ଦେଓମାଳି ପର୍ବତରେ ଆନ୍ଧ୍ର ଅଧିକାରୀ ବୁଲିବା ଘଟଣା : ଟ୍ୱିଟ କରି ସଫେଇ ରଖିଲା କୋରାପୁଟ ଜିଲ୍ଲା ପ୍ରଶାସନ

136

କନକ ବ୍ୟୁରୋ : ପଟ୍ଟାଙ୍ଗିର ଦେଓମାଳି ପର୍ବତରେ ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତି ଘଟଣାରେ ଟ୍ୱିଟ୍ କରି ସଫେଇ ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କରିଥିବା ଟ୍ୱିଟରେ ଲେଖିଛି ଯେ, ଆନ୍ଧ୍ର ଅଧିକାରୀମାନେ ପରିବାର ସହ ପିକନିକ କରିବାକୁ ଆସିଥିଲେ । ଏପରିକି ତାଙ୍କ ସହ ଓଡିଶା ସରକାରଙ୍କ ଅଧିକାରୀମାନେ ପୁରା ପିକନିକରେ ଉପସ୍ଥିତ ରହିଥିଲେ । ସୀମା ବିବାଦ ସହ ଏହି ଘଟଣାର କୌଣସି ସଂପର୍କ ନାହିଁ ବୋଲି ସଫେଇ ଦିଆଯାଇଛି ।
ବଣଭୋଜି ବାହାନାରେ ଆନ୍ଧ୍ରପ୍ରଦେଶର ୬ ଜଣ ଆଇଏଏସଙ୍କ ସମେତ ୫୭ ଜଣ ଅଧିକାରୀ ଦେଓମାଳି ବୁଲଥିବା ସନ୍ଦେହ ପ୍ରକାଶ ପାଇଥିଲା । ୨୨ଟି କାରରେ ଆସିଥିବା ଅଧିକାରୀଙ୍କ ସହିତ ପୋଲିସ ଅଧିକାରୀ ବି ଥିଲେ । ଓଡ଼ିଶା ପୋଲିସ ସେଠାରେ ପହଂଚିବା ମାତ୍ରେ ସେମାନେ ତରବର ହୋଇ ପଳାଇ ଯାଇଥିବାରୁ ସନ୍ଦେହ ବଡିଥିଲା । ପ୍ରଥମେ ସାଦା ପୋଷାକରେ ଓଡ଼ିଶା ଭିତରେ ପଶିଥିଲା ଆନ୍ଧ୍ର ପୋଲିସ । ଛକ ଛକରେ ଅଟକି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡି ରାସ୍ତା ଅତିକ୍ରମ କରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ । ସମସ୍ତ ଗାଡି ଦେଓମାଳି ଚାଲିଯିବା ପରେ ପଛେ ପଛେ ପୋଲିସ ଅଧିକାରୀ ଯାଇଥିଲେ । ବିଜୟନଗରମ୍ ଜିଲ୍ଲାପାଳଙ୍କ ସମେତ ଅନେକ ଅଧିକାରୀ ଦେଓମାଳିରେ ପହଂଚିଥିଲେ । ଏମାନେ ୪ ଘଂଟା ଦେଓମାଳିରେ ରହିବା ସହ ଭୋଜିଭାତ କରି ଗାଲିଗବଦର ପିକନିକ୍ ସ୍ପଷ୍ଟକୁ ବି ଯାଇଥିଲେ । ସେଠାରେ ଦୁଇ ଘଂଟା ରହିବା ପରେ ପଟାଙ୍ଗି-ସୁଙ୍କି ରାସ୍ତା ଦେଇ ଆନ୍ଧ୍ର ପଳାଇ ଯାଇଥିଲେ । ଦେଓମାଳିରେ ହୋଇଥିବା ବିଭିନ୍ନ ପର୍ଯ୍ୟଟନର ବିକାଶ ଦେଖିବା ପରେ କୋଟିଆରେ ନିଯୁକ୍ତ ଆନ୍ଧ୍ର ଏଜେଂଟଙ୍କ ସହ ସେମାନେ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି ।
ଗୋଟିଏ ପଟେ କୋଟିଆ ବିବାଦର ସ୍ଥାୟୀ ସମାଧାନ ବାହାରିନାହିଁ । ଦୁଇ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସଚିବସ୍ତରୀୟ କମିଟି ଗଠନ ହୋଇ ନଥିବା ବେଳେ ବୈଠକ ହେବ କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏଭଳି ପରିସ୍ଥିତିରେ ଆନ୍ଧ୍ର ଅଧିକାରୀଙ୍କ ଦେଓମାଳି ଗସ୍ତକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଥିଲେ ।