କନକ ବ୍ୟୁରୋ : କର୍ମ ନିଯୁ୍କ୍ତି ସାଙ୍ଗକୁ ରୋଜଗାର ବାଟ ଦେଖାଇଛି କୋରାପୁଟିଆ କାଜୁ । ଚୋପା ବାହାର କରିବା ସାଙ୍ଗକୁ ସଫା ସୁତୁରା ଓ ପ୍ୟାକେଟ କରିବା ପର୍ୟ୍ୟନ୍ତ ସମସ୍ତ କାମ କରୁଛନ୍ତି ମହିଳା । ଆଜି କାଲି ଭୋଜିଭାତ ହେଉ କି ସାଙ୍ଗ ସାଥିଙ୍କ ପାର୍ଟି ସବୁଠି କାଜୁର ଚାହିଦା ରହିଛି । ଟେବୁଲ ଉପରେ ଗଦା ହୋଇ ରହିଛି ଭିନ୍ନ ଭିନ୍ନ ପ୍ରକାରର କାଜୁ । କେତେ ଚୋପା ଛଡ଼ା ହୋଇ ରହିଛି ତ ଆଉ କେତେକର ପ୍ରକ୍ରିୟାକରଣ ଚାଲିଛି । ଛୋଟ ଠାରୁ ବଡ଼ ପର୍ୟ୍ୟନ୍ତ ସବୁ ସାଇଜ ଅନୁସାରେ ପ୍ୟାକେଟ କରାଯାଉଛି । କେବଳ ଏଠାରେ କାଜୁ ପ୍ରକ୍ରିୟାକରଣ ହେଉନି ବରଂ ରୋଜଗାରର ବାଟ ମଧ୍ୟ ମିଳୁଛି ।

Advertisment

କୋରାପୁଟିଆ କାଜୁ ନାମରେ ପରିଚିତ ଥିବା ଏହି କାଜୁ ଉଦ୍ୟୋଗ ଏବେ ସମ୍ପୁର୍ଣ୍ଣ ରୁପେ ଆଫ୍ରିକା ଉପରେ ନିର୍ଭର କରୁଛି । କୋରାପୁଟ ଜିଲ୍ଲାରେ ୮୦ ରୁ ଅଧିକା ଏଭଳି କାଜୁ ଉଦ୍ୟୋଗ ରହିଛି । ସେଥିରୁ ଅଧାରୁ ଅଧିକା କଚାଂ ମାଲର ଅଭାବ ଯୋଗୁଁ ବନ୍ଦ ହେବାକୁ ବସିଲାଣି । ଆଉ ଯେତେ ବଳକା ଉଦ୍ୟୋଗ ରହିଛି ସବୁ ଆଫ୍ରିକା ଦେଶରୁ କାଜୁ ଆସିଲେ ଏଠାରେ ମିଲ ଚାଲେ । କୋରାପୁଟ ଜିଲ୍ଳାରେ ଥିବା କାଜୁ ଗଛ ସବୁ ବହୁ ପୁରୁଣା ହେଲାଣି । ଅନେକ ସ୍ଥାନରେ କାଜୁ ଗଛ ବଦଳରେ ନିଳଗିରି ଗଛ ସ୍ଥାନ ନେଲାଣି । ଜିଲ୍ଲାରେ ଥିବା ପ୍ରତେକ ମିଲ ବର୍ଷ ତମାମ ଚାଲିବାକୁ ହେଲେ ୫ ଲକ୍ଷ କ୍ବିଂଟାଲ କାଜୁ ଦରକାର କିନ୍ତୁ ଆଦାୟ ହେଉଛି ମାତ୍ର ୧ଲକ୍ଷ କ୍ବିଂଟାଲ କାଜୁ । ଯେଉଁଥିପାଇଁ ଏବେ ଆଫ୍ରିକା ଉପରେ ନିର୍ଭର କରିବାକୁ ପଡୁଛି ।

ସାରା ଦେଶରେ କୋରାପୁଟ କାଜୁର ଏକ ସ୍ୱତନ୍ତ୍ର ଚାହିଦା ରହିଛି । ସୁସ୍ୱାଦୁ ସାଙ୍ଗକୁ କର୍ମ ନିଯୁକ୍ତି ଯୋଗାଉଛି ଏହି ଉଦ୍ୟୋଗ ।