କନକ ବ୍ୟୁରୋ : କୋରାପୁଟ ଜିଲ୍ଲାପାଳଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି ଅମଲା । ଆଉ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି ବିଧାନସଭାରେ । ଏହାର ପ୍ରତିବାଦରେ ବାଚସ୍ପତିଙ୍କ ମାଇକ୍କୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିଜେପି ବିଧାୟକ । କୋରାପୁଟର ୧୧ଜଣ ଅମଲାଙ୍କ ବିରୋଧରେ ଜିଲ୍ଲାପାଳ ଜୟକୁମାର ଭି.ଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ ବରିଷ୍ଠ ବିଜେପି ବିଧାୟକ ରବି ନାଏକ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଂଚାୟତ ନିର୍ବାଚନ ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଓହ୍ଲାଇବା ପାଇଁ ଅନୁମତି ଦେଇ ବିବାଦରେ ଫସିଯାଇଛନ୍ତି ତଳିଆ ଅମଲାମାନେ । ନିଷ୍ପତି ନେଲେ ଅତିରିକ୍ତ ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳ । ମାତ୍ର ନିଲମ୍ବନ କରାଗଲା ଜିଲ୍ଲାପାଳଙ୍କ ପ୍ରମୁଖ କିରାଣୀ କୃଷ୍ଣଚନ୍ଦ୍ର ପ୍ରଧାନ ଓ ପରେ ପରେ ଅନ୍ୟ ୧୦ଜଣ କିରାଣୀଙ୍କୁ । ଆଉ ଏହାର ପ୍ରତିବାଦରେ ୯ ଦିନ ହେଲା କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରି ଧାରଣାରେ ବସିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ । ସବୁ କାମ ଠପ୍ ହୋଇଯାଇଛି । ଏହାର ପ୍ରଭାବରେ ଆଜି କେନ୍ଦୁଝର, ଯାଜପୁର, ଅନୁଗୁଳ, ଜଗତ୍ସିଂହପୁର ଭଳି ୧୨ଟି ଜିଲ୍ଲାକୁ ବ୍ୟାପିଛି କଲମ ଛାଡ଼ ଆନ୍ଦୋଳନ ।
କୋରାପୁଟର ବିବାଦୀୟ ଜିଲ୍ଲାପାଳ ଜୟକୁମାର ଭି.ଙ୍କର ନିଜ ରାଜ୍ୟ ହେଉଛି ତାମିଲନାଡୁ । କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କର୍ମଚାରୀମାନେ ଟି-ସାର୍ଟ ଓ ଜିନ୍ସ ପିନ୍ଧି ଆସିପାରିବେ ନାହିଁ ବୋଲି ୨୦୧୬ ମସିହା ଜୁଲାଇ ମାସରେ ଆଦେଶ ଦେଇ ବିବାଦରେ ଫସିଥିଲେ ଜୟକୁମାର ।
ସେହିଭଳି ୨୦୧୫ ମସିହା ଅଗଷ୍ଟ ମାସରେ ବେଆଇନ ଭାବେ ଭିନ୍ନକ୍ଷମ ଶିକ୍ଷକମାନଙ୍କୁ ଦୂରସ୍ଥାନକୁ ବଦଳି ନିର୍ଦ୍ଦେଶ ଦେଇ ବିବାଦକୁ ଆସିଥିଲେ ସେ । ପୌରପାଳିକାର ଲାଇଟ୍ କିଣାରେ ବି ୨୦୧୫ ମସିହାରେ ଆସିଥିଲା ଅଭିଯୋଗ । ଏସବୁ ସତ୍ୱେ ତୃତୀୟ ମହଲାର ଆଶୀର୍ବାଦରେ ସେ ତିଷ୍ଠି ରହିଥିବା ଅଭିଯୋଗ ଆସିଛି ।