କନକ ବ୍ୟୁରୋ: ବିଶାଳ ରାଲି । ଶହ ଶହ ସମର୍ଥକ । ଜୟପୁର ବିଧାୟକଙ୍କ ଅନୁପସ୍ଥିତିରେ ଜୟପୁରରେ ଶକ୍ତି ପ୍ରଦର୍ଶନ କରିଛନ୍ତି କୋରାପୁଟ ସାଂସଦ । ଜିଲ୍ଲାର ନୂଆ କଂଗ୍ରେସ ସଭାପତିଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ଅନେକ ନେତା ଓ ପୂର୍ବତନ ବିଧାୟକ । ଏହି ରାଲି ସେତେବେଳେ ଚାଲିଛି ଯେତେବେଳେ ଜୟପୁର ବିଧାୟକ କିମ୍ବା ତୁଙ୍ଗ ସମର୍ଥକ ଜୟପୁରରେ ନାହାଁନ୍ତି । ତାରା ବାହିନୀପତି ନିଜର କର୍ମୀଙ୍କୁ ନେଇ ଦିଲ୍ଲୀରେ କଂଗ୍ରେସ ଦଳର ମୁଖିଆଙ୍କୁ ଭେଟିବାକୁ ଯାଇଥିବା ବେଳେ ଜୟପୁରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ସପ୍ତଗିରି ଉଲାକା । ଯାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି ।
କୋରାପୁଟ ଜିଲ୍ଳା ସଭାପତି ପଦକୁ ନେଇ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ପୂର୍ବତନ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି ଏବଂ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ସମର୍ଥକ ପୂର୍ବରୁ ରାଜ୍ୟ କଂଗ୍ରେସ ଭବନ ଆସି, ମିନାକ୍ଷୀଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ । ହେଲେ ଏଆଇସିସି ଘୋଷଣା କରିଥିବା ତାଲିକାରେ ଦୁର୍ଗା ଶଙ୍କରଙ୍କୁ ଦାୟିତ୍ୱ ମିଳିଥିଲା । ଆଉ ଆଉ ଠିକ୍ ଏହା ପରେ ଦଳୀୟ ନେତା ଓ କର୍ମୀଙ୍କୁ ଧରି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ତାରା । ଜିଲ୍ଲା ସଭାପତି ବଦଳିବା ପରେ, ଏବଂ ସାଂସଦଙ୍କ ଏହି ବିଶାଳ ରାଲି ପରେ କ’ଣ ହେବ ଜୟପୁର ବିଧାୟକଙ୍କ ଆଭିମୁଖ୍ୟ, ତା ଉପରେ ରହିଛି ସମସ୍ତଙ୍କ ନଜର ।