କନକ ବ୍ୟୁରୋ : କୋରାପୁଟ କଂଗ୍ରେସ ଜିଲ୍ଳା ସଭାପତି ନିଯୁକ୍ତିକୁ ନେଇ ବଢ଼ିବାରେ ଲାଗିଛି କନ୍ଦଳ । ଜିଲ୍ଳା ସଭାପତି ନିଯୁକ୍ତିକୁ ନେଇ ବିଧାୟକ ତାରା ବାହିନୀପତି ଓ କୋରାପୁଟ ସାଂସଦ ମୁହାଁମୁହିଁ ହେବା ପରେ, ଏବେ ଦିଲ୍ଲୀ ଯାଇଛନ୍ତି ତାରା ଓ ମିନାକ୍ଷୀଙ୍କ ସମର୍ଥକ । ବିଶାଖପାଟନମରୁ ତାରାଙ୍କ ସହ ୮୦ ଜଣ ଦିଲ୍ଲୀ ଯାତ୍ରା କରିଥିବାବେଳେ, ରାୟଗଡାରୁ ଟ୍ରେନ୍ ଯୋଗେ ଯାଇଛନ୍ତି, କଂଗ୍ରେସ ନେତା ଓ କର୍ମୀ । ଦିଲ୍ଲୀ ଯାଇଥିବା କଂଗ୍ରେସ ନେତାମାନେ କୋରାପୁଟ ସାଂସଦଙ୍କ ବିରୋଧରେ ଏଆଇସିସି ନିକଟରେ ଫେରାଦ ହେବେ ବୋଲି ଜଣାପଡିଛି ।

ଅନ୍ୟପଟେ ନୂଆ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି, ତାରା ଓ ତାଙ୍କ ସମର୍ଥକ ଦିଲ୍ଳୀ ଗସ୍ତ କରିବା ନେଇ ତାଙ୍କ ପାଖରେ ଖବର ନାହିଁ । ଦିଲ୍ଲୀ ଯିବା କାହାକୁ ମନା ନାହିଁ । ତେବେ ଯଦି ଦିଲ୍ଲୀର ଲଡୁ ମିଠା ଲାଗିବ ତାହେଲେ ଆମେ ବି ଖାଇବୁ ।

ମିନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଯିବା ପରେ ସେ ସାଂସଦଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ, ସାଂସଦ ଦିଲ୍ଳୀରେ ରହି ଦିଲ୍ଲୀର ଲଡୁ ଖାଉଛନ୍ତି । ମାଟି କଥା ଚିନ୍ତା କରୁ ନାହାନ୍ତି । ସାଂସଦ ସପ୍ତଗିରି ଉଲ୍ଲାକା କହିଥିଲେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଏହି ପରିବର୍ତନ କରାଯାଇଛି ।

ପୂର୍ବରୁ ତାରା ଭୁବନେଶ୍ୱରରେ ତାଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ । ତାଙ୍କ ସମର୍ଥକଙ୍କ ସହ ପିସିସି ସଭାପତିଙ୍କୁ ଭେଟି ମିନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରେ ରଖିବା ପାଇଁ ଦାବି ଜଣାଇଥିଲେ । ହେଲେ, ତାର ପ୍ରଭାବ କିଛି ପଡି ନଥିଲା ।