ରେକର୍ଡ କରିବ କୋରାପୁଟ କଫି: ଆରମ୍ଭ ହୋଇଛି କଫି ବାଡ଼ରୁ କଫି ମଂଜି ତୋଳା

94

କନକ ବ୍ୟୁରୋ: ଚାଲିଛି କଫି ମଂଜି ତୋଳା । ଗାଁ ଗାଁରୁ ସଂଗ୍ରହ ହେଉଛି ମଂଜି । ଚଳିତ ବର୍ଷ ରେକର୍ଡ଼ ସୃଷ୍ଟି କରିବ କୋରାପୁଟ କଫି । ଆଗାମି ୫ ବର୍ଷରେ ୫ ହଜାର ହେକ୍ଟର ଜମିରେ ହେବ କଫି ଚାଷ । ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିବା ପରଠାରୁ ଚାଷୀଙ୍କ ଖୁସି କହିଲେ ନସରେ ।

ସବୁଜିମାରେ ଭରିରହିଛି କୋରାପୁଟ କଫି । ଲାଲ ଟହଟହ ମଂଜି ଜଙ୍ଗଲରେ ଲିଚୁ ମାଳର ଭ୍ରମ ସୃଷ୍ଟି କରୁଛି । ଆଉ ଶୀତୁଆ ସକାଳେ କଫି ମଂଜି ତୋଳିବା କାମରେ ଲାଗିଛନ୍ତି ମହିଳା ଶ୍ରମିକ । କଫି ବାଡ଼ରୁ ପାଚିଲା ମଂଜିକୁ ତୋଳି ଚାଙ୍ଗୁଡ଼ି ଭର୍ତି କରୁଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲିବ । କୋରାପୁଟ କଫିର ବେଶ ଚାହିଦା ଥିବାରୁ ଅନ୍ୟ ଚାଷ ଅପେକ୍ଷା କଫିରୁ ଅଧିକ ରୋଜଗାର ହେଉଛି । ତେଣୁ ଚାଷୀ ଅନ୍ୟ ଚାଷ ବଦଳରେ କଫି ଚାଷ କରିବାକୁ ମନସ୍ତ କରିଛନ୍ତି ।

ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ବଜାରରେ ଉପଲବ୍ଧ ହେଉଥିବା କୋରାପୁଟ କଫି ଚଳିତ ବର୍ଷ ରେକର୍ଡ଼ ସୃଷ୍ଟି କରିବ । ୨୦୦୬ ହେକ୍ଟର ଜମିରେ କଫି ଚାଷ ହୋଇଛି, ୧୦୦ରୁ ୧୫୦ ମେଟ୍ରିକ ଟନ୍ କଫି ମଂଜି ଆଦାୟ ଲକ୍ଷ୍ୟ ରଖିଛି କଫି ବୋର୍ଡ଼ । ଏବେ ସୁଧା ୧୪ ହଜାର କେଜି ମଂଜି କିଣା ହୋଇଛି । ଚାଷୀଙ୍କ ପାଖରୁ କିଲୋ ପ୍ରତି ୩୫ ଟଙ୍କାରେ କିଣି ନେଉଛି ପ୍ରଶାସନ । ପୂର୍ବରୁ ଚାଷୀଙ୍କୁ ପ୍ରଲୋଭିତ କରି ୧୫ରୁ ୨୦ ଟଙ୍କାରେ କିଣି ନେଉଥିଲେ ଦଲାଲମାନେ ।

କୋରାପୁଟ କଫିର ସ୍ୱାଦ ଅନ୍ୟ କଫି ଠାରୁ ଟିକେ ଅଲଗା, ତେଣୁ ବହୁ ବ୍ୟବସାୟୀ ଓ କମ୍ପାନୀ ଏବେ କୋରାପୁଟ ମୁହାଁ ହୋଇଛନ୍ତି । କୋରାପୁଟ କଫିର ଚାହିଦା ବଢୁଥିବାରୁ ଆସନ୍ତା ୫ ବର୍ଷରେ ଜିଲ୍ଲାରେ ୫ ହଜାର ହେକ୍ଟର ଜମିରେ କଫି ଚାଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଜିଲ୍ଳା ପ୍ରଶାସନ ମାଷ୍ଟର ପ୍ଳାନ ପ୍ରସ୍ତୁତି କରୁଛି ।