କନକ ବ୍ୟୁରୋ: ୧୧ ଦିନ ପରେ ବି କୋରାପୁଟ ରାଣିଗଡ ଗୁମ୍ମା ପାହାଡରେ ପୋତି ହୋଇରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ । ୮ ଟି ବ୍ଲାଷ୍ଟିଂ ପରେ ପଥର ତଳେ ଚାପି ହୋଇଥିବା ଦୁଇଟି ଜେସିବି ମେସିନକୁ ଠାବ କରିଛି ସେନା । ତେବେ ବର୍ଷା ଯୋଗୁଁ ଜେସିବି ମେସିନକୁ କଢ଼ା ଯାଇ ପାରିନାହିଁ । ପଥର ହଟିଗଲା ପରେ ଘନଶ୍ୟାମ ଓ ସଞ୍ଜୟ କିଭଳି ଅବସ୍ଥାରେ ଅଛନ୍ତି ତାହା ଜଣାପଡିବ । ସେନା ପକ୍ଷରୁ ଏନେଇ ଜୋରସୋର କାମ ଚାଲିଛି ।
ଗୁରୁବାର ସଂଧ୍ୟାରୁ ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ୮ଥର ନିୟନ୍ତ୍ରଣ ବିସ୍ଫୋରଣ କରାଯାଇ ସାରିଲାଣି। ବହୁ ପଥର ଖଣ୍ଡ ଖଣ୍ଡ ହୋଇ ତଳକୁ ଖସିବା ପରେ ତାହାକୁ ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସ୍ଥିତି ଅନୁଧ୍ୟାନ କରିବାରୁ ପଥର ଫାଙ୍କରେ ଫସି ରହିଥିବା ଦ୍ୱିତୀୟ ଜେସିବିକୁ ଠାବ୍ କରାଯାଇଥିଲା। କିନ୍ତୁ ଯେଉଁଭଳି ଅବସ୍ଥାରେ ଜେସିବି ରହିଛି ତାହାକୁ ବଳ ପ୍ରୟୋଗ କରି ବାହାର କରାଗଲେ ପଥର ସହ ମାଟି ଅତଡା ଧସି ଯିବାର ସମ୍ଭାବନା ରହିଛି। ଏଭଳି ହେଲେ ଉଦ୍ଧାର କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି ଅନୁଧ୍ୟାନ କରି ବିଶେଷଜ୍ଞ କହିଥିଲେ।
ଅନ୍ୟପକ୍ଷରେ ଦୁଇ ଜେସିବି ଅପରେଟରଙ୍କ ପତ୍ତା ମିଳିପାରି ନାହିଁ। ସେମାନେ ଜେସିବି ନିକଟରେ ନା’ ଜେସିବି ଠାରୁ ଦୂରରେ ରହିଛନ୍ତି ଜଣାପଡୁ ନାହିଁ। ପଥର ତଳେ ଚାପି ହୋଇ ରହିଥିବା ଜେସିବି ବାହାରିବା ପରେ ହିଁ ୨ଅପରେଟରଙ୍କ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ସେନା ନେତୃତ୍ୱରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଗତକାଲି ସଂଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି। ବର୍ଷା ଯୋଗୁଁ ପାହାଡ ଉପରୁ ମାଟି ପଥର ସହ ଅତଡା ଧସିବାର ସମ୍ଭାବନା ରହିଥିବାରୁ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଦେଖିବାକୁ ମିଳିଛି। ଆଜି ପାଗ ଅନୁକୂଳ ରହିଲେ ପୁଣି ବିସ୍ଫୋରଣ କରାଯିବ ବୋଲି ଜଣାପଡିଛି। ସେହିପରି ଯେଉଁ ଗତିରେ ଉଦ୍ଧାର କାର୍ଯ୍ୟ ଚାଲିଛି, ଆଉ କିଛି ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଦୁଇ ଜେସିବି ଅପରେଟରଙ୍କ ନିକଟତର ହେବେ ବୋଲି ଶୁଣିବାକୁ ମିଳୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/Sequence-2-01254416.png)