ବାଜ୍ୟାପ୍ତ ହେବ କୋରାପୁଟ ଜିଲ୍ଲାପାଳଙ୍କ କାର : ୱାରେଣ୍ଟ ଜାରି କଲେ ସିନିୟର ଡିଭିଜନ ସିଭିଲ ଜଜ୍

1,251

କନକ ବ୍ୟୁରୋ : ବାଜ୍ୟାପ୍ତ ହେବ କୋରାପୁଟ ଜିଲ୍ଲାପାଳଙ୍କ କାର । କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାରକୁ ନିଜ ଦାଖଲକୁ ନେବା ପାଇଁ ୱାରେଂଟ ଜାରି କରିଛନ୍ତି କୋରାପୁଟ ସିନିଅର ଡିଭିଜନ ସିଭିଲ ଜଜ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲମିରା, ଚେୟାର, ଟେବୁଲ ମଧ୍ୟ ନିଜ ଦଖଲକୁ ନେବାକୁ ଆବେଦନକାରୀଙ୍କ ସପକ୍ଷରେ ୱାରେଂଟରେ ଉଲ୍ଲେଖ ରହିଛି । ଆବେଦନକାରୀ ପାଇବାକୁ ଥିବା ମୂଲ୍ୟ ପରିମାଣର ସମ୍ପତି ଆଟେଚ କରିବାକୁ ନିର୍ଦ୍ଦେଶ ରହିଛି ।

୨୦୧୦ମସିହାରୁ ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟକୁ ସିଏମଆରଏଫ ଯୋଜନାରେ ୨ଲକ୍ଷ ୬୩ହଜାର ୮୩୯ଟଙ୍କାର ଔଷଧ ଯୋଗାଣ କରିଥିଲେ । ଅର୍ଥ ଦେବାରେ ଟାଳଟୁଳ ନୀତି ଆପଣାଇବାରୁ ଏଜେନ୍ସି ଅଦାଲତର ଆଶ୍ରୟ ନେଇଥିଲେ । ମାମଲା ଜନିତ ଖର୍ଚ୍ଚ ସହ ମୋଟ ୪ଲକ୍ଷ ୩୩ହଜାର ୭୭୪ଟଙ୍କା ଦେବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଔଷଧ ଯୋଗାଣ କରି ସଂସ୍ଥା ଦି ମଦର ମେଡିକାଲ ଷ୍ଟୋରର ମାଲିକ ହରେକୃଷ୍ଣ ମହାନ୍ତି ଅର୍ଥ ପାଇବା ପାଇଁ ଅଦାଲତର ଆଶ୍ରୟ ନେଇଥିଲେ । ସିନିଅର ସିଭିଲ ଜଜ କୋରାପୁଟ ୨୦୧୮ମସିହାରେ ଡିଗ୍ରୀ ଆଦେଶ ଦେଇଥିଲେ ।

ଅଦାଲତଙ୍କ ନିର୍ଦ୍ଦେଶ ସତ୍ୱେ ଏଜେନ୍ସିକୁ ଟଙ୍କା ପୈଠ କରିନାହାନ୍ତି ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟ । ଟଙ୍କା ପଇଠ କରିବା ପାଇଁ ପୁଣି ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଏଜେନ୍ସି । ଟଙ୍କା ପଇଠ ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗାଡି ନମ୍ବର ଓଡି୧୦ଡି ୦୯୯୯ ଗାଡି ଓ ୧୦ଟି ଟେବୁଲ, ୧୦ଟି ଚେୟାର, ୧୦ଟି ଏସି, ୨୦ଟି ଫ୍ୟାନ ୧୦ଟି ଆଲମିରା ଆଟେଚମେଂଟ କରିବାକୁ ସିନିଅର ସିଭିଲ କୋର୍ଟ କୋରାପୁଟଙ୍କ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା ।