ପ୍ରଭାରୀଙ୍କ ନାଲି ଆଖି ପରେ ନରମିଗଲେ ତାରା : ପିସିସି ସଭାପତିଙ୍କୁ କ୍ଷମା ମାଗିବା ପରେ ବି ତୁଟିନି କୋରାପୁଟ କଂଗ୍ରେସ କଳି 

କୈଳାଶ କୁଲେସିକା କହିଲେ, ତାରା ଓ ମିନାକ୍ଷୀଙ୍କ ସହ ମିଶି ଜିଲ୍ଲାରେ କାମ କରିବା କଷ୍ଟ; ଦାବି କଲେ କାର୍ଯ୍ୟାନୁଷ୍ଠାନ

140

କନକ ବ୍ୟୁରୋ : ପ୍ରଭାରୀଙ୍କ ନାଲିଆଖି ପରେ ନରମିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ତଥାପି ତୁଟିନି କୋରାପୁଟ କଂଗ୍ରେସ କଳି । ତାରାଙ୍କ ସହ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହ ବୈଠକ କରିଛନ୍ତି ଓଡିଶା ପ୍ରଭାରୀ ଏ ଚେଲ୍ଲା କୁମାର । ଏହାପରେ ସବୁକିଛି ଠିକଠାକ ହୋଇଗଲା ବୋଲି କୁହାଯାଉଛି । ଏପରିକି ପିସିସି ସଭାପତି କତହିଛନ୍ତି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ନାହିଁ । ଦଳ ଏକ ହୋଇ ପଂଚାୟତ ନିର୍ବାଚନ ଲଢିବ ।

ତାରାଙ୍କ ସହ ବିବାଦର ସମାଧାନ ହୋଇଥିବା କହିବା ସହ ଦଳ ପଂଚାୟତ ନିର୍ବାଚନ ଏକ ହୋଇ ଲଢିବ ବୋଲି କହୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ହେଲେ ଯେଉଁ ନେତାଙ୍କୁ ନେଇ ପୁରା ବିବାଦ ସୃଷ୍ଟି ହୋଇଥିଲା, ସେ ଏଥିରେ ସନ୍ତୁଷ୍ଟ ନୁହନ୍ତି । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କହିଛନ୍ତି ବିଧାୟକ ହୋଇ ଭୁଲ କଲେ ଓ କ୍ଷମା ମାଗିଲେ ଯଦି କ୍ଷମା କରିଦିଆଯିବ ତାହାହେଲେ ଆଗାମୀ ଦିନରେ ସେ ମଧ୍ୟ ଭୁଲ କରି କ୍ଷମା ମାଗିନେବେ । ତେଣୁ ତାଙ୍କ କଥାରୁ ଅସନ୍ତୋଷ ଜଳଜଳ ବାରି ହୋଇପଡୁଛି । ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଅଧିନୀରେ ଜିଲ୍ଲାରେ କାମ କରିହେବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।