କ୍ଲର୍କ ବନାମ କଲେକ୍ଟର୍ ! ବିବାଦରେ ଧର୍ମେନ୍ଦ୍ରଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ

37

କନକ ବ୍ୟୁରୋ : ବିବାଦରେ ଧର୍ମେନ୍ଦ୍ରଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ । ବୋରିଗୁମ୍ମାରେ କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣକୁ ନେଇ ଅଭାବନୀୟ ସ୍ଥିତି । ମୁହାଁମୁହିଁ କଲେକ୍ଟର ଓ ଅମଲା ସଂଘ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟରକୁ ପଂଚାୟତ ନିର୍ବାଚନ ପୂର୍ବରୁ କୋରାପୁଟର ବୋରିଗୁମାରେ ଅବତରଣ ଅନୁମତି ଦେବା ପ୍ରସଂଗକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଏଭଳି ଅବତରଣକୁ ମନା କରିଥିଲେ ।

କିନ୍ତୁ ପରବର୍ତୀ ସମୟରେ ଏହି ଅନୁମତି ସ୍ଥାନୀୟ ଏଡିଏମଙ୍କ ଦ୍ୱାରା ଦିଆଯାଇଥିଲା । ପରବର୍ତୀ ସମୟରେ ପ୍ରତିଶୋଧ ପରାୟଣ ହୋଇ ଏଡିଏମଙ୍କୁ ସମସ୍ତ ସରକାରୀ କାର୍ଯ୍ୟରୁ ଅବ୍ୟାହତି ଦେବା ସହ ୧୧ ଜଣ କିରାଣୀଙ୍କୁ ସସପେଣ୍ଡ କରିଥିଲେ କଲେକ୍ଟର । ରାଜନୈତିକ ସଲାକୁସ୍ତିରେ ବଳି ପଡିଲେ ସରକାରୀ କର୍ମଚାରୀ । ଧର୍ମେନ୍ଦ୍ର ଓ ନବୀନଙ୍କ ଯୁଦ୍ଧରେ ମୋହରା ସାଜିଲେ କିରାଣୀ । ତେବେ କଲମଛାଡ ଆନ୍ଦୋଳନ ପରେ ୧୧ ଜଣ କିରାଣୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି ଜିଲ୍ଲାପାଳ  ।

୧୩ ଫେବ୍ରୁଆରୀ ୨୦୧୭ । କୋରାପୁଟ ବୋରୁଗୁମ୍ମାରେ ଓହ୍ଲାଇଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର । ପଂଚାୟତ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ ଧର୍ମେନ୍ଦ୍ର । ଆଉ ଜିଲ୍ଲା ପ୍ରଶାସନର ଅନୁମତି ନଥାଇ କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିଥିବା ଅଭିଯୋଗରେ ଜିଲ୍ଲାପାଳ ନେଲେ କାର୍ଯ୍ୟାନୁଷ୍ଠାନ । ଜଣେ କନିଷ୍ଠ କିରାଣୀଙ୍କୁ ନିଲମ୍ବନ କରିବା ସହ ସହକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କାର୍ଯ୍ୟରୁ ଅବ୍ୟାହତୀ ଦେଇଥିବା ଜଣାପଡିଲା । ଅନୁମତି ନଥାଇ କିଭଳି ଓହ୍ଲାଇଲା କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ତାକୁ ନେଇ ଜିଲ୍ଲାପାଳ ନିଆଁବାଣ ହୋଇଥିବା କୁହାଗଲା ।

୨୮ ଫେବ୍ରୁଆରୀ ୨୦୧୭ । ଅର୍ଥାତ ଆଜିର ଦିନରେ ଏ ହେଉଛି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ କିରାଣୀଙ୍କ କଲମଛାଡ ଆନ୍ଦୋଳନ । ଉଦ୍ଦେଶ୍ୟମୂଳକ ଭାବେ ୧୧ ଜଣ କିରାଣୀଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବା ଅଭିଯୋଗରେ ଏକାଠି ହୋଇଛି ଜିଲ୍ଲା ଅମଲା ସଂଘ । ପ୍ରଥମେ ଗତ ୧୪ ତାରିଖରେ ଜିଲ୍ଲାପାଳ ଜୟକୁମାର ଭି. କନିଷ୍ଠ କିରାଣୀ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବିତ କରିଥିଲେ ।

ଏହା ପ୍ରତିବାଦରେ ଗତ ୨୧ ଓ ୨୨ ତାରିଖରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣୀମାନେ । ହେଲେ ଜିଲ୍ଲାପାଳ ନିଲମ୍ବନ ପ୍ରତ୍ୟାହାର କରିବା ପରବର୍ତେ ଦୁଇ ଦଫାରେ ପୁଣି ୧୧ଜଣ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି । ତେଣୁ ଏବେ କୋରାପୁଟରେ ମୁହାଁମୁହିଁ ସ୍ଥିତିରେ କ୍ଲର୍କ ଓ କଲେକ୍ଟର ।

ଅମଲାଙ୍କ ଅଭିଯୋଗ ବଡବଡିଆଙ୍କ ନିର୍ଦ୍ଦେଶରେ ନିଲମ୍ବନ କରୁଛନ୍ତି ଜିଲ୍ଲାପାଳ, ଆଉ ମୋହରା ସାଜୁଛନ୍ତି କିରାଣୀ। ତେବେ ପ୍ରଶ୍ନ ଉଠୁଛି କାହା ଇସାରାରେ କାମ କରୁଛନ୍ତି କୋରାପୁଟ ଜିଲ୍ଲାପାଳ ? କିରାଣୀ କଣ କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ପାଇଁ ଦେଇଥିଲେ ଅନୁମତି ? ନା ବଡବଡିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ କନିଷ୍ଠଙ୍କୁ ମୋହରା କରୁଛନ୍ତି କଲେକ୍ଟର?