କିମିଆ କରୁଛି ‘କୋରାପୁଟ କଫି’: ଓଡିଶା ମାଟିର ମହକ ନେଇ କୋରାପୁଟ କଫିର ବଜାର ପ୍ରବେଶ । ଅନଲାଇନରେ କରିପାରିବେ ଅର୍ଡର

Advertisment
କିମିଆ କରୁଛି ‘କୋରାପୁଟ କଫି’: ଓଡିଶା ମାଟିର ମହକ ନେଇ କୋରାପୁଟ କଫିର ବଜାର ପ୍ରବେଶ । ଅନଲାଇନରେ କରିପାରିବେ ଅର୍ଡର

କନକ ବ୍ୟୁରୋ: ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। କୋରାପୁଟ କଫି ନାମରେ ସ୍ବତନ୍ତ୍ର ବ୍ରାଣ୍ଡର କଫି ବଜାରକୁ ଆସିଛି । କଫି ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ପରେ କୋରାପୁଟ ବ୍ରାଣ୍ଡର କଫି ଖୋଲା ବଜାରରେ ମିଳିଛି। ଫଳରେ କଫିକୁ ନେଇ କୋରାପୁଟ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ବୀକୃତି ଲାଭ କରିଛି। ଏହା କୋରାପୁଟରେ କଫି ଚାଷକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ।

publive-image

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି କି କୋରାପୁଟ କଫିକୁ ବିଶ୍ଵ ଦରବାରରେ ପରିଚିତ କରାଇବା ଓ ଏହାର ସ୍ଵତନ୍ତ୍ରତାକୁ ବଜାୟ ରଖିବା ପାଇଁ କୋରାପୁଟରେ ରାଜ୍ୟର ପ୍ରଥମ କଫି ପ୍ରକ୍ରିୟାକରଣ ୟୁନିଟର ଶୁଭାରମ୍ଭ ହୋଇଛି। ଖୁବଶୀଘ୍ର ସୁନାବେଡ଼ାରେ କଫି କ୍ୟୁରିଂ ୟୁନିଟ ଆରମ୍ଭ ହେବାକୁ ଥିବା ବେଳେ କଫି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ମଧ୍ୟ ଏହା ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ।

ବୁଧବାର କୋରାପୁଟର ଚନ୍ଦନ ପୋଖରୀ ପାଖରେ ଟିଡିସିସି ଷ୍ଟଲ ନିକଟରେ ଏହି କଫି ପ୍ରକ୍ରିୟାକରଣ ୟୁନିଟକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ଉଦଘାଟନ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟାଙ୍ଗୀ ବିଧାୟକ ପୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ସାନୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କଫି ପ୍ରକ୍ରିୟାକରଣ ୟୁନିଟ ଦ୍ବାରା କୋରାପୁଟର କଫି ଚାଷୀମାନେ ଉପକୃତ ହେବେ ବୋଲି ଅତିଥିମାନେ କହିଥିଲେ।

publive-image

ସେହିପରି କୋରାପୁଟ କଫି ଆନ୍ତର୍ଜାତିକ ସ୍ତରରେ ନିଜ ନାମକୁ ବଢାଇ ପାରିବ ବୋଲି ମତପ୍ରକାଶ ପାଇଥିଲା। ଏହି କଫିର ମାର୍କେଟିଂକୁ ଗୁରୁତ୍ବ ଦିଆଯିବା ସହ ଅଧିକ ଷ୍ଟୋର ଖୋଲିବାକୁ ଯୋଜନା କରାଯାଇଛି । କୋରାପୁଟ ଓ ସୁନାବେଡାଠାରେ କଫି ପ୍ରକ୍ରିୟାକରଣ ୟୁନିଟ ନିମନ୍ତେ ଜନଜାତି ଉନ୍ନୟନ ସମବାୟ ନିଗମ ତରଫରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି।

publive-image

ତେବେ କୋରାପୁଟ କଫି ଏବେ ରାଜଧାନୀରେ ବି ମିଳୁଛି । ଭୁବନେଶ୍ବରସ୍ଥିତ ଜନଜାତି ଉନ୍ନୟନ ସମବାୟ ନିଗମ କାର୍ୟ୍ୟାଳୟ ପରିସରରେ ଥିବା ‘ଆଦିଶା‘ କାଉଣ୍ଟରରେ ମିଳୁଛି। ଏଥିସହ ଆଗ୍ରହୀ ଗ୍ରାହକ ଆମାଜନ୍ ଡଟ୍ ଇନରୁ ମଧ୍ୟ ଅନଲାଇନରେ ମଗାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe