମିଳିବ କୋରାପୁଟ ମାଣ୍ଡିଆ: ଅନଲାଇନରେ ଅର୍ଡର କରିପାରିବେ ଗ୍ରାହକ

88

କନକ ବ୍ୟୁରୋ: ବିଶ୍ୱ ବଜାରରେ ମିଳିବ କୋରାପୁଟ ମାଣ୍ଡିଆ । ଖୋଲା ବଜାର ନୁହେଁ ଆମାଜନରେ ଉପଲବ୍ଧ ହେବ ମାଣ୍ଡିଆ । କଳାଜିରା ଧାନ ପରେ କୋରାପୁଟର ମାଣ୍ଡିଆ ଏବେ ଚାଷୀଙ୍କ ପାଇଁ ଆଣିଦେଇଛି ଆଉ ଏକ ଖୁସି ଖବର । ଅନଲାଇନ୍ରେ କୋରାପୁଟ ମାଣ୍ଡିଆ ବିକ୍ରି ହେଲେ ଏହାର ଚାହିଦା ବଢ଼଼ିବା ସାଙ୍ଗକୁ ଚାଷରେ ଉନ୍ନତି ଆସିବ । ଅଧିକ ଚାଷୀ ମାଣ୍ଡିଆ ଚାଷ ପାଇଁ ଆଗ୍ରବ ପ୍ରକାଶ କରିବେ ।

ଘରେ ବସି ଅନଲାଇନ୍ରେ ଅର୍ଡର କଲେ ଆପଣଙ୍କ ପାଖରେ ପହଂଚି ଯିବ କୋରାପୁଟ ମାଣ୍ଡିଆ । ୫୦ରୁ ୬୦ ଟଙ୍କାରେ ୧ କିଲୋଗ୍ରାମ ମାଣ୍ଡିଆ ପାଇ ପାରିବେ ଗ୍ରାହକ । ଆମାଜନ୍ରେ କେଜିକିଆ ପ୍ୟାକେଟ୍ରେ ମିଳିବ ମାଣ୍ଡିଆ । ବହୁ ପୁର୍ବରୁ କୋରାପୁଟରେ ମାଣ୍ଡିଆ ଚାଷ ହୋଇ ଆସୁଥିଲେ ସୁଧା ଏହା କେବଳ ଆଦିବାସୀ ଅଂଚଳର ଦୈନଦିନ ମାଣ୍ଡିଆ ଯାଉରେ ସୀମିତ ଥିଲା । ହେଲେ ଏବେ ମାଣ୍ଡିଆରେ ବର଼ା, ପାକୁଡ଼ି, ପୁରି, ଇଡ଼ଲି, ଦୋଶା, ସୁପ୍, ମାଣ୍ଡିଆ ରସୋଗୋଲା, ମାଣ୍ଡିଆ ମିସ୍କର ମଧ୍ୟ ତିଆରି ହେଉଛି । ମାଣ୍ଡିଆର ଗୁଣବତା ଓ ଚାହିଦା ବାବଦରେ ଜାଣିବା ପରେ ଏହାର ବିକ୍ରି ବଢାଇବା ପାଇଁ ଆଗକୁ ଆସିଛନ୍ତି ଓରମାସ ଓ ସ୍ୱାମି ନାଥନ୍ । ଅନଲାଇନ୍ ଜରିଆରେ ସାମଗ୍ର ଦେଶରେ ମାଣ୍ଡିଆ ବିକିବା ପାଇଁ ବ୍ୟବସ୍ଥା ହୋଇଛି ।

ପୂର୍ବରୁ ଚାଷୀ ୨୦ରୁ ୨୫ ଟଙ୍କାରେ କେଜି ପିଛା ମାଣ୍ଡିଆ ବିକ୍ରୀ କରୁଥିଲେ । ଏବେ ୫୦ରୁ ୬୦ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି । ମହିଳା ଚାଷୀଙ୍କୁ ସଶକ୍ତିକରଣ କରିବା ଓ ସେମାନଙ୍କ ଜୀବନ-ଜୀବିକାରେ ପରିବର୍ତନ ଆଣିବା ଉଦେଶ୍ୟରେ ଏଭଳି କାରବାର କରାଯାଉଥିବା କହିଛନ୍ତି ସ୍ୱାମୀ ନାଥନର ମହିଳା ଅଧିକାରି ।

କୋରାପୁଟ ଜିଲ୍ଳା ପ୍ରଶାସନ ଓ ସ୍ୱାମି ନାଥନ ଫାଉଣ୍ଡେସନ ସହାୟତାରେ ମାଣ୍ଡିଆର ବିଭିନ୍ନ ପ୍ରଜାତି ପ୍ରସ୍ତୁତ କରିବା ସହ ଅଧିକ ଅମଳ ପାଇଁ ଚାଷ ପଦ୍ଧତିକୁ ମଧ୍ୟ ପରିବର୍ତନ କରାଯାଇଛି । ଚାଷୀ ଆଉ ଚିରାଚରିତ ଢଙ୍ଗରେ ଚାଷ ନକରି ଶ୍ରୀ ପଦ୍ଧତିରେ ଚାଷ କରୁଛନ୍ତି । ଅମଳ ଶସ୍ୟକୁ ଓରମାସ ତରଫରୁ ସଂଗ୍ରହ କରି ବଜାର ଭିତିକ କରାଯାଇଛି । ପୂର୍ବରୁ ଜିଲ୍ଳା ବାହାରେ ବିକ୍ରି ପାଇଁ ବାଟ ଖୋଲିଥିବା ବେଳେ ଏବେ ରାଜ୍ୟ ବାହାରେ କୋରାପୁଟ ମାଣ୍ଡିଆର ଚାହିଦା ବଢ଼ିଛି । ଆମାଜନରେ ଏବେ କୋରାପୁଟର ମାଣ୍ଡିଆ ମିଳୁଥିବା ବେଳେ ଆଗକୁ କାଙ୍ଗୁଚାଉଳ, ସୁଆଁ ଚାଉଳ ମଧ୍ୟ ଉପଲବ୍ଧ ହେବ ।