ଜ୍ଞାନ ବାଣ୍ଟୁ ବାଣ୍ଟୁ ବାଣ୍ଟିଦେଲେ କରୋନା । ଜୟପୁରର ଶିକ୍ଷକ ବନିଗଲେ ସୁପର ସ୍ପ୍ରେଡର । ୩୫ ଜଣଙ୍କୁ ପଢାଇଛନ୍ତି ପାଠ, ଏଯାଏଁ ଆସିଲାଣି ୮ ଜଣଙ୍କ ପଜିଟିଭ୍ ରିପୋର୍ଟ । ସଂକ୍ରମିତ ତାଲିକାରେ ପରିବାର ଓ ପଡୋଶୀ ।

692

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଂଟୁଥିବା ଏହି ଶିକ୍ଷକ ଯେ, କରୋନା ବାଂଟିବେ ତାହା ହୁଏତ କେହି କେବେ କଳ୍ପନା କରିନଥିବେ । ସେ ବି ଜାଣି ନଥିବେ, ସେ ତାଙ୍କ ଛାତ୍ରମାନଙ୍କ ପାଇଁ କରୋନା ବାହକ ସାଜିବେ । ହେଲେ କୋରାପୁଟ ବୋରିଗୁମ୍ମାର ଜଣେ ଶିକ୍ଷକ ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ସଂପୃକ୍ତ ଶିକ୍ଷକ ଭୂତାଣୁ ସଂକ୍ରମିତ ବୋଲ ଜଣାପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସି ପତ୍ନୀ ଓ ପଡୋଶୀଙ୍କ ସମେତ ୮ ଜଣ ଆକ୍ରାନ୍ତ ହୋଇଛନ୍ତି ।

ବୋରିଗୁମ୍ମା ଶିକ୍ଷକ ଜଣଙ୍କ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ୨୫ ଜଣଙ୍କର ନେଗେଟିଭ ଆସିଛି ଏବଂ ୨ ଜଣ ଛାତ୍ରୀ ଓ ଜଣେ ଛାତ୍ର ପଜିଟିଭ ବୋଲି ଜଣା ପଡିଛି । ଶିକ୍ଷକଙ୍କ ଦ୍ୱାରା କରୋନା ସଂକ୍ରମଣ ବ୍ୟାପୁଥିବା ଆଶଙ୍କା କରି ବୋରିଗୁମ୍ମା ପଂଚାୟତର ୩ଟି ବସ୍ତିକୁ କଂଟେନମେଂଟ ଜୋନ କରାଯାଇଛି । ଜୁଲାଇ ୧ ତାରିଖରୁ ପର୍ଯ୍ୟାୟକ୍ରମେ ଚିହ୍ନଟ ହୋଇଥିବା ବସ୍ତିକୁ ୫ ଦିନିଆ ଅବରୋଧ ଅଂଚଳ ଘୋଷଣା କରିଛି କୋରାପୁଟ ପ୍ରଶସାନ ।

ବସ୍ତି ଅଂଚଳକୁ କଂଟେନମେଂଟ ଜୋନ କରାଯାଇଥିବା ବେଳେ ଏହାର ଆଖପାଖ ଅଂଚଳକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ନମୂନା ସଂଗ୍ରହ କରିବା ସହ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଉଛି ।