କୋଣାର୍କକୁ ବିଶ୍ୱସ୍ତରୀୟ ସହର ଭାବେ ଗଢିତୋଳିବାକୁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍ । ମାର୍ଚ୍ଚରୁ ସୌରଶକ୍ତି ଆଲୋକରେ ଝଲସିବ ବ୍ଲାକ୍ ପାଗୋଡା

୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ପ୍ରକଳ୍ପ

145

ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ । ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ପ୍ରକଳ୍ପ । କଳାହାଣ୍ଡିରେ ୧୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଏନେଇ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଐତିହ୍ୟ ଓ ବୈଷୟିକ ଜ୍ଞାନର ଆକର୍ଷଣୀୟ ଯୁଗଳବନ୍ଦୀ ଭାବେ କୋଣାର୍କର ପ୍ରସିଦ୍ଧି ଆହୁରି ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସ୍ବଚ୍ଛ ଓ ସବୁଜ ବିଦ୍ୟୁତ ଯୋଗାଣ ଉପରେ ମନ୍ତ୍ରୀ ଆଲୋଚନା କରି କହିଥିଲେ, କୋଣାର୍କ ପାଇଁ ଆବଶ୍ୟକ ସୌରଶକ୍ତି କଳାହାଣ୍ଡିଠାରେ ଉତ୍ପାଦିତ ହେବ । ପଶ୍ଚିମ ଓଡ଼ିଶାରେ ମାତ୍ରାଧିକ ସୌରଶକ୍ତି ବିକିରଣ ହେଉଥିବାରୁ ଏହାକୁ ବିନିଯୋଗ କରାଯିବ । କଳହାଣ୍ଡିରେ ଉତ୍ପାଦିତ ବିଦ୍ୟୁତ ଶକ୍ତି ପୁରୀ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଉଥିବା ବେଳେ ପୁଣି କୋଣାର୍କକୁ ସୌରଶକ୍ତି ଉତ୍ପାଦନ କରିବା କଳାହାଣ୍ଡି ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି । ଓରେଡା ଦ୍ବାରା କରାଯାଉଥିବା ଏହି ପ୍ରତୀକ୍ଷିତ ପ୍ରକଳ୍ପ ଦ୍ବାରା ସୂର୍ଯ୍ୟ ମନ୍ଦିର ସମେତ କୋଣାର୍କ ଅଧିସୂଚିତ କ୍ଷେତ୍ର ପରିଷଦ ସହରାଞ୍ଚଳକୁ ମଧ୍ୟ ଏହି ସ୍ବଚ୍ଛ ଓ ସବୁଜ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯିବ । କୋଣାର୍କ ଐତିହ୍ୟ ସହରକୁ କାର୍ବନମୁକ୍ତ ସହରରେ ପରିଣତ କରିବା ନେଇ ଏହି ପ୍ରକଳ୍ପ ଅଭିପ୍ରେତ । ଏଥିସହ କୋଣାର୍କବାସୀଙ୍କ ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା, ସୋଲାର ପାଣିପମ୍ପ୍‌, ସୋଲାର ଇ-ବାଇକ୍‌, ଇ-କାର୍‌ ପାଇଁ ପ୍ରବର୍ତାଇବାକୁ ପଦକ୍ଷେପ ନିଆଯାଉଛି ।

କୋଣାର୍କଠାରେ ବ୍ୟାଟେରି ଚାର୍ଜ ଷ୍ଟେସନ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଆଗାମୀ ଦିନରେ ସେଠାରେ ଯେପରି ଇ-ଯାନର ବ୍ୟବହାର କରିବେ, ସେନେଇ ଆଲୋଚନା ହୋଇଛି । ସେହିଭଳି କୋଣାର୍କକୁ ବିଶ୍ବସ୍ତରୀୟ ସହର ଭାବେ ଗଢ଼ି ତୋଳିବା ନିମନ୍ତେ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେବା ସହିତ ବର୍ଜ୍ୟରୁ ସମ୍ପଦ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି । ସୌରଶକ୍ତି ପ୍ରକଳ୍ପ ପାଇଁ କଳହାଣ୍ଡିର ଜୁନାଗଡ଼ରେ ଶକ୍ତି ବିଭାଗକୁ ସରକାରୀ ଜମି ପ୍ରଦାନ ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କଳହାଣ୍ଡି ଜିଲ୍ଲାପାଳ ଡ.ପରାଗ ହର୍ଷଦ ଗୱାଲି କହିଛନ୍ତି । ଟାଟା ପାୱାର କେନ୍ଦ୍ରୀୟ ଓଡ଼ିଶା ବିତରଣ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ କୋଣାର୍କ ସହରର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଛାତ ଉପରେ ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସୌର ପ୍ରକଳ୍ପର ଅଗ୍ରଗତି ସହ ଏହାର ତଦାରଖ ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ଗଠନ ନିମନ୍ତେ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ବୈଠକରେ ଓରେଡାର ଯୁଗ୍ମ ନିର୍ଦେଶକ, ଗ୍ରିଡ୍‌କୋର ପରିଚାଳନା ନିର୍ଦେଶକ,  ଓରେଡାର ମୁଖ୍ୟ ନିର୍ବାହୀ, ପର୍ଯ୍ୟଟନ ଯୁଗ୍ମ ସଚିବ, ପ୍ରତ୍ନତତ୍ତ୍ବ ତତ୍ତ୍ବାବଧାରକ, ଏଏସ୍‌ଆଇ ଓ ଟାଟା ପାୱାର କେନ୍ଦ୍ରୀୟ ବିତରଣ ଲିମିଟେଡ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ ।