ଗାଁର ପରମ୍ପରା ଆଗରେ ହାର ମାନୁଛି ସହରର ଆଧୁନିକତା। ସଂପର୍କ ଯୋଡୁଛି କାଠ କଣ୍ଡେଇର ବାହାଘର। ଆଜି ବି ବଞ୍ଚି ରହିଛି ଏକତା

204

କନକ ବ୍ୟୁରୋ: ଆଜିର ଆଧୂନିକ ଯୁଗରେ ସହରରେ ସମ୍ପର୍କ ସ୍ଥାପନ କରିବା ହେଉ କି ନିଜ ପରିବାର ସହ ସମ୍ପର୍କ ଯୋଡ଼ିବା ହେଉ ,କାହା ପାଖେ ସମୟ ନାହିଁ, ସମ୍ପର୍କ ଧିରେ ଧିରେ ନିରାଶ ପଥକୁ ଚାଲିଯାଉଥିବା ବେଳେ, ଆଦିବାସୀ ଗ୍ରାମରେ ବହୁ ବର୍ଷ ଧରି କାଠର କଣ୍ଡେଇର ବାହାଘର ୩ ଟି ଗ୍ରାମକୁ କରିଛି ଆପଣାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳାର ହାଡ଼ିଆ ପଚାଂୟତରେ । କଣ୍ଡେଇ ବାହାଘର ମାଧ୍ୟମରେ ନିଜର ଆରାଧ୍ୟ ଦେବା ଦେବୀଙ୍କୁ ଆରାଧନା କରିଥାନ୍ତି । ଯାହାଦ୍ୱାରା ପରିବାର ଓ ବନ୍ଧୁ ବାନ୍ଧବଙ୍କ ସମ୍ପର୍କ ନିବିଡ଼ ହୋଇ ବଢ଼ି ଚାଲିଛି । ବାହାଘର ଭୋଜିରେ ୪୦ଟି ଗ୍ରାମର ଲୋକେ ହେଲେ ଅତିଥି ।

ବହୁ ପୁରାତନ କାଳରୁ ଆଦିବାସୀ ଅଚଂଳ କୁହାଯାଉଥିବା ହାଡ଼ିଆ ପଂଚାୟତର ୩ଟି ଗ୍ରାମ ଶିରୁଗୁଡ଼ା, ସିନ୍ଧିଗାଁ ଓ ହାଡ଼ିଆ ଗ୍ରାମ ବାସୀ ପ୍ରତି ୫ ବର୍ଷକୁ ଥରେ କାଠର କଣ୍ଡେଇ ବାହାଘର କରି ଜଣେ ଅନ୍ୟ ଗାଁକୁ କରନ୍ତି ନିମନ୍ତ୍ରଣ, ଭୋଜି ଭାତ ସହ ନାଚ ଗୀତର ଆୟୋଜନ କରିଥାନ୍ତି । ୨ ଦିନ ଧରି ଚାଲୁଥିବା ଏହି ପରମ୍ପରାରେ ଗାଁର ଦେବାଦେବୀଙ୍କୁ ମଧ୍ୟ ପୂଜା ଅର୍ଚ୍ଚନା କରି ବାଲି ଯାତ୍ରା ପାଳନ କରନ୍ତି, ଏହି ଯାତ୍ରାରେ ଆଖପାଖର ପ୍ରାୟ ୪୦ ଟି ଗ୍ରାମରୁ ଅଧିକା ଲୋକଙ୍କ ଭିଡ଼ ଦେଖିବାକୁ ମିଳେ, ସମସ୍ତ ବନ୍ଧୁ ବାନ୍ଧବ, ସାଙ୍ଗକୁ ଯିଏ ଯେତେ ଦୁରରେ ରହିଲେ ମଧ୍ୟ ଏହି ପର୍ବରେ ଯୋଗଦାନ କରିବାପାଇଁ ଚାଲି ଆସନ୍ତି । ନୂଆ ସମ୍ପର୍କ ଗଢିବା ଓ ପୁରୁଣାକୁ ମନେ ପକାଇବା ଏକ ପ୍ରମୁଖ ମାଧ୍ୟମ ପାଲଟିଛି ।  ଏହି ବାହାଘର ମାଧ୍ୟମରେ ଗାଁର ଦେବା ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ସହ ଗାଁ ପରିକ୍ରମା କରାଯାଇ କାଠର କଣ୍ଡେଇର ବାହାଘର ସ୍ଥାନରେ ଦେବା ଦେବୀଙ୍କୁ ରଖାଯାଇଥାଏ । ଏଥି ।ଇଁ ୩ ମାସ ଆଗରୁ ସବୁ କିଛି ପ୍ରସ୍ତୁତ କରାଯାଇଥାଏ ।

ଏହି ଯାତ୍ରାରେ ଗାଁର ମହିଳା ମାନେ ମୁଣ୍ଡରେ ବାଲି ଚାଙ୍ଗୁଡ଼ା ଧରି ନିଜ ଦେବା ଦେବୀଙ୍କ ସହ ପଟୁଆରରେ ବାହାରିଥାନ୍ତି । ଯାହାକୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥାଏ । ଏହି ଯାତ୍ରାରେ କୁନି କୁନି ଝିଅ ମାନେ ଯେଉଁମାନେ କି ନିଷ୍ଟାର ସହ ପାଳନ କରନ୍ତି ତାଙ୍କ ଉପରେ ଦେବା ଦେବୀଙ୍କ ପ୍ରବେଶ ହୋଇଥାଏ ଯାହାକି ସେମାନେ ନିଜକୁ ଭୁଲି ଯାଇ ବାଜାର ତାଳେ ତାଳେ ନାଚିବାକୁ ଲାଗନ୍ତି ପରେ ପୂଜକ ଦ୍ୱାରା ଜଳ ଛିଞ୍ଚନ ପରେ ନିଜ ସ୍ଥିତିକୁ ଫେରନ୍ତି । ଏହି ଯାତ୍ରା ଦ୍ୱାରା ଆଗାମୀ ଫସଲ ଓ ଗାଁ ଗାଁ ମଧ୍ୟରେ ସୁ ସମ୍ପର୍କ ଗଢ଼ି ଉଠିଥାଏ । ଗୋଟିଏ ଗ୍ରାମର ଲୋକ କନ୍ୟା ଘର ହୋଇଥିବା ବେଳେ ଅନ୍ୟ ଏକ ଗ୍ରାମର ଲୋକ ବର ଘର ହୋଇ ଥାନ୍ତି । ଗାଁରେ ଏଥି ପାଇଁ ସଗଂଠିତ ହୋଇ ଚାନ୍ଦା ଆଦାୟ କରି ଭୋଜି ଭାତ ସହ ବାହାଘର ଓ ପୂଜା ଅର୍ଚ୍ଚନା କରାଯାଇଥାଏ, ଯାହା ଦ୍ୱାରା ଗାଁରେ ଶାନ୍ତି ବଜାୟ ରହିଥାଏ ବୋଲି କହିଛନ୍ତି କନ୍ୟା ଓ ବର ଘର ଗ୍ରାମ ବାସୀ ।

ପରମ୍ପରା ହେଉ କି ଯାତ୍ରା ଗାଁରେ ଆଜି ବି ବଞ୍ଚି ରହିଛି ଭାଇଚାରା ସମ୍ପର୍କ ,ଯାହାକି ଆଜିର ବ୍ୟସ୍ତ ବହୁଳ ଦୁନିଆରେ ସହରରେ ତାହା ଦେଖିବାକୁ ମିଳେ ନାହିଁ ।